ବାଲେଶ୍ବରରେ ଆଉ ଜଣେ ଅଧ୍ୟାପକଙ୍କ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ, ୨୦୨୧ରେ ପ୍ରାଣ ହରାଇଥିଲେ ଛାତ୍ରୀ, ଏବେ ନ୍ୟାୟ ମାଗୁଛନ୍ତି ଭଉଣୀ

Published By : Prameya-News7 Bureau | July 18, 2025 IST

ଭୋଗରାଇ ୧୮୭: ପୁଣି ଜଣେ ଅଧ୍ୟାପକଙ୍କ ନାଁରେ ଆସିଲା ସାଙ୍ଘାତିକ ଅଭିଯୋଗ । ନିର୍ଯାତନା ସହିନପାରି ଆତ୍ମହତ୍ୟା କରିଥିଲେ ଛାତ୍ରୀ । ଥାନାକୁ ଅଭିଯୋଗ ନେଇ ଯାଇଥିଲେ ମଧ୍ୟ ପୋଲିସ ଏତଲା ଗ୍ରହଣ କରିନଥିଲେ । ଫଳରେ ଡାକ ସେବା ମାଧ୍ୟମରେ ଉପରିସ୍ଥ ଅଧିକାରୀଙ୍କୁ ଏତଲାଟି ପଠାଇଥିଲେ । କିନ୍ତୁ ଏପର୍ଯ୍ୟନ୍ତ ପରିବାର ଲୋକଙ୍କୁ କୌଣସି ନ୍ୟାୟ ମିଳିନାହିଁ । ବାଲେଶ୍ୱର ଜିଲ୍ଲା ଭୋଗରାଇ କରିହଣ୍ଡା ଗ୍ରାମରୁ ଆସିଛି ଏଭଳି ଅଭିଯୋଗ । 

ସୂଚନାଯୋଗ୍ୟ ଯେ, ଛାତ୍ରୀ ଜଣଙ୍କ ୨୦୨୧ ମସିହାରେ ଭୋଗରାଇ ଗ୍ରାମ୍ୟ ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ଯୁକ୍ତ ୩ ତୃତୀୟ ବର୍ଷରେ ପଢୁଥିଲେ । ସେ ୨୦୨୧ ମସିହା ଜୁଲାଇ  ୧ ତାରିଖରେ ଭୋଗରାଇ ପୁଟିଣା ସ୍ଥିତ ନିଜ ମାମୁ ଘରେ ଥିଲେ । ସମ୍ପୃକ୍ତ ଅଧ୍ୟାପକ ଓ ତାଙ୍କର କିଛି ଛାତ୍ରଛାତ୍ରୀ ସେହି ସ୍ଥାନକୁ ଯାଇ ବିଭିନ୍ନ ବାହାନା କରି ଛାତ୍ରୀଙ୍କୁ ବାହାରକୁ ଡାକି ତାଙ୍କୁ ମାରପିଟ୍ କରି ମୋବାଇଲ ଭାଙ୍ଗିବାକୁ ଚେଷ୍ଟା କରିଥିଲେ । ଛାତ୍ରୀ ଜଣଙ୍କ ନିଜ ଘରକୁ ଆସିବା ପରେ ଘଟଣା ସମ୍ପର୍କରେ କାହାକୁ କିଛି ନକହି ଖାଇବା ପିଇବା ବନ୍ଦ କରି ଦେଇଥିଲେ । ମାତ୍ର ସେହି ମାସ ୩ ତାରିଖରେ ଘରେ କେହି ନଥିବା ସମୟରେ ଛାତ୍ରୀ ଜଣଙ୍କ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଦେଖିଥିଲେ । ଆତ୍ମହତ୍ୟା ସମ୍ପର୍କରେ କମର୍ଦ୍ଦା ଥାନାରେ ଅଭିଯୋଗ କରିବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କ ମୋବାଇଲ ଜବତ କରିଥିଲେ । ଏବେବି ମୋବାଇଲ ଥାନାରେ ଥିବା ନେଇ ମୃତ ଛାତ୍ରୀଙ୍କ ଭଉଣୀ କହିଛନ୍ତି । 

ତେବେ ତାଙ୍କ ମୃତ୍ୟୁର କିଛି ଦିନ ପରେ ଏ ସମସ୍ତ ଘଟଣା ସମ୍ପର୍କରେ ପରିବାର ଲୋକେ ଜାଣିପାରି ପୁଣି ଥାନାକୁ ଅଭିଯୋଗ ନେଇ ଯାଇଥିଲେ ମଧ୍ୟ ପୋଲିସ ଏତଲା ଗ୍ରହଣ କରିନଥିଲେ । ଯାହା ଫଳରେ ସେହି ମାସ ୧୬ ତାରିଖରେ ଡାକ ସେବା ମାଧ୍ୟମରେ ଉପରିସ୍ଥ ଅଧିକାରୀଙ୍କୁ ଏତଲାଟି ପଠାଇଥିଲେ । ଘଟଣାକୁ ନେଇ ପରିବାର ଲୋକଙ୍କୁ କୌଣସି ନ୍ୟାୟ ଏପର୍ଯ୍ୟନ୍ତ ମିଳିନଥିବା ବେଳେ ସୌମ୍ୟାଶ୍ରୀଙ୍କ ଘଟଣା ପରେ ମୃତ ଛାତ୍ରୀଙ୍କ ଭଉଣୀ ଘଟଣା ସମ୍ପର୍କରେ ସୋସିଆଲ ମିଡିଆରେ ପୋଷ୍ଟ କରି ନ୍ୟାୟ ମାଗିଛନ୍ତି ।

You Can Read:

ଅର୍ଥ ସାଜିଲା ବାଧକ, ଝିଅର ଶବକୁ ୬ କି.ମି. ଟ୍ରଲିରେ ବୋହିନେଲେ ବାପା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.