ରାଜସ୍ଥାନ ୦୯/୦୭: ରାଜସ୍ଥାନର ଚୁରୁ ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା । ବାୟୁସେନାର ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ । ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ରତନଗଡ଼ ଅଞ୍ଚଳର ଭାନୁଦା ଗାଁରେ ଏକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣାସ୍ଥଳରୁ ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ଏଥିରେ ଜଣେ ପାଇଲଟ୍ଙ୍କ ମୃତଦେହ ଅଛି ବୋଲି ଶୁଣିବାକୁ ମିଳୁଛି ।
ତୁରନ୍ତ ସେଠାରେ ପୋଲିସ ଓ ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି । ଦେଖଣାହାରୀଙ୍କ କହିବା କଥା ଆକାଶରେ ପ୍ରଚଣ୍ଡ ଶବ୍ଦ ହୋଇଥିଲା । ଶବ୍ଦ ପରେ କ୍ଷେତରେ ନିଆଁ ଓ ଧୂଆଁ ଉଠୁଥିବାର ଦେଖାଯାଇଥିଲା।
ଦୁର୍ଘଟଣାଗ୍ରସ୍ତ ବିମାନଟି ଭାରତୀୟ ବାୟୁସେନାର ଏକ ଜାଗୁଆର ବୋଲି କୁହାଯାଉଛି । ମୃତଦେହ ଚିହ୍ନଟ ପ୍ରକ୍ରିୟା ସେନା ଓ ସ୍ଥାନୀୟ ପ୍ରଶାସନ ଦ୍ୱାରା କରାଯାଉଛି। ଦୁର୍ଘଟଣାର ଖବର ପ୍ରସାରିତ ହେବା ମାତ୍ରେ ରତନଗଡ଼ରେ ଉତ୍ତେଜନା ପ୍ରକାଶ ପାଇଥିଲା । କଲେକ୍ଟର ଅଭିଷେକ ସୁରାଣା ଓ ସ୍ଥାନୀୟ ପୋଲିସ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇଛନ୍ତି ।
ସେନା ଉଦ୍ଧାରକାରୀ ଦଳ ମଧ୍ୟ ଘଟଣାସ୍ଥଳ ଅଭିମୁଖେ ଯାଉଛନ୍ତି । ଘଟଣାସ୍ଥଳକୁ ସିଲ୍ କରାଯାଇ ତଦନ୍ତ ଆରମ୍ଭ କରାଯିବ । କୁହାଯାଉଛି ଯେ ବିମାନଟି ଏକ ଗଛ ଉପରେ ପଡ଼ିଥିଲା । ଯାହା ଯୋଗୁଁ ଗଛଟି ମଧ୍ୟ ସମ୍ପୂର୍ଣ୍ଣ ଜଳି ଯାଇଥିଲା । ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସ୍ଥାନଟି ଏକ ମରୁଭୂମି ଅଞ୍ଚଳ।