ଭୁବନେଶ୍ବର ୨୯।୭: ପୂର୍ତ୍ତ ବିଭାଗ କାମରେ ବ୍ୟବହାର ହେବ AI । AI ବେସ୍ଡ ସଫ୍ଟଓ୍ବେୟାର ବ୍ୟବହାର କରିବେ ସରକାର । ଏନେଇ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ଟେଣ୍ଡର ମ୍ୟାନେଜମେଣ୍ଟ ପ୍ରକ୍ରିୟାକୁ ସଂପୂର୍ଣ୍ଣ ରୂପେ AI ବେସ୍ଡ ଏବଂ ଅନଲାଇନରେ କରିବ ପୂର୍ତ୍ତ ବିଭାଗ । ଦୁଇରୁ ଅଢେଇ ମାସ ଲାଗୁଥିବା ବିଡ୍ ମୂଲ୍ୟାୟନ ପ୍ରକ୍ରିୟା ୧ ସପ୍ତାହ ଭିତରେ ହୋଇପାରିବ । ଯାହାଦ୍ବାରା ଯଥାଶୀଘ୍ର ଆରମ୍ଭ ହୋଇପାରିବ ପ୍ରକଳ୍ପ କାମ । ଆଉ ପ୍ରକଳ୍ପ ଶେଷ ହେବାରେ ବିଳମ୍ୱ ହେବ ନାହିଁ । ଲୋକଙ୍କ ପାଖରେ କମ୍ ସମୟ ଭିତରେ ସେବା ପହଞ୍ଚିପାରିବ । ଏଥିପାଇଁ ଅନଲାଇନ ଆପ୍ଲିକେସନ କରିବା ଦିଗରେ ପଦକ୍ଷେପ ଆରମ୍ଭ କରାଯାଇଛି । ଏ ନେଇ ସୋମବାର ଏକ ରିସର୍ଚ୍ଚ ଟିମ୍ ସହ ବିଭାଗ ପକ୍ଷରୁ ଆଲୋଚନା କରାଯାଇଛି । ତେବେ ପ୍ରକଳ୍ପର ବିଡ୍ ଦାଖଲ ହେଲା ପରେ ବିଡ୍ ଗୁଡ଼ିକର ମୂଲ୍ୟାୟନ କରିବା, ଟେକ୍ନିକାଲ ବିଡ୍ ଏବଂ ଫାଇନାନ୍ସିଆଲର ତୁଳନା କରିବା, ରେସପନସିଭ୍ ବିଡ୍ ଅଛି କି ନାହିଁ ଅନୁଧ୍ୟାନ କରିବା ଓ ଟେଣ୍ଡରର ମୂଲ୍ୟାୟନ ପ୍ରକ୍ରିୟା ସଂପୂର୍ଣ୍ଣ ରୂପେ AI ଆଧାରିତ ସଫ୍ଟଓ୍ବେୟାରରେ ମନିଟର କରିବା ପାଇଁ ଖୁବ୍ଶୀଘ୍ର ନିଷ୍ପତି ନେବାକୁ ଯାଉଛନ୍ତି ସରକାର । ଏହିସବୁ ପ୍ରକ୍ରିୟା ପାଇଁ ଏ ପର୍ଯ୍ୟନ୍ତ ମାନୁଆଲି ହେଉଥିଲା । ଯାହା ଫଳରେ ପ୍ରକଳ୍ପର ଡିପିଆର ପ୍ରସ୍ତୁତ ହେବା ଠାରୁ ପ୍ରକଳ୍ପ କାମ ଆରମ୍ଭ ହେବା ପର୍ଯ୍ୟନ୍ତ ୪-୫ ମାସ ଲାଗିଯାଉଛି ।
ଓଡ଼ିଶାରେ କାମ କରିବାକୁ କଣ୍ଟ୍ରାକ୍ଟର ଡାଟା ବେସ୍ରେ ପଞ୍ଜିକରଣ କରିବେ ବାହାର ଏଜେନ୍ସୀ । ପଞ୍ଜିକରଣ ନକଲେ ଓଡ଼ିଶାରେ କୌଣସି ପ୍ରକଳ୍ପ କାମ କରି ପାରିବେନି ବାହାର କଣ୍ଟ୍ରାକ୍ଟର । ଖୁବଶୀଘ୍ର ଏ ନେଇ ନିଷ୍ପତି ନେବେ ସରକାର ।
ପୂର୍ତ୍ତ ବିଭାଗ କାମରେ ଇ- ପ୍ରୋକ୍ୟୁରମେଣ୍ଟ ପ୍ରକ୍ରିୟାକୁ ଅନଲାଇନ୍ କରିବା ସହ ସ୍ୱଚ୍ଛତା ଆଣିବେ ସରକାର । ଏଥିପାଇଁ ପ୍ରକ୍ରିୟା ଚାଲିଛି । ଏହାସହ କେଉଁ ପ୍ରକଳ୍ପର କେତେ କାମ ହୋଇଛି, ସେ ବାବଦରେ ଜାଣିବା ପାଇଁ ପ୍ରୋଜେକ୍ଟ ମନିଟରିଂ ଡ୍ୟାସ୍ବୋର୍ଡ କାମ ମଧ୍ୟ କରାଯାଇଛି ।
You Can Read: