ସଂସଦ ପରେ କୃଷି ବିଲ୍ ଉପରେ ମୋହର ମାରିଲେ ରାଷ୍ଟ୍ରପତି, ଆଇନରେ ହେଲା ପରିଣତ
27/09/2020 at 7:03 PM

ନୂଆଦିଲ୍ଲୀ ୨୭।୦୯: କୃଷକ ଓ ରାଜନୈତିକ ଦଳଗୁଡିକ ତରଫରୁ ଲଗାତାର ଜାରି ବିରୋଧ ମଧ୍ୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ମୌସୁମି ଅଧିବେଶନରେ ସଂସଦରେ ଗୃହୀତ କୃଷି ବିଧେୟକ ଉପରେ ମୋହର ମାରିଛନ୍ତି। କୃଷକ ଓ ସମସ୍ତ ବିରୋଧୀ ଦଳ ଏହି ବିଧେୟକ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ। ହେଲେ ତାଙ୍କ ଅପିଲ୍ ପ୍ରଭାବହୀନ ରହିଛି। ରାଷ୍ଟ୍ରପତି ଜାମ୍ମୁ-କାଶ୍ମୀର ସରକାରୀ ଭାଷା ବିଲ୍ ୨୦୨୦କୁ ମଧ୍ୟ ମଞ୍ଜୁରୀ ଦେଇଛନ୍ତି। ଏଥିସହ ଏହି ବିଧେୟକ ଆଇନତେ ପରିଣତ ହୋଇଛି।
କେନ୍ଦ୍ରର ମୋଦୀ ସରକାରରେ ସହଯୋଗୀ ରହିଥିବା ଶିରୋମଣି ଅକାଳି ଦଳ ମଧ୍ୟ ଏହି ବିଧେୟକକୁ ଜୋରଦାର ବିରୋଧ କରିଛି। ସଂସଦରେ ଦଳ ବିଧେୟକର ବିରୋଧ କରିବା ସହିତ କେନ୍ଦ୍ରରେ ମନ୍ତ୍ରୀ ରହିଥିବା ହରସିମରତ କୌର ବାଦଲ କ୍ୟାବିନେଟ୍ରୁ ଇସ୍ତଫା ଦେଇଥିଲେ। ଏହା ପରେ ସରକାରଙ୍କ ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ନଆସିବାରୁ ଦଳ ଏନଡିଏଠୁ ସଂପର୍କ ଛିନ୍ନ କରିଛି। ଅକାଳି ଦଳ ବ୍ୟତୀତ କଂଗ୍ରେସ ସମେତ ଅନେକ ରାଜନୈତିକ ଦଳ କୃଷି ବିଲ୍କୁ ବିରୋଧ କରିଥିଲେ। ଏହି ବିଧେୟକ ଉପରେ ଦସ୍ତଖତ ନକରିବାକୁ ରାଷ୍ଟ୍ରପତିଙ୍କୁ ଅନୁରୋଧ ମଧ୍ୟ କରିଥିଲେ। ମାତ୍ର ସେମାନଙ୍କ ଅପିଲ୍ କାମରେ ଆସିନାହିଁ।
ସଂସଦର ମୌସୁମି ଅଧିବେଶନରେ ଉପସ୍ଥାପିତ ତିନୋଟି କୃଷି ବିଧେୟକ ପୂର୍ବରୁ ସଂସଦର ଉଭୟ ଗୃହରୁ ଗୃହୀତ ହୋଇ ସାରିଛି। ଏବେ ରାଷ୍ଟ୍ରପତି ଏହା ଉପରେ ମୋହର ମାରିଛନ୍ତି। ଏହି ତିନି ବିଧେୟକ କରୋନା କାଳରେ ଜୁନ ୫ରେ ଘୋଷିତ ତିନି ଅଧ୍ୟାଦେଶର ସ୍ଥାନ ନେବେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଧେୟକ ଗୃହୀତ ହେବାକୁ ଭାରତୀୟ କୃଷି ଇତିହାସରେ ଐତିହାସିକ ଦିନର ଆଖ୍ୟା ଦେଇଥିଲେ। ସେ ଏହାରି ଉପରେ ଜୋର ଦେଇଥିଲେ ଯେ, ଏହି ବିଧେୟକ କୃଷି କ୍ଷେତ୍ରରେ ଆମୂଳଚୂଳ ପରିବର୍ତ୍ତନ ଆଣିବ। ଏଥିରେ କୃଷକଙ୍କ ଆୟ ଦ୍ଵିଗୁଣ କରିବାର ପ୍ରୟାସକୁ ଆହୁରି ମଜବୁତ କରିବ।