ଶାଶୁଘର ଯିବାବେଳେ ପ୍ରେମିକ ପାଇଁ ଉଚ୍ଛୁଳିଲା ପ୍ରେମ, ଅଧାରାସ୍ତାରେ ବରକୁ ଚକ୍‌ମା ଦେଇ ବୟଫ୍ରେଣ୍ଡ ସହ ଫେରାର

Published By : Prameya-News7 Bureau | July 07, 2022 IST

ବାରାଣାସୀ ୭।୭: କଥାଟା ଶୁଣିଲେ ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗିବ । କଥାଟି ଆଶ୍ଚର୍ଯ୍ୟ ହେଲେ ବି ସତ । ବାରାଣାସୀ ସେବାପୁରୀ ଜସ୍ନା ଗାଁରେ ଧୁମଧାମରେ ହୋଇଥିବା ବିବାହର ଏଭଳି ଅନ୍ତ ହେବ କେହି ଚିନ୍ତା ବି କରିନଥିବେ । ଯେଉଁଠି ଝିଅଘର ଲୋକ ମନ ଦୁଃଖରେ ଝିଅ ବିଦା କରି ନିଶ୍ଚିତ ହୋଇଯାଇଥିବା ବେଳେ ସେପଟେ ବୋହୂକୁ ସ୍ବାଗତ ପାଇଁ ପୁଅ ଘରେ ପ୍ରସ୍ତୁତି ଚାଲିଥିଲା । ସେହି ସମୟରେ ବିବାହ କରି ଶାଶୁଘର ଯାଉଥିବା ନବବଧୂଙ୍କର ପ୍ରେମିକ କଥା ମନେପଡିଯାଇଥିଲା । ସେ ପ୍ରେମିକଙ୍କୁ ଖବର ଦେଇଥିଲେ ଯେ ସେ ତାଙ୍କ ସ୍ବାମୀଙ୍କ ସହ ଶାଶୁଘର ଯାଉଛନ୍ତି । ପୁରା ଫିଲ୍ମ ଷ୍ଟାଇଲରେ ନବବଧୂ ଜଣଙ୍କ ବରଙ୍କୁ କାର୍‌ରେ ବସାଇ ସମ୍ପର୍କୀୟଙ୍କୁ ଦେଖା କରିବାକୁ ଯିବାକୁ କହି ଓହ୍ଲାଇ ପଡିଥିଲେ । ଅନ୍ୟ ଏକ କାର୍‌ରେ ବସି ନବବଧୂ ଫେରାର ହୋଇଯାଇଥିଲେ ।

ସେହି କାର୍‌ରେ ଉପସ୍ଥିତ ଥିବା ନବବଧୂଙ୍କ ପ୍ରେମିକ ତାଙ୍କୁ ନେଇ ଫେରାର ହୋଇଯାଇଥିଲେ । ନବବଧୂଙ୍କ ଗାଁ ନିକଟରେ ଏକ ପୋଲ ପାଖରେ ଏଭଳି ଘଟଣା ଘଟିଥିଲା । ଘଟଣା ପରେ ଯେତେବେଳେ ଏ ଖବର ବର ଜଣଙ୍କ କନ୍ୟା ଘରକୁ ଜଣାଇଥିଲେ ସେତେବେଳେ ଦୁଃଖର ବାଦଲ ଛାଇଯାଇଥିଲା । ଏହାକୁ ନେଇ ଗାଁରେ ଚର୍ଚ୍ଚା ଜୋର ଧରିଥିଲା ।

ଉଲ୍ଲେଖଯୋଗ୍ୟ ଯେ, ଜସ୍ନା ଅଞ୍ଚଳର ଏକ ଗାଁର ଯୁବତୀଙ୍କ ବିବାହ ଶନିବାର ରାତିରେ ବଡଗାଓଁ ବଲୁଆର ଯୁବକଙ୍କ ସହ ହୋଇଥିଲା । ଶନିବାର ଦିନ ଧୁମଧାମରେ ପ୍ରସେସନ କରି ବରଯାତ୍ରୀଙ୍କୁ ସାଙ୍ଗରେ ନେଇ ବର ଆସିଥିଲା । ବିବାହ ପରେ ରବିବାର ସକାଳେ ଝିଅ ବିଦା ହୋଇଥିଲେ ।

ବର ସହ କାର୍‌ରେ ନବବଧୂ ଶାଶୁଘର ଅଭିମୁଖେ ବାହାରିଥିବା ବେଳେ ଅଧା ରାସ୍ତାରେ ଫେରାର ହୋଇଯାଇଥିଲେ । କାର ଚାଳକ ନବବଧୂଙ୍କୁ ନେଇ ବଡଗାଓଁ ଅଭିମୁଖେ ଚାଲିଯାଇଥିଲା । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଯେଉଁ ଯୁବତୀଙ୍କର ବିବାହ ହୋଇଥିଲା ତାଙ୍କର ଅନ୍ୟ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା । ଉଭୟ ବିବାହ କରିବାକୁ ଚାହୁଁଥିଲେ । କିନ୍ତୁ ଘରଲୋକ ଏଥିରେ ରାଜି ନଥିଲେ । ସୁଯୋଗ ଦେଖି ଉଭୟ ଫେରାର ହୋଇଯାଇଥିଲେ । ଏହି ଘଟଣାକୁ ନେଇ ଜସ୍ନା ଥାନାରେ କୌଣସି ଅଭିଯୋଗ ହୋଇନାହିଁ । ଥାନା ଅଧିକାରୀ କହିଥିଲେ ଘଟଣା ସମ୍ପର୍କରେ କୌଣସି ଅଭିଯୋଗ ହୋଇନାହିଁ । ଯଦି ଅଭିଯୋଗ ଆସେ ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.