ଯଶପ୍ରୀତ ବୁମରାଙ୍କ ପରେ ଦୀପକ ଚହର ବି ଆହତ, ଦକ୍ଷିଣ ଆଫ୍ରିକା ସିରିଜ୍‌ରୁ ବାଦ୍ ପଡି ପାରନ୍ତି

Published By : Prameya-News7 Bureau | October 07, 2022 IST

ନୂଆଦିଲ୍ଲୀ: ଭାରତୀୟ ଦଳକୁ ପୁଣି ଲାଗିପାରେ ଜୋରଦାର ଝଟକା। କାରଣ ଦଳକୁ ଛାଡୁନି ଖେଳାଳିଙ୍କ ଆହତଜନିତ ସମସ୍ୟା। ଲକ୍ଷ୍ନୌରେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ମ୍ୟାଚ୍‌ ପୂର୍ବରୁ ଟ୍ରେନିଂ ସମୟରେ ଦୀପକ ଚହରଙ୍କୁ ଆଘାତ ଲାଗିଥିଲା। ଏବେ ତାଙ୍କର ପରବର୍ତ୍ତୀ ଦୁଇଟି ଦିନିକିଆ ମ୍ୟାଚ୍ ଖେଳିବାର ସମ୍ଭାବନା କମ ରହିଛି। ଚହର ପ୍ରଥମ ଦିନିକିଆ ବି ଖେଳିନଥିଲେ। ଉକ୍ତ ମ୍ୟାଚ୍‌ରେ  ଭାରତ ୯ ରନରେ ପରାସ୍ତ ହୋଇଥିଲା।

ବିସିସିଆଇର ଜନୈକ ଅଧିକାରୀ କହିଛନ୍ତି, ଦୀପକ ଚହରଙ୍କ ଗୋଇଠି ମୋଡି ହୋଇ ଯାଇଛି। ମାତ୍ର ଆହତ ସେତେଟା ଗମ୍ଭୀର ନୁହେଁ। କେବଳ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି। ତେଣୁ ଦଳ ପ୍ରବନ୍ଧକ ଏହି ନିଷ୍ପତ୍ତି ନେବେ ଯେ, ଚହରଙ୍କୁ ଖେଳାଇବା ଉଚିତ୍ ହେବ କି ନାହିଁ। କାରଣ ଦୀପକ ଚହର ଟି-୨୦ ବିଶ୍ଵ କପ୍‌ରେ ଷ୍ଟାଣ୍ଡବାଇ ଖେଳାଳିଙ୍କ ତାଲିକାରେ ସାମିଲ୍। ଯଦି ଅଷ୍ଟ୍ରେଲିଆରେ ଚହରଙ୍କ ଗୁରୁତ୍ଵ ରହିଛି ତେବେ ତାଙ୍କର ଆହତ ସମସ୍ୟାକୁ ବର୍ତ୍ତମାନ ପ୍ରାଥମିକତା ଦେବାକୁ ପଡିବ।

ବର୍ତ୍ତମାନ ଟି-୨୦ ବିଶ୍ଵକପ୍ ଦଳରେ ଯଶପ୍ରୀତ ବୁମରାଙ୍କ ସ୍ଥାନରେ ମହମ୍ମଦ ଶାମିଙ୍କୁ ଦଳରେ ସାମିଲ୍ କରାଯିବ। ଶାମି ଧିରେ ଧିରେ ଫିଟ୍ ହେବାରେ ଲାଗିଛନ୍ତି ଏବଂ ତାଙ୍କର ଆଗାମୀ ତିନିରୁ ଚାରି ଦିନରେ ଅଷ୍ଟ୍ରେଲିଆ ଗସ୍ତ କରିବାର ଆଶା ରହିଛି।

ଅନ୍ୟପକ୍ଷେ ମୁକେଶ ଚୌଧୁରୀ ଏବଂ ଚେତନ ସକାରିଆ ନେଟ୍ ବୋଲର ହିସାବରେ ଟି-୨୦ ଦଳରେ ଯୋଗ ଦେଇଛନ୍ତି। ଦୁଇ ଖେଳାଳି ଗତକାଲି ଦଳ ସହିତ ଅଷ୍ଟ୍ରେଲିଆ ଗସ୍ତ କରିଛନ୍ତି। ଭାରତ ଅକ୍ଟୋବର ୧୦ ଏବଂ ଅକ୍ଟୋବର ୧୩ରେ ପର୍ଥରେ ଦୁଇଟି ଅଭ୍ୟାସ୍ ମ୍ୟାଚ୍ ଓ୍ଵେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଇଲେଭନ ବିପକ୍ଷରେ ଖେଳିବ।

ଏହା ପରେ ଦଳ ବ୍ରିସବେନ ଗସ୍ତ କରିବ। ସେଠାରେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ଅକ୍ଟୋବର ୧୭ ଏବଂ ୧୯ରେ ଦୁଇଟି ଆନୁଷ୍ଠାନିକ ଅଭ୍ୟାସ୍ ମ୍ୟାଚ୍ ଖେଳିବ। ଅକ୍ଟୋବର ୨୩ରେ ରୋହିତ ବାହିନୀ ଚିର ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳି ନିଜର ବିଶ୍ଵ କପ୍ ଅଭିଯାନ ଆରମ୍ଭ କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.