ପୋଲିସ ହେପାଜତରେ ଅଭିଯୁକ୍ତର ମୃତ୍ୟୁ ମାମଲା, ସଲମାନ ଖାନଙ୍କୁ କୋର୍ଟରୁ ମିଳିଲା ଆଶ୍ବସ୍ତି

Published By : Prameya-News7 Bureau | June 10, 2024 IST

ନୂଆଦିଲ୍ଲୀ: ଏପ୍ରିଲ ୧୪ରେ ବଲିଉଡ୍‌ ଅଭିନେତା ସଲମାନଙ୍କ ଘର ଉପରକୁ ଗୁଳିମାଡ଼ ହୋଇଥିଲା। ଏହି ସମୟରେ ଘରେ ସଲମାନଙ୍କ ସହ ତାଙ୍କ ପରିବାର ମଧ୍ୟ ରହିଥିଲେ। ଏହି ଘଟଣା ବେଶ୍‌ ଚର୍ଚ୍ଚା ମଧ୍ୟ ହୋଇଥିଲା। 

ତେବେ ଏହି ମାମଲା‌ରେ ଧରାପଡ଼ିଥିବା ଅପରାଧୀ ଅନୁଜ ଥାପନ୍‌ର ପୋଲିସ ହେପାଜତ ସମୟରେ ମୃତ୍ୟୁ ହୋଇଯାଇଥିଲା। ଯାହା ପରେ ଅନୁଜର ମାଆ ରୀତା ଦେବୀ ସିବିଆଇ ଯାଞ୍ଚ ଦାବି କରି ବମ୍ବେ ହାଇକୋର୍ଟରେ ଏକ ଆବେଦନ କରିଥିଲେ। ହେଲେ ଏବେ ବମ୍ବେ ହାଇକୋର୍ଟରୁ ସଲମାନଙ୍କ ପାଇଁ ଆଶ୍ବସ୍ତିକର ଖବର।କାରଣ ସୋମବାର ଅଦାଲତ ଆବେଦନରୁ ସଲମାନ ଖାନ୍‌ଙ୍କ ନାଁ ହଟାଇବାକୁ ଆଦେଶ ଦେଇଛନ୍ତି। ବିଚାରପତି ରେବତି ମୋହିତେ ଦେରେ ଏବଂ ଶ୍ୟାମ ଚନ୍ଦକଙ୍କ ଖଣ୍ଡପୀଠ ଆବେଦନକାରୀ ରୀତା ଦେବୀଙ୍କୁ, ଯାଚିକାରୁ ସଲମାନଙ୍କ ନାଁ ହଟାଇବାକୁ ଆଦେଶ ଦେଇଛନ୍ତି। 

ସୂଚନାଯୋଗ୍ୟ, ଏପ୍ରିଲ ୧୪ରେ ଏକ ମୋଟରସାଇକେଲରେ ଦୁଇ ଜଣ ଅଭିଯୁକ୍ତ ସଲମାନ ଖାନଙ୍କ ଘର ଗାଲାକ୍ସୀ ଆପାର୍ଟମେଣ୍ଟ ସମ୍ମୁଖରେ ଫାୟାରିଂ କରିଥିଲେ। ଆଉ ପୋଲିସ ଏହି ଫାୟାରିଂ ମାମଲାରେ ଅଭିଯୁକ୍ତ ଭିକି ଗୁପ୍ତା ଏବଂ ସାଗର ପାଲଙ୍କୁ ଗୁଜରାଟରୁ ଗିରଫ କରିଥିଲା। 

ଏହି ମାମଲାରେ ଯାଞ୍ଚ ସମୟରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ଏପ୍ରିଲ ୨୫ରେ ପଞ୍ଜାବରୁ ଅନୁଜ ଥାପନ ଏବଂ ଅନ୍ୟ ଜଣକୁ ଗିରଫ କରିଥିଲା  ଏହି ଦୁହିଁଙ୍କ ଉପରେ ଅଭିଯୋଗ ରହିଥିଲା ଯେ, ସେ ସଲମାନ ଖାନଙ୍କ ଘରେ ଗୁଳିମାଡ଼ କରିଥିବା ଅଭିଯୁକ୍ତକୁ ହତିଆର ଯୋଗାଇଥିଲା। ତେବେ ପୋଲିସ ହେପାଜତରେ ଥିବା ସମୟରେ ଅନୁଜଙ୍କ ଶବ ମେ ୧ରେ କ୍ରାଇମବ୍ରାଞ୍ଚ ପୋଲିସର ଲକଅପ୍‌ର ଶୌଚାଳୟରେ ମିଳିଥିଲା। 

ଆହୁରି ମଧ୍ୟ, ଅନୁଜ ଥାପନର ପୋଲିସ ହେପାଜତରେ ମୃତ୍ୟୁ ମାମଲାରେ ପୋଲିସ ଏବଂ ପରିବାର ଭିନ୍ନ ଭିନ୍ନ ଦାବି କରିଛନ୍ତି।କ୍ରାଇମବ୍ରାଞ୍ଚ ଦାବି କରିଛି ଯେ, ଅନୁଜ ଥାପନ ନିଜେ ନିଜର ଜୀବନ ନେଇଛି। ସେହିଭଳି ଅନୁଜର ମାଆ ଆବେଦନରେ ଦାବି କରିଛନ୍ତି ଯେ,  ତାଙ୍କ ପୁଅକୁ ହତ୍ୟା କରାଯାଇଛି। ସେ ମାରପିଟ୍ ଏବଂ ନିର୍ଯ୍ୟାତନା ଦିଆଯାଇଥବା କଥା ମଧ୍ୟ ଉଠାଇଛନ୍ତି। ଆଉ ଏହାକୁ ନେଇ ସିବିଆଇ ଯାଞ୍ଚ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.