ଜେଲରେ ୯ କଏଦୀ ଏଚଆଇଭି ପଜିଟିଭ୍ : ୧୨୦୦ ଅନ୍ତେବାସୀଙ୍କର ହୋଇଥିଲା ଟେଷ୍ଟ୍, ରିପୋର୍ଟ ଆସିବା ପରେ ଆତଙ୍କର ବାତାବରଣ

Published By : Prameya-News7 Bureau | March 13, 2021 IST

ଗୋରଖପୁର, ୧୩|୦୩:  ଉତ୍ତର ପ୍ରଦେଶର ଗୋରଖପୁର ଜିଲ୍ଲା କାରାଗାରରେ ମାରାତ୍ମକ ଏଚଆଇଭି ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି । ଜେଲରେ ଏଚଆଇଭି ଟେଷ୍ଟରେ ୯ ଜଣ କଏଦୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ଜେଲ ପରିସରରେ ଭୟର ବାତାବରଣ ଖେଳିଯାଇଛି । ତେବେ କେବେଠାରୁ କଏଦୀମାନେ ଏଚଆଇଭି ପଜିଟିଭ୍ ତାହା ସ୍ପଷ୍ଟ ହୋଇନାହିଁ । ମାମଲା ସାମ୍ନାକୁ ଆସିବା ପରେ ଜେଲ୍ ପ୍ରଶାସନ କଏଦୀଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା କରୁଛି ।

ମାଇକ୍ରୋବାୟୋଲୋଜି ବିଭାଗର ଡାକ୍ତର ଅମରେଶ ସିଂ କହିଛନ୍ତି ଯେ, ଜେଲରେ ଥିବା ୧୨୦୦ କଏଦୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହାମଧ୍ୟରୁ ୯ କଏଦୀ ପଜିଟିଭ୍ ଚିହ୍ନଟ ହୋଇଥିଲେ । ରିପୋର୍ଟ ଆସିବା ପରେ ସେମାନଙ୍କର ଚିକିତ୍ସା ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି ।

ଡାକ୍ତର ଆହୁରି ମଧ୍ୟ କହିଛନ୍ତି ଯେ, କେବେଠାରୁ କଏଦୀମାନେ ଏଚଆଇଭି ସଂକ୍ରମିତ ହେଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ । କାରଣ ତଦନ୍ତରେ ଏବାବଦରେ ତଥ୍ୟ ମିଳିପାରି ନାହିଁ । ପୂର୍ବରୁ ମଧ୍ୟ କିଛି କଏଦୀ ପଜିଟିଭ୍ ଚିହ୍ନଟ ହୋଇଥିଲେ । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ଯେ, କରୋନା ଦୃଷ୍ଟିରୁ କଏଦୀଙ୍କୁ ସେମାନଙ୍କ ପରିବାର ଲୋକେ ମଧ୍ୟ ଭେଟିବାକୁ ଆସୁନାହାଁନ୍ତି ।

ଜେଲ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ,ଗତ ୧ ବର୍ଷ ଧରି କଏଦୀଙ୍କୁ ଦେଖା କରିବା ଉପରେ କଟକଣା ଲାଗିଛି । ଏହାମଧ୍ୟରେ ୯ ଜଣ କଏଦୀ ଏଚଆଇଭି ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ବିଭାଗର ତତ୍ୱାବଧାନରେ ସେମାନଙ୍କର ଚିକିତ୍ସା ଚାଲିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.