ପୁରୀରେ ପୋଲିସର ବର୍ବରତା: ଗଣମାଧ୍ୟମ ପକ୍ଷରୁ ୯ଟି ମାମଲା ରୁଜୁ, ଜିଲ୍ଲାପାଳ ଓ ଏସପି ଦେଲେ କାର୍ଯ୍ୟାନୁଷ୍ଠାନ ପ୍ରତିଶୃତି

Published By : Prameya-News7 Bureau | September 29, 2018 IST

ପୁରୀ ୨୯|୯: ଗତକାଲି ପୁରୀ ପୋଲିସର ବର୍ବରତା ପ୍ରତିବାଦରେ ଆଜି ଦେଖିବାକୁ ମିଳିଥିଲା ସାଧାରଣ ଜନତାଙ୍କ ଆକ୍ରୋଶ ।  ଶହଶହ ଲୋକ ଆଜି ଡ଼ାକ୍ତରଖାନା ଛକ ନିକଟରେ ରାସ୍ତାରୋକ କରିବା ସହ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ସେପଟେ ପୋଲିସ ଆକ୍ରମଣର ଶିକାର ହୋଇଥିବା ଗଣମାଧ୍ୟମ ପ୍ରତିନିଧି ମାନେ ମଧ୍ୟ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଗଣମାଧ୍ୟମ ପକ୍ଷରୁ ୯ଟି ମାମଲା ରୁଜୁ କରାଯାଇଥିବା ବେଳେ ଏସପି ଘଟଣା ପାଇଁ ଦୁଃଖ ପ୍ରକାଶ କରିବା ସହ କାର୍ଯ୍ୟାଷ୍ଠାନର ପ୍ରତିଶ୍ରୁତି ଦେଇଥିଲେ । ଆଉ ଘଟଣାର ବିଧିବଦ୍ଧ ତଦନ୍ତ କରାଯିବ କହିଛନ୍ତି ଜିଲ୍ଲାପାଳ । ପୋଲିସର ଆକ୍ସନ ବିରୋଧରେ ଜନ ଆକ୍ରୋଶ । ଶହ ଶହ ଲୋକଙ୍କ ବିକ୍ଷୋଭ ପ୍ରଦର୍ଶନ । ବଡ଼ଦାଣ୍ଡରେ ରାସ୍ତାରୋକ । ଗତକାଲି ପୁରୀ ପୋଲିସର ବର୍ବରତା ବିରୋଧରେ ଆଜି ରାସ୍ତାକୁ ଓହ୍ଲାଇଥିଲେ ଲୋକେ । ଭଙ୍ଗାରୁଜା ହୋଇଥିବା ପେଟ୍ରୋଲ ପମ୍ପ ନିକଟରେ ଲୋକମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଡ଼ାକ୍ତରଖାନା ଛକରେ ରାସ୍ତାରୋକ କରିଥିଲେ । ଏପଟେ ପୋଲିସର ଅମାନୁଷିକ କାର୍ଯ୍ୟକୁ ବିରୋଧ କରି ଗଣମାଧ୍ୟମ ପ୍ରତିନିଧିମାନେ ଏସପି ଅଫସ ସମ୍ମୁଖରେ ଧାରଣାରେ ବସିଥିଲେ । ପୋଲିସ ମାଡ଼ରେ ଆହତ ଗଣମାଧ୍ୟମ ପ୍ରତିନିଧିଙ୍କ ପକ୍ଷରୁ କୁମ୍ଭାରପଡ଼ା ଥାନାରେ ଦାୟର କରାଯାଇଛି ୯ଟି ଏତଲା। ଅନ୍ୟପକ୍ଷରେ ଗତକାଲି ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପାଇଁ ଦୁଃଖ ପ୍ରକାଶ କରିଛନ୍ତି ଏସପି ସାର୍ଥକ ଷଡ଼ଙ୍ଗୀ । ସିସିଟିଭି ଫୁଟେଜ ଯାଞ୍ଚ କରାଯାଇ ଅଭିଯୁକ୍ତ ପୋଲିସ କର୍ମଚାରୀ ଓ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନର ପ୍ରତିଶ୍ରୁତି ଦେଇଛନ୍ତି । ଏଥି ସହ ଆହତ ଗଣମାଧ୍ୟମ ପ୍ରତିନିଧିଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ । ଆଉ ଘଟଣାର ବିଧିବଦ୍ଧ ତଦନ୍ତ କରାଯିବା ସହ ପେଟ୍ରୋଲ ପମ୍ପ ବିରୋଧରେ ଅନୀୟମିତତା ଅଭିଯୋଗର ମଧ୍ୟ ତଦନ୍ତ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ପୁରୀରେ ନିରୀହ ଜନସାଧାରଣ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ପୋଲିସର ଏଭଳି ଆକ୍ରମଣକୁ ନେଇ ବିଭିନ୍ନ ମହଲରେ  ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.