କରୋନାରେ ଅର୍ଥବ୍ୟବସ୍ଥା ବେହାଲ, ୮୬ ପ୍ରତିଶତ ଭାରତୀୟଙ୍କୁ ଘାରିଛି ଚାକିରି ଚାଲି ଯିବାର ଭୟ: ସର୍ଭେ

Published By : Prameya-News7 Bureau | May 05, 2020 IST

ନୂଆଦିଲ୍ଲୀ ୦୫।୦୫: କରୋନାର ପ୍ରକୋପ୍ ଭାରତ ସହିତ ପୂରା ଦୁନିଆର ଅର୍ଥବ୍ୟବସ୍ଥା ଉପରେ ଗୁରୁତର ପ୍ରଭାବ ପକାଇଛି। କାରବାର-ଶିଳ୍ପ ଜଗତ ସହିତ ନଗଦର ଘୋର ଅଭାବ ରହିଛି। ଏମିତି ସ୍ଥିତିରେ ଅନେକ କମ୍ପାନୀରେ ଲୋକଙ୍କ ଦରମା କାଟ, ଛଟେଇ ଆରମ୍ଭ ହୋଇ ଯାଇଛି। ଏହି କାରଣରୁ ୮୬ ପ୍ରତିଶତ ଲୋକଙ୍କୁ ନିଜର ଚାକିରି ଚାଲି ଯିବାର ଭୟ ଘାରିଛି।

ବ୍ରିଟିଶ ରିସର୍ଚ୍ଚ ଫର୍ମ କସବି ଟେକ୍ସଟର ଗ୍ରୁପର ଏକ ସର୍ଭେରେ ଏହି ତଥ୍ୟ ଦିଆଯାଇଛି। ସର୍ଭେ ଅନୁସାରେ କୋଭିଡ୍-୧୯ ମହାମାରୀ କାରଣରୁ ଲୋକେ ନିଜର ଚାକିରି ଏବଂ ଆଜୀବିକାକୁ ନେଇ ଚିନ୍ତାରେ ପଡିଛନ୍ତି।

ସର୍ଭେରେ ସାମିଲ ୮୪ ପ୍ରତିଶତ ଲୋକଙ୍କ କହିବା କଥା ଏହି ମହାମାରୀ ଏବେ ନିଜର ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି ଏବଂ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଅନ୍ୟପଟେ ବ୍ରିଟେନ୍‌ ଓ ଅଷ୍ଟ୍ରେଲିଆର ଲୋକଙ୍କ କହିବା କଥା ମହାମାରୀ ଏବେ ଶେଷ ପର୍ଯ୍ୟାୟରେ ରହିଛି। କିନ୍ତୁ ହଂକଂ ଲୋକଙ୍କ କହିବା ଅନୁଯାୟୀ ଭାଇରସ୍‌ ପ୍ରଥମରୁ ହିଁ ନିୟନ୍ତ୍ରଣରେ ରହିଛି।

ସବୁଠୁ ଗୁରୁତ୍ଵପୂର୍ଣ୍ଣ କଥା ସର୍ଭେରେ ସାମିଲ ଭାରତୀୟଙ୍କ ମଧ୍ୟରୁ ୮୬ ପ୍ରତିଶତ ଲୋକ ନିଜର ଚାକିରିକୁ ନେଇ ଚିନ୍ତିତ ଅଛନ୍ତି। ଏହାର ତୂଳନାରେ ବ୍ରିଟେନ୍‌ରେ କେବଳ ୩୧ ପ୍ରତିଶତ, ଅଷ୍ଟ୍ରେଲିଆରେ ୩୩ ପ୍ରତିଶତ, ଆମେରିକାରେ ୪୧ ପ୍ରତିଶତ ଓ ହଂକଂରେ ୭୧ ପ୍ରତିଶତ ଲୋକଙ୍କୁ ଚାକିରି ଚାଲି ଯିବାର ଭୟ ଘାରିଛି।

ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ବ୍ରିଟିଶ ରିସର୍ଚ୍ଚ ଫର୍ମ କ୍ରସବି ଟେକ୍ସଟର ଗ୍ରୁପ ଏପ୍ରିଲ ୨୩ ରୁ ୨୭ ମଧ୍ୟରେ ଭାରତ, ଆମେରିକା, ବ୍ରିଟେନ୍, ଅଷ୍ଟ୍ରେଲିଆ ଓ ହଂକରେ ଏହି ସର୍ଭେ କରାଇଥିଲା।

୮୪ ପ୍ରତିଶତ ଲୋକ ମୋଦୀଙ୍କ କାମରେ ସନ୍ତୁଷ୍ଟ

ସର୍ଭେରେ ସାମିଲ ୮୪ ପ୍ରତିଶତ ଲୋକ ମୋଦୀ ସରକାରଙ୍କ କାର୍ଯ୍ୟଶୈଳୀରେ ସନ୍ତୋଷ ବ୍ୟକ୍ତ କରିଛନ୍ତି। ସରକାର ଯେଉଁଭଳି ଭାବେ ମହାମାରୀର ମୁକାବିଲା କରୁଛନ୍ତି ସର୍ଭେରେ ସାମିଲ ୮୪ ପ୍ରତିଶତ ଭାରତୀୟ ସନ୍ତୁଷ୍ଟ ଅଛନ୍ତି। ଏହାର ତୂଳନାରେ ଆମେରିକାରେ ଟ୍ରମ୍ପ ସରକାର ପ୍ରତି ୪୩ ପ୍ରତିଶତ, ବ୍ରିଟେନ୍‌ରେ ୫୬ ପ୍ରତିଶତ, ହଂକଂରେ ୫୩ ପ୍ରତିଶତ ଓ ଅଷ୍ଟ୍ରେଲିଆରେ ୭୧ ପ୍ରତିଶତ ଲୋକ ମହାମାରୀ ମୁକାବିଲାରେ ସରକାରଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.