ଘରେ ଛାଡ଼ିଦେବି କହି ୮ ବର୍ଷର ଝିଅକୁ ନେଇ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ, ୮ ବର୍ଷ ଜେଲ ଦଣ୍ଡ ଶୁଣାଇଲେ କୋର୍ଟ

Published By : Prameya-News7 Bureau | October 15, 2022 IST

ସୁନ୍ଦରଗଡ଼, ୧୫/୧୦: ସୁନ୍ଦରଗଡ଼ ପକ୍ସୋ କୋର୍ଟ ଜଣେ ଶିଶୁ କନ୍ୟା ଦୁଷ୍କର୍ମକାରୀ ଅଭିଯୁକ୍ତକୁ ଜେଲ ଦଣ୍ଡ ଶୁଣାଇଛନ୍ତି । ବଣାଇ ଥାନା ବଉଁରକେଲାର ଅଲେଖ ପାତ୍ରକୁ ଦୋଷୀ ସାବ୍ୟସ୍ତ କରି ୮ ବର୍ଷ ଜେଲ୍ ଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ଆଦେଶ ଶୁଣାଇଛନ୍ତି କୋର୍ଟ। ମାମଲା ଅନୁସାରେ, ଗତ ୨୦୧୬ ଜୁଲାଇ ୧୪ ତାରିଖ ସନ୍ଧ୍ୟାରେ ୮ ବର୍ଷର ନାବାଳିକା ପୀଡ଼ିତାଙ୍କ ସହ ତାଙ୍କ ବାପା ଗାଁ ଦାଣ୍ଡରେ ଗୁପଚୁପ୍ ବିକୁଥିଲେ । ବର୍ଷା ହେବାରୁ ସେଠାରେ ଛିଡ଼ା ହୋଇଥିବା ଅଲେଖ ପାତ୍ର ଛତା ଟେକି ଝିଅକୁ ଘରେ ଛାଡ଼ି ଦେବ କହି ଗାଁ ସ୍କୁଲ ଗୃହକୁ ନେଇ ଯାଇଥିଲା। ସେଠାରେ ତଣ୍ଟି ଚିପି ଝିଅକୁ ଦୁଷ୍କର୍ମ କରିଥିଲା। ଫେରିବାରେ ବିଳମ୍ବ ହେବାରୁ ଗୁପଚୁପ ବିକାଳିଙ୍କ ସ୍ତ୍ରୀ ଝିଅକୁ ଖୋଜିବାକୁ ସ୍କୁଲ ପାଖକୁ ଯିବା ପରେ ଅଲେଖ ତାକୁ ଛାଡ଼ି ଦୌଡ଼ି ପଳାଇଥିଲା।

ପୀଡ଼ିତା ସବୁ କଥା କହିବା ପରେ ବଣାଇଁ ଥାନାରେ ବାପା ଏତଲା ଦେଇଥିଲେ। ପୁଲିସ ଦୁଷ୍କର୍ମ ଓ ଶିଶୁ ଯୌନ ନିର୍ଯାତନା ସୁରକ୍ଷାର ଆଇନରେ ମାମଲା ରୁଜୁ କରିବା ସହ ଜୁଲାଇ ୧୫ରେ ଅଲେଖକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ମାମଲାର ବିଚାର ଚାଲିଥିବା ବେଳେ ୨୦୧୭ ନଭେମ୍ବର ୧ରେ କୋର୍ଟ ସାକ୍ଷ୍ୟ ଗ୍ରହଣ ଏବଂ ୨୦୨୨ ଅକ୍ଟୋବର ୧୩ରେ ଜବାବ ସୁଆଲ ପରେ ୧୫ ତାରିଖରେ ଅତିରିକ୍ତ ଜିଲ୍ଲା ଜଜ୍ ତଥା ପକ୍ସୋ ଜଜ୍ ଦଣ୍ଡ ବିଧାନ କରିଥିଲେ। ପିପି ଦେବାଶିଷ ମିଶ୍ର ମାମଲାର ପରିଚାଳନା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.