ନୂଆଦିଲ୍ଲୀ: ୨୦୨୭ ଅଗଷ୍ଟ ୨ରେ ଦୁନିଆରେ ଐତିହାସିକ ସୂର୍ଯ୍ୟ ପରାଗ ହେବାକୁ ଯାଉଛି । ସୂର୍ଯ୍ୟ ଚୁଲକାଳି ଖେଳିବ ଏବଂ ବିଶ୍ୱକୁ ଛଅ ମିନିଟ୍ ଯାଏ ଅନ୍ଧାର କରି ଦେବ । ଇତିହାସର ସବୁଠାରୁ ବଡ଼ ପୂର୍ଣ୍ଣ ସୂର୍ଯ୍ୟ ପରାଗ ଖ୍ରୀଷ୍ଟପୂର୍ବ ୭୪୩ ଜୁନ୍୧୫ରେ ଘଟିଥିଲା । ସେତେବେଳେ ସାରା ବିଶ୍ୱ ୭ ମିନିଟ୍ ୨୮ ସେକେଣ୍ଡ ପାଇଁ ଅନ୍ଧାର ହୋଇ ଯାଇଥିଲା । ୨୦୨୭ରେ ହେବାକୁ ଥିବା ସୂର୍ଯ୍ୟ ପରାଗର ସମ୍ପୂର୍ଣ୍ଣ ପଥ ପ୍ରାୟ ୨୭୫ କିଲୋମିଟର ଚଉଡ଼ା ଏବଂ ଏହା ଅନେକ ମହାଦେଶକୁ ଅନ୍ଧାର କରିବ । ଏହାକୁ ‘ଗ୍ରେଟ୍ ନର୍ଥ ଆଫ୍ରିକୀୟ ଇକ୍ଲିପ୍’ ମଧ୍ୟ କୁହାଯାଉଛି । ଏହା ଆଫ୍ରିକାର ଅନେକ ଦେଶକୁ କଭର କରିବ । ୨୦୨୭ ଅଗଷ୍ଟରେ ହେବାକୁ ଥିବା ସୂର୍ଯ୍ୟ ପରାଗ ଏହାର ସମୟ ପାଇଁ ସ୍ୱତନ୍ତ୍ର । କାରଣ ଆଗାମୀ ୧୦୦ ବର୍ଷରେ ଏପରି ବିରଳ ମହାକାଶୀୟ ଘଟଣା ଘଟିବ ନାହିଁ । ୨୧୧୪ରେ ଏପରି ଖଗୋଳୀୟ ଘଟଣା ଘଟିବ । ଏହି ପରାଗ ଆଟଲାଣ୍ଟିକ ମହାସାଗର ଉପରେ ଆରମ୍ଭ ହେବ । ପରେ ଜିବ୍ରାଲ୍ଟର ପ୍ରଣାଳୀ, ଦକ୍ଷିଣ ସ୍ପେନ, ଉତ୍ତର ଆଫ୍ରିକା ଦେଇ ଯିବ ଏବଂ ଆରବୀୟ ଉପଦ୍ୱୀପ ମଧ୍ୟ ଦେଇ ଯାତ୍ରା କରିବ । ଶେଷରେ ଏହା ଭାରତ ମହାସାଗର ଉପରେ ଫିକା ହୋଇଯିବ । ପରାଗର ବିଶାଳ ପଥ ଯୋଗୁଁ ଲକ୍ଷ ଲକ୍ଷ ଲୋକ ଏହାକୁ ଦେଖିପାରିବେ ।
ସୂର୍ଯ୍ୟ, ଚନ୍ଦ୍ର ଏବଂ ପୃଥିବୀର ଏକ ବିରଳ ମହାଜାଗତିକ ସଂରଚନା ଯୋଗୁଁ ‘ଗ୍ରେଟ୍ ନର୍ଥ ଆଫ୍ରିକୀୟ ଇକ୍ଲିପ୍’ ହେବ । ପୃଥିବୀ ଏଫେଲିଅନରେ ରହିବ, ଯାହା ସୂର୍ଯ୍ୟଠାରୁ ସବୁଠାରୁ ଦୂରରେ ଅବସ୍ଥିତ । ଯେଉଁଠାରୁ ସୂର୍ଯ୍ୟ ଛୋଟ ଦେଖାଯିବ । ଏହି ସମୟରେ, ଚନ୍ଦ୍ର ପେରିଜିରେ ରହିବ, ଯାହା ପୃଥିବୀର ସବୁଠାରୁ ନିକଟତମ ବିନ୍ଦୁ । ଫଳରେ ଏହା ବଡ଼ ଦେଖାଇବ । ଚନ୍ଦ୍ର ବିଷୁବେରଖା ନିକଟରେ ଗୋଟିଏ ପଥରେ ନିଜର ଛାଇ ପକାଇବ ଓ ଧୀରେ ଧୀରେ ଗତି କରିବ । ଫଳରେ ଦୀର୍ଘ ସମୟ ଯାଏ ପୂର୍ଣ୍ଣ ସୂର୍ଯ୍ୟ ପରାଗ ଦୃଶ୍ୟମାନ ରହିବ ।
୨୦୨୭ ସୂର୍ଯ୍ୟ ପରାଗ ଆଟଲାଣ୍ଟିକ ମହାସାଗରରେ ଆରମ୍ଭ ହୋଇ ଷ୍ଟ୍ରେଇଟ୍ ଅଫ୍ ଜିବ୍ରାଲ୍ଟରରେ ସ୍ଥଳଭାଗକୁ ଆସିବ । ଏହା ପ୍ରଥମେ ଦକ୍ଷିଣ ସ୍ପେନ, ଜିବ୍ରାଲ୍ଟର ଏବଂ ମରୋକ୍କୋରେ ଦୃଶ୍ୟମାନ ହେବ । ଆଲଜେରିଆ, ଟ୍ୟୁନିସିଆ, ଲିବିଆ ଏବଂ ମିଶର ଆକାଶରେ ସୂର୍ଯ୍ୟ ସର୍ବୋଚ୍ଚ ସ୍ଥାନରେ ଥିବା ସମୟରେ ଗ୍ରହଣ ହେବ । ଏହା ପରେ ଲୋହିତ ସାଗର ପାର ହୋଇ ସାଉଦି ଆରବ, ୟେମେନ ଏବଂ ସୋମାଲିଆକୁ ଅନ୍ଧାରରେ ବୁଡ଼ାଇ ଦେବ । ସ୍ପାନିସ୍ ସହର କାଡିଜ୍ ଏବଂ ମାଲାଗାରେ, ଚାରି ମିନିଟରୁ ଅଧିକ ସମୟ ପାଇଁ ସମ୍ପୂର୍ଣ୍ଣ ଅନ୍ଧାର ରହିବ । ସୂର୍ଯ୍ୟ ପରାଗ ଦେଖିବା ପାଇଁ ସବୁଠୁ ଭଲ ସ୍ଥାନ ହେଉଛି ମରକ୍କୋର ଟାଙ୍ଗିଅର ଏବଂ ଟେଟୌଆନ୍ । ଏହି ଦୁଇ ସ୍ଥାନ ସୂର୍ଯ୍ୟ ପରାଗର କେନ୍ଦ୍ରୀୟ ଛାଇ ତଳେ ରହିବ । ଲିବିୟାର ବେନଗାଜିରେ ଆକାଶ ପ୍ରାୟ ପାଞ୍ଚ ମିନିଟ୍ ପର୍ଯ୍ୟନ୍ତ ଅନ୍ଧାର ରହିବ । ଇଜିପ୍ଟର ଐତିହାସିକ ସହର ଲକ୍ସର ଆକାଶର ସବୁଠୁ ଅଧିକ ୬ ମିନିଟ ଯାଏ ଅନ୍ଧାର ରହିବ । ତେବେ ୨୦୨୭ରେ ହେବାକୁ ଥିବା ଏହି ମହାଜାଗତିକ ଘଟଣାର ସାକ୍ଷୀ ଭାରତୀୟ ହେବେନି ।