କର୍ତ୍ତବ୍ୟପଥରେ ପରାକ୍ରମ ଦେଖାଇବେ ୫୦ ବିମାନ, ୯ ରାଫେଲ ଦେଖାଇବେ ଜଲଓ୍ବା

Published By : Prameya-News7 Bureau | January 19, 2023 IST

ନୂଆଦିଲ୍ଲୀ, ୧୯/୦୧: କର୍ତ୍ତବ୍ୟପଥରେ ପରାକ୍ରମ ଦେଖାଇବେ ଭାରତୀୟ ସେନାର ୫୦ ବିମାନ। ୭୪ତମ ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ କର୍ତ୍ତବ୍ୟପଥରେ ଆୟୋଜିତ ହେବାକୁ ଥିବା ପରେଡ୍‌ରେ ନିଜର ଜଲଓ୍ବା ଦେଖାଇବେ ସେନାର ୫୦ ଲଢ଼ୁଆ ବିମାନ। ଏହି ୫୦ ବିମାନ ମଧ୍ୟରେ ୯ ରାଫେଲ୍‌ ବିମାନ ଏବଂ ନୌସନାର IL-୩୮ ବିମାନ ମଧ୍ୟ ଅଛନ୍ତି। IL-୩୮ ପ୍ରଥମ ଥର ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ସାମିଲ୍‌ ହେଉଛି ।

ଚାରିଟି ରାଫେଲ ବିମାନ ନେତ୍ର ଫର୍ମେସନ (Netra Formation), ଏକ ସି-୧୩୦ ଏୟାରକ୍ରାଫ୍ଟ ସହ ଅନ୍ୟ ଚାରିଟି ରାଫେଲ ବିମାନ ବଜରଙ୍ଗ ଫର୍ମେସନ (Vajrang Formation), ଏବଂ ଅନ୍ୟ ଏକ ରାଫେଲ ବିମାନ ଶେଷରେ ଫ୍ଲାଏପାଷ୍ଟ ସମୟରେ ’ଭର୍ଟିକାଲ୍ ଚାର୍ଲି’ରେ ଯୋଗଦେବ। ନୌସେନାର ଆଇଏଲ-୩୮ ବିମାନ ଦୀର୍ଘ ୪୨ ବର୍ଷ ଧରି ସେବାରେ ରହିଛି। ଆଇଏଲ-୩୮ ପରି, ‘ଭୀମ୍‌’ ଏବଂ ‘ବଜରଙ୍ଗ’ ଫର୍ମେସନ ପ୍ରଥମ ଥର ପାଇଁ କର୍ତ୍ତବ୍ୟପଥରେ ପ୍ରଦର୍ଶନ ହେବ।

ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ‘‘ ଭାରତୀୟ ବାୟୁସେନା: ଅସୀମଶକ୍ତି (ଇଣ୍ଡିଆନ ଏୟାର ଫୋର୍ସ: ପାଓ୍ବାର ବିୟଣ୍ଡ ବାଉଣ୍ଡ୍ରିସ୍‌)’’ ଥିମ୍‌ ଉପରେ ଏକ ସ୍ବତନ୍ତ୍ର ମଡେଲ ଆଇଏଏଫ ତରଫରୁ ପ୍ରଦର୍ଶନ କରାଯିବା ନେଇ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଚଳିତ ଥର ଏୟାରଫୋର୍ସର ୧୪୪ ଏୟାର ଓ୍ବରିୟର୍ସର ମାର୍ଚ୍ଚିଂକୁ ନେତୃତ୍ବ କରିବେ ସ୍କ୍ବାର୍ଡନ ଲିଡର ସିନ୍ଧୁ ରେଡ୍ଡୀ। ତାଙ୍କ ସହ ଫ୍ଲାଇଟ୍‌ ଲେଫ୍ଟ ଆୟୁଷ ଅଗ୍ରଓ୍ବାଲ, ଫ୍ଲାଇଟ୍‌ ଲେଫ୍ଟ ତନୁଜ୍ ମଲିକ ଏବଂ ଫ୍ଲାଇଟ୍‌ ଲେଫ୍ଟ ପ୍ରଧାନ ନିଖିଲ ମଧ୍ୟ ସାମିଲ୍ ରହିବେ।

ମାର୍ଚ୍ଚିଂ ସମୟରେ ଏୟାର ଫୋର୍ସ ବ୍ୟାଣ୍ଡ୍ ତରଫରୁ ସଙ୍ଗୀତ ପରିବେଷଣ କରାଯିବ ଯେଉଁଥିରେ ୭୨ ମ୍ୟୁଜିସିଆନ ଏବଂ ତିନି ଡ୍ରମ୍‌ ମେଜର୍‌ ରହିଛନ୍ତି। ଓ୍ବାରଣ୍ଟ ଅଫିସର ଅଶୋକ କୁମାର ଏହି ବ୍ୟାଣ୍ଡ୍‌ର ନେତୃତ୍ବ କରିବେ। ଏଥିରେ ମୁଖ୍ୟ ଆକର୍ଷଣ ରହିବ ‘ଆଷ୍ଟେ୍ରାନଟ୍’, ବିଜୟ ଭାରତ, ‘ସାଉଣ୍ଡ ବ୍ୟାରିୟର’ ଏବଂ ଲଡ଼ାକୁ। ସେହିପରି ବିଟିଂ ଦ’ ରିଟ୍ରିଟ୍‌ରେ ‘ସାରେ ଜହାଁ ସେ ଅଚ୍ଛା’ ପରିବେଷଣ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.