ଉଈ ଖାଇଗଲେ ଗ୍ରାହକଙ୍କ ୫ ଲକ୍ଷ ଟଙ୍କାର ନୋଟ୍, ଚିନ୍ତାରେ ବ୍ୟାଙ୍କ କର୍ମଚାରୀ

Published By : Prameya-News7 Bureau | October 19, 2024 IST

ନୋଏଡା ୧୯।୧୦: ଉତ୍ତରପ୍ରଦେଶ ନୋଏଡାର ଏକ ବ୍ୟାଙ୍କ ଲକରରେ ଗ୍ରାହକ ରଖିଥିବା ନଗଦ ୫ଲକ୍ଷ ଟଙ୍କା ଉଈ ଖାଇ ଯାଇଛନ୍ତି। ଟଙ୍କା ରଖିବାର ପ୍ରାୟ ୩ ମାସ ପରେ ସେ ଆସି ଲକର ଖୋଲିଥିଲେ। ଅବସ୍ଥା ଦେଖି ଗ୍ରାହକଙ୍କ ହୋସ ଉଡିଯାଇଛି। ଘଟଣା ନେଇ ସେ ତୁରନ୍ତ ବ୍ୟାଙ୍କ ମ୍ୟାନେଜରଙ୍କ ନିକଟରେ ଅଭିଯୋଗ କରିଛନ୍ତି, କହିଛନ୍ତି ତାଙ୍କର ନଷ୍ଟ ହୋଇଯାଇଥିବା ଟଙ୍କା ତାଙ୍କୁ ଦିଆଯାଉ। ତେବେ ଗ୍ରାହକଙ୍କ ଦାବିରେ ବ୍ୟାଙ୍କ ପ୍ରବନ୍ଧନ ହାତ ଟେକି ଦେଇଛନ୍ତି। କହିଛନ୍ତି ଲକର ଟଙ୍କା ରଖିବାକୁ ନୁହେଁ ଏଥି ପାଇଁ ଆକାଉଣ୍ଟ ଅଛି। 

ପୁରା ମାମଲା ନୋଏଡା ସେକ୍ଟର ୫୧ ସିଟିଜେନ କୋ-ଅପରେଟିଭ ବ୍ୟାଙ୍କରେ ଘଟିଛି। କଷ୍ଟମର ବ୍ୟାଙ୍କ ଲକରରେ କିଛି ଜ୍ୱେଲରୀ ଓ ନଗଦ ଟଙ୍କା ରଖିଥିଲେ। ୩ ମାସ ପରେ ଯେବେ ସେ ଲକର ଯାଞ୍ଚ କରିବାକୁ ପହଞ୍ଚିଲେ ଦେଖିଲେ ନୋଟ ବଣ୍ଡଲ ଗୁଡିକରେ ଉଈ ଲାଗିଯାଇଛନ୍ତି। ଏଥିରେ ସେ ନୋଟ ଝଡାଝଡି କରି ଗଣିବା ପରେ ୨ ଲକ୍ଷ ଟଙ୍କାର ନୋଟ୍ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜାଣିବାକୁ ପାଇଥିଲେ ଓ ବାକି ୩ ଲକ୍ଷ ଟଙ୍କାର ଅବସ୍ଥା ଏପରି ଯେ ତାହା ଆଉ ବଜାରରେ ଚଳିବ ନାହିଁ। ସେ ଏ ନେଇ ତୁରନ୍ତ ବ୍ୟାଙ୍କ ମ୍ୟାନେଜରଙ୍କୁ ଜଣାଇଥିଲେ। 

କଷ୍ଟମର ତାଙ୍କର ୨ ଲକ୍ଷ ଟଙ୍କା ନୋଟର କ୍ଷତି ଭରଣା କରିବା ପାଇଁ ମ୍ୟାନେଜରଙ୍କ ନିକଟରେ ଦାବି କରିବା ସବ ବଳକା ୩ଲକ୍ଷ ଟଙ୍କା ନୋଟ ଏକ୍ସଚେଞ୍ଜ କରିବାକୁ କହିଛନ୍ତି। ସେପଟ୍ ବ୍ୟାଙ୍କ ଲକରରେ ଉଈ ଲାଗିବା ଜାଣିବା ପରେ ବ୍ୟାଙ୍କ ମ୍ୟାନେଜର ସବୁ ଲକର ହୋଲ୍ଡରଙ୍କ ସହ ଯୋଗାଯୋଗ କରି ସେମାନଙ୍କ ଲକର ଯାଞ୍ଚ କରିବାକୁ କହିଛନ୍ତି। ଏହା ପରେ ବ୍ୟାଙ୍କର ଲକର ମାଲିକଙ୍କ ଭିଡ ଲାଗିଛି। 

ଅନ୍ୟପଟେ ଯେଉଁ ଗ୍ରାହକଙ୍କ ଟଙ୍କା ଉଈ ଖାଇଯାଇଛନ୍ତି ସେ ବ୍ୟାଙ୍କ ଉପରେ ପ୍ରଶ୍ନ ଚିହ୍ନ ଲଗାଇଛନ୍ତି। ଲକର ବାବଦେ ବ୍ୟାଙ୍କ ୨ରୁ ୧୨ ହଜାର ଟଙ୍କା ପର୍ଯ୍ୟନ୍ତ ଫି ନେଉଛନ୍ତି, ଏଣୁ ଲକରରେ ଗ୍ରାହକ ରଖିଥିବା ସାମଗ୍ରୀର ସୁରକ୍ଷା ଦାୟିତ୍ୱ ନିଶ୍ଚିତ ରୂପେ ବ୍ୟାଙ୍କର ବୋଲି କହିଛନ୍ତି। ବ୍ୟାଙ୍କ ମ୍ୟାନେଜର ଆଲୋକ କୁମାର କାନ୍ଥ ସୋକ କରୁଥିବା ସ୍ୱୀକାର କରିଛନ୍ତି। ଏଣୁ ବ୍ୟାଙ୍କ ଲକରରେ ଉଈ ପଶିଛନ୍ତି। କିନ୍ତୁ ଅନ୍ୟ ଲକରରେ ଉଈ ଲାଗି ନାହାନ୍ତି। 

ବ୍ୟାଙ୍କର ସିନିୟର ମ୍ୟାନେଜର ଇନ୍ଦୁ ଜୟସ୍ୱାଲ କହିଛନ୍ତି ଯେ ଲକର କଷ୍ଟମରଙ୍କ ସୁବିଧା ପାଇଁ ରହିଛି। ଏଥିରେ ଜରୁରି କାଗଜପତ୍ର ସମେତ ସମ୍ପତ୍ତି କଗାଜପତ୍ର ମୂଲ୍ୟବାନ ଆଭୂଷଣ ସମେତ ଅନ୍ୟ ସାମଗ୍ରୀ ରଖାଯାଇ ପାରେ। ତେବେ ଲକରରେ ବ୍ୟାଙ୍କ ନୋଟ ରଖିବା ଆରବିଆଇ ଗାଇଡଲାଇନର ଉଲ୍ଲଂଘନ। ଯଦି କୌଣସି ବ୍ୟକ୍ତି ଲକରରେ ଟଙ୍କା ରଖୁଥାନ୍ତି ତେବେ ଏହା ତାଙ୍କୁ ପ୍ରମାଣିତ କରିବାକୁ ହେବ ଯେ ଏହା ତାଙ୍କର ବୈଧ ଟଙ୍କା ବୋଲି କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.