ଋଣଭାର ହେଲା କାଳ, ଟଙ୍କା ସୁଝି ନପାରି ଝୁଲି ପଡ଼ିଲେ ଗୋଟିଏ ପରିବାରର ୫ ସଦସ୍ୟ

Published By : Prameya-News7 Bureau | June 05, 2022 IST

ପାଟନା ୦୫/ ୦୬ : ସହିପାରିଲେନି ଋଣଭାର । ଫାଶୀ ଲଗାଇ ଝୁଲି ପଡ଼ିଲେ ଗୋଟିଏ ପରିବାରର ୫ ସଦସ୍ୟ । ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି ବିହାରର ସମସ୍ତୀପୁରରେ । ବିଦ୍ୟାପତିନଗର ଥାନା ଅନ୍ତର୍ଗତ ମଉ ଗାଁ ରେ ରବିବାର ସକାଳେ ଗୋଟିଏ ପରିବାର ସମସ୍ତେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଏଭଳି ଖବର ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଯାଞ୍ଚ ଆରମ୍ଭ କରିଛି ।

ଗାଁ ଲୋକଙ୍କ କହିବା ଅନୁସାରେ, ରବିବାର ସକାଳେ ସ୍ବୟଂ ସହାୟକ ଗୋଷ୍ଠୀର କିଛି ମହିଳା ପରିବାରର ମୁଖ୍ୟ ମନୋଜଙ୍କ ଘରକୁ ଯାଇଥିଲେ । ଦୀର୍ଘ ସମୟ ଧରି କବାଟ ବାଡେଇଥିଲେ ସୁଦ୍ଧା କେହି ଖୋଲିନଥିଲେ । ପରେ ଗାଁର କିଛି ବ୍ୟକ୍ତିଙ୍କୁ ଡାକିଥିଲେ । ସେମାନେ ଆସି କବାଟ ବାଡେଇଥିଲେ ମଧ୍ୟ କୌଣସି ଉତ୍ତର ମିଳିନଥିଲା । ପରେ କୌଣସି ମତେ ଝରକା ଫାଙ୍କରେ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଘରର ୫ ଜଣ ସଦସ୍ୟ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା । ତେବେ ମୃତକ ମାନେ ହେଉଛନ୍ତି ମନୋଜ କୁମାର ଝା (୩୫ ବର୍ଷ) ତାଙ୍କ ପିତ୍ନୀ ସୁନ୍ଦରମଣି (୨୫ ବର୍ଷ), ପୁଅ ଶିବମ (୬ ବର୍ଷ), ସତ୍ୟମ କୁମାର (୫ ବର୍ଷ) ଏବଂ ମା’ ସୀତା ଦେବୀ (୬୫ ବର୍ଷ) ।

ଏନେଇ ପୋଲିସକୁ ଖବର ଦେଇଥିଲେ ଗାଁ ଲୋକେ । ଖବର ପାଇ ପୋଲିସ ସେଠାରେ ପହଞ୍ଚି ଶବ ଜବତ କରିବା ସହିତ ଝାନଭିନ୍‌ ଆରମ୍ଭ କରିଛି । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ମୃତକ ମନୋଜ କୁମାର ଝା ମଉ ବଜାରରେ ଖୈନୀ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିଲେ । କିନ୍ତୁ ସେତିକିରେ ପରିବାର ଚଳାଇବା ଖୁବ କଷ୍ଟକର ହେଉଥିଲା । ଅଭାବ ଅନଟନ ଯୋଗୁଁ ପରିବାରର ସମୂହ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଅନୁମାନ କରୁଛି ।

ମନୋଜଙ୍କ ପତ୍ନୀ ଘରର ଆର୍ଥିକ ସ୍ଥିତି ଠିକ୍‌ କରିବା ପାଇଁ ସ୍ବୟଂ ସହାୟକ ଗୋଷ୍ଠୀରୁ ଋଣ ଆଣିଥିବା ଗାଁ ଲୋକ କହିଛନ୍ତି । କିନ୍ତୁ ପରେ ଋଣ ପରିଶୋଧ କରିନଥିଲେ । ଯେଉଁଥି ପାଇଁ ମନୋଜଙ୍କ ଉପରେ ଚାପ ଥିଲା । ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ରବିବାର ସକାଳେ ଋଣ ଟଙ୍କା ଆଣିବା ପାଇଁ ଯାଇଥିବା ବେଳେ ପରିବାରର ସମସ୍ତେ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ । ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.