ଦିଲ୍ଲୀ ଏୟାରପୋର୍ଟରୁ ଗାଏବ ହୋଇଗଲେ ୫ କରୋନା ସଂକ୍ରମିତ, ଆସିଥିଲେ ବ୍ରିଟେନରୁ...ପୋଲିସର ତନାଘନା ପରେ ଜଣେ ଲୁଧିଆନା ଓ ଜଣେ ଆନ୍ଧ୍ରରୁ ମିଳିଲେ

Published By : Prameya-News7 Bureau | December 24, 2020 IST

ନୂଆଦିଲ୍ଲୀ, ୨୪୧୨ବ୍ରିଟେନରେ କରୋନା ଭାଇରସର ନୂଆ ଷ୍ଟ୍ରେନ୍ ସାମ୍ନାକୁ ଆସିବା ପରେ ସାରା ବିଶ୍ୱରେ ଭୟର ବାତାବରଣ ସୃଷ୍ଟି ହୋଇଛି । କିନ୍ତୁ ଭାରତରେ ଏହି ପ୍ରସଙ୍ଗରେ ଅନେକ ଦାୟିତ୍ୱହୀନତା ସାମ୍ନାକୁ ଆସିଛି । କେନ୍ଦ୍ର ସରକାର ବ୍ରିଟେନ ଫେରନ୍ତା ଯାତ୍ରୀଙ୍କ ପାଇଁ ଏସଓପି ଜାରି କରିଛନ୍ତି । ଏହା ପରେ ବି ୫ଜଣ ବ୍ରିଟେନ ଫେରନ୍ତା କରୋନା ଆକ୍ରାନ୍ତ ଚକମା ଦେଇ ଦିଲ୍ଲୀ ବିମାନ ବନ୍ଦରରୁ ଫେରାର ହୋଇଯାଇଥିଲେ ।

ଏମାନଙ୍କ ମଧ୍ୟରୁ ପ୍ରଥମେ ୩ ଜଣଙ୍କର ସନ୍ଧାନ ମିଳିଥିଲା । ମଙ୍ଗଳବାର ରାତିରେ ସେମାନଙ୍କୁ ଦିଲ୍ଲୀ ଲୋକନାୟକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହା ବ୍ୟତୀତ ଜଣେ ସଂକ୍ରମିତ ଲୁଧିଆନା ଓ ଆଉ ଜଣେ ଆନ୍ଧ୍ରପ୍ରଦେଶ ପଳାଇଥିଲେ । ଏହି ଦ୍ୱୟଙ୍କ ବୁଧବାର ଦିଲ୍ଲୀ ଅଣାଯାଇ ସମସ୍ତ ୫ ଜଣଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ଏହାସହ ସେମାନଙ୍କ ନମୂନା ଯାଞ୍ଚ ପାଇଁ ପଠାଯାଇଛି ।

ସୂତ୍ରାନୁସାରେ, ଅମୃତସରର ପଂଡାରୀ ଗ୍ରାମରେ ରହୁଥିବା ଜଣେ ୪୬ ବର୍ଷୀୟ ବ୍ୟକ୍ତି ବ୍ରିଟେନରୁ ଫେରିଥିଲେ । ସେ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାପରେ ବି ସେ ଦିଲ୍ଲୀ ବିମାନ ବନ୍ଦରରୁ ଲୁଧିଆନା ଆସିବାରେ ସଫଳ ହୋଇଥିଲେ । ସେ ପରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ବୁଧବାର ତାଙ୍କୁ ଦିଲ୍ଲୀ ପଠାଯାଇଛି ।

ଲୁଧିଆନା ପ୍ରଶାସନର କହିବାନୁସାରେ, ସେମାନେ ଆକ୍ରାନ୍ତଙ୍କୁ ଦିଲ୍ଲୀ ପଠାଇବାକୁ ଚାହୁଁନତିଲେ । କାରଣ ସଂକ୍ରମଣ ବ୍ୟାପିବାର ସମ୍ଭାବନା ଥିଲା । ଏବେ ତାଙ୍କୁ ଦିଲ୍ଲୀରେ ରଖାଯାଇଛି । ଏହାସହ ତାଙ୍କର କଣ୍ଟାକ୍ଟ ଟ୍ରେସିଂ ଚାଲିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.