ସ୍କୁଲ୍ରେ ପଶିଲା କରୋନା: ୩୯ ଜଣ ଛାତ୍ରୀ କୋଭିଡ୍ ପଜିଟିଭ ଚିହ୍ନଟ
26/03/2023 at 10:21 PM

ଲଖିମପୁର: ଉତ୍ତର ପ୍ରଦେଶ ଲଖିମପୁରରେ କରୋନା ଆତଙ୍କ। ଏଠାରେ ୩୯ ଜଣ ଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରବିବାର ମତଉଲିର କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ(KGBV)ରୁ ଏତେ ସଂଖ୍ୟକ ଛାତ୍ରୀ କୋଭିଡ୍ ସଂକ୍ରମିତ ହୋଇଥିବା ସୂଚନା ମିଳିବା ପରେ ସ୍କୁଲ୍ରେ ସତର୍କତା ବଢ଼ିଯାଇଛି। ଛାତ୍ରୀମାନେ ହୋଲି ଛୁଟି କଟାଇ ଫେରିବା ପରେ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି।
KGBVର ଜଣେ ଛାତ୍ରୀ କୋଭିଡ୍ ପଜିଟିଭି ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ସ୍କୁଲର ସମସ୍ତ ଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସମେତ ଅନ୍ୟ କର୍ମୀମାନଙ୍କ ମିଶାଇ ମୋଟ ୯୨ ଜଣଙ୍କର କୋଭିଡ୍ ଟେଷ୍ଟ କରାଇଥିଲା। ୯୨ ମଧ୍ୟରୁ ଶନିବାର ୩୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।
ଛାତ୍ରୀମାନେ କୋଭିଡ୍ ପଜିଟିଭ ଚିହ୍ନଟ ହେବା ପରେ ପ୍ରଶାସନ ସ୍କୁଲ୍କୁ ସିଜ୍ କରି ଅସ୍ଥାୟୀ ଭାବେ ଏହାକୁ ଆଇସୋଲେସନ ସେଣ୍ଟରରେ ପରିଣତ କରି ଦେଇଛି। ତେବେ ସଂକ୍ରମିତ ହୋଇିଥିବା ଛାତ୍ରୀମାନଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।
ସମସ୍ତଙ୍କୁ କ୍ୱାରେଣ୍ଟିନ୍ରେ ରଖାଯାଇଛି। ସ୍କୁଲ୍ର ସବୁ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ସମସ୍ତ କର୍ମଚାରୀଙ୍କୁ ସେଠାରେ ରଖାଯାଇଛି। ଆମ୍ବୁଲାନ୍ସ ସେବା ସହ ସମସ୍ତ ସତର୍କତା ପଦକ୍ଷେପ ଆପଣାଯାଉଛି ବୋଲି ଲଖିମପୁର ମୁଖ୍ୟ ମେଡିକାଲ ଅଫିସର ସନ୍ତୋଷ କୁମାର ଗୁପ୍ତା କହିଛନ୍ତି।