୩୧ ଅକ୍ଟୋବରରେ ଦେଖାଯିବ ‘ନୀଳଜହ୍ନ’, ୭୬ ବର୍ଷ ପରେ ବିରଳ ମହାଜାଗତିକ ଦୃଶ୍ୟ
1/10/2020 at 10:28 PM

ନୂଆଦିଲ୍ଲୀ ୧।୧୦: ଗୁରୁବାର ପଶିଲା ଅକ୍ଟୋବର ମାସ। ହେଲେ ମାସର ଶେଷ ଦିନକୁ ଏବେ ଅପେକ୍ଷା କରିରହିଛନ୍ତି ସାରା ବିଶ୍ୱର ମହାକାଶ ବିଜ୍ଞାନୀ। ଯଦି ଆପଣ ମଧ୍ୟ ମହାକାଶ ସମ୍ବଦ୍ଧିୟ ପରିବର୍ତ୍ତନରେ ରୁଚି ରଖୁଥାନ୍ତି ତେବେ ଏହି ଖବର ଆପଣଙ୍କ ଲାଗି ମଧ୍ୟ ଉପାଦେୟ ହୋଇପାରେ। ଅକ୍ଟୋବର ୩୧ ତାରିଖ ଦିନ ମହାକାଶରେ ଅପୂର୍ବ ମହାଜାଗତିକ ଘଟଣା ସଂଘଟିତ ହେବାକୁ ଯାଉଛି। ଏହି ଦିନ ଆକାଶରେ ବ୍ଲୁମୁନ୍ ବା ନୀଳଜହ୍ନ ଦେଖାଯିବ।

ଏହି ଦିନ ବିଦେଶରେ ହେଲୋୱିନ୍ ପାଳିତ ହେଉଥିବା ବେଳେ ଯେଉଁସବୁ ଦେଶରେ ଏହି କାର୍ଯ୍ୟକ୍ରମ ପାଳିତ ହୁଏ ସେସବୁ ଦେଶର ଲୋକେ ବ୍ଲୁମୁନ୍କୁ ନେଇ ବେଶ ଆଗ୍ରହୀ ହୋଇ ଉଠିଛନ୍ତି। ଏହି ଦିନ ଉତ୍ତର ଓ ଦକ୍ଷିଣ ଆମେରିକା ସମେତ ଭାରତ, ଏସିୟା ଓ ୟୁରୋପର କେତେକ ଦେଶରେ ବ୍ଲୁ ମୁନ୍ ଦେଖାଯିବ। ପ୍ରାୟ ୩୦ ବର୍ଷ ପୂର୍ବେ ଏହି ଭଳି ଏକ ଖଗୋଳିୟ ଘଟଣା ମହକାଶରେ ଦେଖାଯାଇଥିଲା। ହେଲେ ସେତେବେଳେ ବିଶ୍ୱର ଅନେକ ଦେଶରେ ଏହା ଦେଖାଯାଇ ନଥିଲା। ତେବେ ପ୍ରାୟ ୭୬ ବର୍ଷ ପରେ ପ୍ରଥମ ଥର ବିଶ୍ୱର ଏକ ବୃହତ୍ତ ଅଞ୍ଚଳରେ ବ୍ଲୁମୁନ୍ ଦେଖାଯିବାକୁ ଥିବା ବେଳେ ଲୋକଙ୍କ ଉତ୍ସାହ ବଢିବାରେ ଲାଗିଛି।

୩୧ ଅକ୍ଟୋବର ୨୦୨୦ ପରେ ୨୦୩୯ ମସିହାରେ ପୁଣି ବ୍ଲୁମୁନ୍ ଦେଖାଯିବ। ତେବେ ଆସନ୍ତୁ ଜାଣିବା ନିଳ ଜହ୍ନ କଣ ଓ କାହିଁକି ଏହାକୁ ଏପରି କୁହାଯାଏ । ବ୍ଲୁ ମୁନ୍ କହିଲେ ଯଦି ଆପଣ ଭାବିବେ ଜହ୍ନ ସମ୍ପୂର୍ଣ୍ଣ ନିଳ ରଙ୍ଗ ଧାରଣ କରିବ ତେବେ ଏହା ଆପଣଙ୍କର ଭ୍ରାନ୍ତି ହେବ। ଯେଉଁମାସର ୩୦ ଦିନରେ ଦୁଇଟି ପୂର୍ଣ୍ଣିମା ସଂଘଟିତ ହୁଏ ଶେଷ ପୂର୍ଣ୍ଣିମାକୁ ନିଳଜହ୍ନ ବା ବ୍ଲୁମୁନ୍ ନାଇଟ୍ କୁହାଯାଏ। ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ସାରା ବିଶ୍ୱ ଏକକାଳୀନ ଦେଖିଥିଲା ବ୍ଲୁମୁନ୍ । ଦୀର୍ଘ ୭୬ ବର୍ଷ ପରେ ପୁଣି ସେହିଭଳି ସଂଯୋଗରେ ବ୍ଲୁମୁନ୍ ଦେଖାଯାଉଛି।