ହିନ୍ଦୁ ଆସ୍ଥାର ରକ୍ଷା ପାଇଁ ନିର୍ମାଣ ହେବ ୩ ହଜାର ମନ୍ଦିର, ଏହି ରାଜ୍ୟ ସରକାରଙ୍କ ଘୋଷଣା

Published By : Prameya-News7 Bureau | March 01, 2023 IST

ନୂଆଦିଲ୍ଲୀ, ୦୧/୦୨: ହିନ୍ଦୁ ଆସ୍ଥା ରକ୍ଷା ପାଇଁ ଆନ୍ଧ୍ରପ୍ରଦେଶ ସରକାର ରାଜ୍ୟରେ ୩ ହଜାର ହିନ୍ଦୁ ମନ୍ଦିର ତିଆରି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ କହିବା ଅନୁଯାୟୀ ସମଗ୍ର ରାଜ୍ୟରେ ମନ୍ଦିର ନିର୍ମାଣ କାମ ଦ୍ରୁତ ଗତିରେ ଚାଲୁଛି। ତୀର୍ଥକୁ ବିକଶିତ କରାଯାଉଛି। ଏଥିପାଇଁ ପ୍ରତି ମନ୍ଦିର ପିଛା ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ।

ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ କୋଟ୍ଟୁ ସତ୍ୟନାରାୟଣ କହିଛନ୍ତି ଯେ ହିନ୍ଦୁ ଆସ୍ଥାର ସଂରକ୍ଷଣ ଏବଂ ପ୍ରଚାର କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଏହି ନିଷ୍ପତ୍ତି ନେଇଛନ୍ତି । ସତ୍ୟନାରାୟଣ କହିଛନ୍ତି ଯେ ‘ହିନ୍ଦୁ ଆସ୍ଥାକୁ ବଡ଼ ସ୍ତରରେ ପ୍ରଚାର କରିବା ପାଇଁ ସରକାର ଦୁର୍ବଳ ବର୍ଗର ଲୋକଙ୍କ ଅଞ୍ଚଳରେ ମନ୍ଦିର ନିର୍ମାଣ ପାଇଁ ନିଷ୍ପତ୍ତି ନେଇଛନ୍ତି।

ତିରୁମଲା ତିରୁପତି ଦେବସ୍ଥାନମର ଶ୍ରୀ ବାଣୀ ଟ୍ରଷ୍ଟ ତରଫରୁ ପ୍ରତି ମନ୍ଦିରର ନିର୍ମାଣ ପାଇଁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ପ୍ରଥମେ ରାଜ୍ୟରେ ୧୩୩୦ ମନ୍ଦିର ନିର୍ମାଣ ନିଷ୍ପତ୍ତି ନିଆଯାଇଥିଲା। ଏବେ ଏହି ତାଲିକାରେ ୧୪୬୫ ମନ୍ଦିର ଯୋଡ଼ାଯାଇଛି। ଏହା ବ୍ୟତୀତ କିଛି ବିଧାୟକଙ୍କ ଦାବି ଆଧାରରେ ଅଧିକ ୨୦୦ ମନ୍ଦିର ତିଆରି କରାଯିବ। ମନ୍ତ୍ରୀ କହିଛନ୍ତି ବର୍ତ୍ତମାନ ପୁରା ରାଜ୍ୟରେ ୯୭୮ ମନ୍ଦିର ତିଆରି ପାଇଁ କାମ ଚାଲିଛି।

ସେ କହିଛନ୍ତି ୨୫ ମନ୍ଦିର ନିର୍ମାଣ ପାଇଁ ଜଣେ ଇଞ୍ଜିନିୟରଙ୍କୁ ନିୟୋଜିତ କରାଯାଇଛି। ମନ୍ତ୍ରୀ କହିଛନ୍ତି ଯେ ୨୭୦ କୋଟି ଟଙ୍କାର ବଜେଟ ଆବଣ୍ଟନ ମନ୍ଦିରର ପୁନର୍ନିମାଣ ପାଇଁ ଜାରି କରାଯାଇଛି। ଏତିକି ନୁହେଁ ମନ୍ଦିରରେ ଧାର୍ମିକ କାର୍ଯ୍ୟକ୍ରମ ପାଇଁ ମଧ୍ୟ ୨୩୮ କୋଟି ଟଙ୍କା ଜାରି କରାଯାଇଛି। ଏହାସହ ଧୂପ, ଦୀପ ପାଇଁ ମଧ୍ୟ ୨୮ କୋଟି ଟଙ୍କା ଜାରି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.