ତିରୁଅନନ୍ତପୁର ୨୨।୧୨: ଭାରତରେ ନ୍ୟାୟର ବ୍ୟବସ୍ଥା ଅଛି ! ଏହା ପୁଣି ଥରେ ପ୍ରମାଣିତ ହୋଇଛି କେରଳ ଶିଷ୍ଟର ଅଭୟା ହତ୍ୟା ମାମଲାରେ। ହୁଏତ ଅନେକ ବିଳମ୍ବ ହୋଇଛି, ୩ ଦଶନ୍ଧୀ ପାଖାପାଖି ସିବିଆ ସ୍ୱତନ୍ତ୍ର ଜଜ୍ ଶିଷ୍ଟର ଅଭୟା ହତ୍ୟା ମାମଲାରେ ମଙ୍ଗଳବାର ରାୟ ଘୋଷଣା କରିଛନ୍ତି। ସିବିଆଇ ଜଜ୍ ସନଲ କୁମାର ମାମଲାରେ ମୁଖ୍ୟ ଅଭିଯୁକ୍ତ ଫାଦର ତୋମାସ କଟ୍ଟୁର ଓ ସିଷ୍ଟର ସେଫିଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଉଭୟ ଦୋଷୀ କ୍ୟାଥୋଲିକ୍ ଚର୍ଚ୍ଚର ପ୍ରିଷ୍ଟ ଓ ନନ୍ ବୋଲି ଜଣାପଡିଛି। ଡିସେମ୍ବର ୨୩ରେ କୋର୍ଟ ଦୁଇ ହତ୍ୟାକାରୀଙ୍କ ଲାଗି ଦଣ୍ଡାଦେଶ କରିବେ।
{"id":381324,"sizeSlug":"large","linkDestination":"none"}କ’ଣ ଥିଲା ମାମଲା?
୧୯୯୨ ମସିହା ମାର୍ଚ୍ଚ ୨୭ ତାରିଖ ଦିନ କେରଳ, କୋଟ୍ଟାୟମସ୍ଥିତ ପିୟୁଅସ୍ ଏକ୍ସ କନଭେଣ୍ଟ ସ୍କୁଲ କୂଅରୁ ଜଣେ ଛାତ୍ରୀଙ୍କ ଶବ ଉଦ୍ଧାର ହୋଇଥିଲା। ଛାତ୍ରୀଙ୍କୁ ପୋଲିସ ଶିଷ୍ଟର ଅଭୟା ଭାବେ ଚିହ୍ନଟ କରିଥିବା ବେଳେ ସେ ସ୍କୁଲରେ ଦ୍ୱାଦଶ ଶ୍ରେଣୀରେ ପଢୁଥିଲେ। ଘଟଣାର ତଦନ୍ତକାଳରେ ପୋଲିସ ପାରିପାର୍ଶ୍ୱିକ ସ୍ଥିତି ଓ ସାକ୍ଷ ଆଧାରରେ ଏହାକୁ ଏକ ଅପମୃତ୍ୟୁ ମାମଲା ଦର୍ଶାଇ ତଦନ୍ତ ବନ୍ଦ କରିଥିଲା। ପରେ ଜନତାଙ୍କ ଦାବିଯୋଗୁ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ହୋଇଥିଲା। ତେବେ ତାହା ମଧ୍ୟ ପୋଲିସ ତଦନ୍ତ ଭଳି ଅପମୃତ୍ୟୁ ବିନ୍ଦୁରେ ଅଟକି ଯାଇଥିଲା।
୧୯୯୩ରେ ହୋଇଥିଲା ଜନଆନ୍ଦୋଳନ
ତେବେ ପୋଲିସ ଓ କ୍ରାଇମବ୍ରାଞ୍ଚ ତଦନ୍ତ ଲୋକଙ୍କୁ ସନ୍ତୁଷ୍ଟ କରିପାରିନଥଲା। ଏଣୁ ଶିଷ୍ଟର ଅଭୟା ମୃତ୍ୟୁ ମାମଲାର ଲୋକେ ସିବିଆଇ ତଦନ୍ତ ଦାବି କରିଥିଲେ। ମାନବାଧିକାରୀ କର୍ମୀ ଜୋମେନ୍ ପୁଥନପୁରକ୍କଲ ଏ ନେଇ ଏକ ପିଟିସନ ଫାଇଲ କରିବା ପରେ ତଦନ୍ତ ଦାୟିତ୍ୱ ସିବିଆଇକୁ ନ୍ୟସ୍ତ କରାଯାଇଥିଲା। ମାମଲାର ତଦନ୍ତ କରି ସିବିଆଇ ୧୯୯୬ ମସିହାରେ କୋର୍ଟଙ୍କୁ ରିପୋର୍ଟ ପ୍ରଦାନ କରିଥିଲା। ପୋଲିସ ଓ କ୍ରାଇମବ୍ରାଞ୍ଚ ଭଳି ସିବିଆଇ ମଧ୍ୟ ଏହାକୁ ଆତ୍ମହତ୍ୟା ମାମଲା କହିଥିଲା। ତେବେ କୋର୍ଟ ସିବିଆଇଙ୍କ ରିପୋର୍ଟ ଅଗ୍ରାହ୍ୟ କରିଦେବା ସହ ସାନି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।
ଶେଷରେ ସିବିଆଇ କହିଲା ହତ୍ୟାକାଣ୍ଡ
ଦୁଇ ଥର କୋର୍ଟରେ ରିପୋର୍ଟ ଅଗ୍ରାହ୍ୟ ହେବା ପରେ ସିବିଆଇ ପୁଣି ତଦନ୍ତ କରି ୧୯୯୭ ମସିହାରେ କୋର୍ଟଙ୍କୁ ଏହା ଏକ ହତ୍ୟାକାଣ୍ଡ ବୋଲି ରିପୋର୍ଟ ଦେଇଥିଲେ। ୨୦୦୮ ମସିହାରେ ସିବିଆଇ ମାମଲାରେ କୋର୍ଟଙ୍କୁ ତୃତୀୟ ରିପୋର୍ଟ ପ୍ରଦାନ କରିଥିବା ବେଳେ ହତ୍ୟାଲାଗି କ୍ୟାଥୋଲିକ ଚର୍ଚ୍ଚର ଫାଦର ତୋମାସ କୁଟ୍ଟୁର, ଫାଦର ଜୋସ୍ ପୁଥ୍ରୁକାଇଲ ଓ ନନ୍ ସେଫିଙ୍କୁ ଅଭିଯୁକ୍ତ କରିଥିଲେ। ସିବିଆଇ ସେମାନଙ୍କ ବିରୋଧରେ ହତ୍ୟା, ପ୍ରମାଣ ନଷ୍ଟ କରିବା ଓ ଅପରାଧିକ ଷଡ଼ଯନ୍ତ୍ର ଆଦି ଧାରାରେ ମୋକଦ୍ଦମା ରୁଜୁ କରିଥିଲେ।
ଅଭିଯୁକ୍ତଙ୍କ ହୋଇଥିଲା ନାରକୋ ଟେଷ୍ଟ
ସିବିଆଇ ଅଭିଯୁକ୍ତମାନଙ୍କୁ ଗିରଫ କରି ହାଜତକୁ ପଠାଇଥିବା ବେଳେ ୬ ମାସ ପରେ କୋର୍ଟ ସେମାନଙ୍କୁ ଜାମିନରେ ମୁକ୍ତ କରିଦେଇଥିଲେ। ତେବେ ୨୦୦୯ ମସିହାରେ ସିବିଆଇ କୋର୍ଟଙ୍କ ଅନୁମତିରେ ୩ ଅଭିଯୁକ୍ତଙ୍କ ନାରକୋ ପରୀକ୍ଷଣ କରାଇ ଏହାର ରିପୋର୍ଟ କୋର୍ଟଙ୍କୁ ଦେଇଥିଲେ। ୨୦୧୮ ମସିହାରେ ସାକ୍ଷ ଓ ପ୍ରମାଣ ଅଭାବରୁ କୋର୍ଟ ଫାଦର ପୁଥ୍ରୁକାଇଲଙ୍କୁ ନିର୍ଦ୍ଦୋଷରେ ମୁକ୍ତ କରିଦେଇଥିଲେ। ତେବେ ଫାଦର ତୋମାସ ଓ ସିଷ୍ଟର ସେଫି ଶେଷରେ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
୯ ବର୍ଷ ଧରି କୋର୍ଟରେ ଚାଲିଥିଲା ଶୁଣାଣି
ଅଭିଯୁକ୍ତଙ୍କ ଦୋଷ ପ୍ରମାଣିତ କରିବା ଲାଗି କୋର୍ଟରେ ଦୀର୍ଘ ୯ ବର୍ଷ ଧରି ଶୁଣାଣି କରିଥିଲେ। ମାମଲାର ଅନେକ ସାକ୍ଷୀ ହୋଷ୍ଟାଇଲ ହୋଇଯାଇଥିବା ବେଳେ ନ୍ୟାୟାଳୟଙ୍କ ରାୟ ଶୁଣିବା ଲାଗି ଦୀର୍ଘ ୩୦ ବର୍ଷ ପରେ କେବଳ ମୋକଦ୍ଦମାକୁ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚାଇଥିବା ମାନବାଧିକାର କର୍ମୀ ଜୋମେନ୍ ପୁଥନପୁରକ୍କଲ ଜୀବିତ ଅଛନ୍ତି। ଫାଦର ଓ ନନ୍ଙ୍କ ଅନୈତିକ ସମ୍ପର୍କର ସାକ୍ଷୀ ଶିଷ୍ଟ ଅଭୟାଙ୍କୁ ସେମାନେ ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେବା ଲାଗି ଶବକୁ କୂଅରେ ପକାଇଦେଇଥିଲେ ବୋଲି ସିବିଆଇ ତଦନ୍ତରୁ ସ୍ପଷ୍ଟ ହୋଇଛି।