ଆଜି ମାର୍ଗଶିର ମାସର ବିନାୟକ ଚତୁର୍ଥୀ, ଜାଣନ୍ତୁ ମହତ୍ୱ ଓ ପୂଜା ବିଧି
27/11/2022 at 7:35 AM

ହିନ୍ଦୁ ଧର୍ମରେ ଏପରି କିଛି ବ୍ରତ ଓ ପର୍ବ ପର୍ବାଣୀ ରହିଛି ଯାହା ପ୍ରତିମାସରେ ପାଳିତ ହୋଇଥାଏ। ଏହି ପରି ଏକ ବ୍ରତ ହେଉଛି ଗଣେଶ ଚତୁର୍ଥୀ ବ୍ରତ। ଗଣେଶଙ୍କ ଉଦ୍ଦେଶ୍ୟରେ ସମର୍ପିତ ଏହି ବ୍ରତ ଚଳିତମାସ ଶୁକ୍ଳପକ୍ଷ ଚତୁର୍ଥୀରେ ପାଳିତ ହେବ। ଗଣେଶଙ୍କ କୃପା ପ୍ରାପ୍ତ କରିବା ଲାଗି ଏହି ଦିନରେ ପୂଜା ଗୁରୁତ୍ୱପୂର୍ଣ୍ଣ ଓ ଶୁଭ ମନେ କରାଯାଏ। ଶ୍ରଦ୍ଧାର ସହିତ ବିନାୟକ ଚତୁର୍ଥୀ ବ୍ରତ ପାଳନ କଲେ ତାଙ୍କୁ ଗଣେଶ ଜ୍ଞାନ, ସମୃଦ୍ଧି, ସୌଭାଗ୍ୟ, ବୃଦ୍ଧି ଓ ଆଶିର୍ବାଦ କରିଥାନ୍ତି। ମାର୍ଗଶିର ମାସର ବିନାୟକ ଚତୁର୍ଥୀ ୨୭ ନଭେମ୍ବର ରବିବାର ପାଳନ କରାଯିବ।

ହିନ୍ଦୁ ଶାସ୍ତ୍ରାନୁସାରେ ଗଣେଶଙ୍କ ପୂଜା ସର୍ବପ୍ରଥମେ କରାଯାଏ। ଗଣେଶଙ୍କୁ ବିଘ୍ନହରଣକାରୀ ଭାବେ ମଧ୍ୟ ଜଣାଯାଏ। ବିନାୟକ ଚତୁର୍ଥୀ ସବୁ ହାନିକାରକ ପ୍ରଭାବରୁ ମୁକ୍ତ ରହିବା ପାଇଁ ପାଳନ କରାଯାଏ। ବିନାୟକ ଚତୁର୍ଥୀରେ ଗଣେଶଙ୍କୁ ଲଡୁ, ବସ୍ତ୍ର ଓ ଅନ୍ୟ ମିଠେଇ ଭୋଗ କରାଯାଏ। କୁହାଯାଏ ଯେଉଁମାନେ ଶ୍ରଦ୍ଧା ଓ ସମର୍ପଣର ସହ ଗଣେଶ ଚତୁର୍ଥୀ ପାଳନ କରନ୍ତି ଗଣେଶ ଭକ୍ତଙ୍କ ଜୀବନରୁ ସବୁ ଖରାପ ପ୍ରଭାବ ଦୂର କରିଥାନ୍ତି। କୁହାଯାଏ ଯେଉଁମାନେ ସନ୍ତାନ କାମନା କରନ୍ତି ସେମାନେ ଗଣେଶ ଚତୁର୍ଥୀ ପାଳନ କରିବା ନିହାତି ଆବଶ୍ୟକ।
ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ମାର୍ଗଶିର ମାସର ବିନାୟକ ଚତୁର୍ଥୀ ୨୬ ନଭେମ୍ବର ୨୦୨୨ ସନ୍ଧ୍ୟା ୭ଟା ବାଜି୨୮ ମିନିଟ୍ରୁ ଆରମ୍ଭ ହୋଇସାରିଛି। ଏହାର ସମାପନ ୨୭ ନଭେମ୍ବର ୨୦୨୨ ଅର୍ଥାତ ରବିବାର ୪ଟା ବାଜି ୨୫ ମିନିଟ୍ରେ ହେବ। ତେବେ ଉଦୟ ତିଥି ଅନୁସାରେ ମାର୍ଗଶିର ମାସର ବିନାୟକ ଚତୁର୍ଥୀ ୨୭ ନଭେମ୍ବର ରବିବାର ପାଳିତ ହେବ।

ଏହି ଦିନ ପୂଜାରେ ଗଣେଶଙ୍କୁ ଦୁର୍ବା ମାଳ ଅର୍ପିତ କରନ୍ତୁ। ତାଙ୍କୁ ଘିଅ ଓ ଗୁଡ଼ ଭୋଗ କରନ୍ତୁ। ଧନ ପ୍ରାପ୍ତି ଅଥବା ଅଟକି ରହିଥିବା ଧନ ଫେରି ପାଇବା ପାଇଁ ପ୍ରାର୍ଥନା କରନ୍ତୁ। ପୂଜା ପରେ ଘିଅ ଓ ଗୁଡକୁ ଗାଇକୁ ଅର୍ପଣ କରନ୍ତୁ। ଏପରି ପୂଜା ଆପଣଙ୍କୁ ପାଞ୍ଚଟି ବିନାୟକ ଚତୁର୍ଥୀରେ କରିବାକୁ ପଡିବ। ଜୀବନର କୌଣସି କଷ୍ଟ ଅଥବା ସମସ୍ୟା ଦୂର କରିବାକୁ ହେଲେ ଗଣେଶଙ୍କ ଆଗରେ ଚତୁର୍ମୁଖୀ ପ୍ରଦୀପ ପ୍ରଜ୍ୱଳନ କରନ୍ତୁ। ଏହା ଛଡା ଆପଣଙ୍କ ବୟସ ଯେତିକି ସେତିକି ଲଡୁ ପୂଜାରେ ସାମିଲ କରନ୍ତୁ। ପୂଜା ପରେ ଲଡୁ ନିଜେ ଖାଆନ୍ତୁ ଓ ପୂଜାରେ ସାମିଲ ଲୋକଙ୍କୁ ବିତରିତ କରନ୍ତୁ। ଏହା ଛଡା ଭଗବାନ ସୂର୍ଯ୍ୟନାରାୟଣଙ୍କ ସୂର୍ୟ୍ୟାଷ୍ଟକ ୩ ଥର ପାଠ କରନ୍ତୁ।