ପାଣିପାଗ ବିଭାଗର ରିପୋର୍ଟ; ୧୯୦୧ ପରେ ଭାରତ ପାଇଁ ୫ମ ସବୁଠାରୁ ଉତ୍ତପ୍ତ ବର୍ଷ ହେଉଛି ୨୦୨୨

Published By : Prameya-News7 Bureau | January 07, 2023 IST

ନୂଆଦିଲ୍ଲୀ୦୭/୦୧ : ୧୯୦୧ ପରେ ୨୦୨୨ରେ ଭାରତରେ ପଞ୍ଚମଥର ପାଇଁ ଖୁବ୍ ଅଧିକ ଗରମ ଅନୁଭୂତ ହୋଇଛି। ଭାରତର ଜଳବାୟୁ ଉପରେ ଏମିତି କହିଛନ୍ତି ପାଣିପାଗ ବିଭାଗ। ୨୦୨୨ରେ ବାର୍ଷିକ ବାୟୁମଣ୍ଡଳର ତାପମାତ୍ରା ସ୍ବାଭାବିକଠାରୁ ପ୍ରାୟ ୦.୫୧ ଡିଗ୍ରି ଅଧିକ ରହିଥିଲା।

ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି)ର ସୂଚନା ଅନୁସାରେ, ୨୦୧୬ର ବାର୍ଷିକ ବାୟୁମଣ୍ଡଳୀୟ ତାପମାତ୍ରା ଗତବର୍ଷଠାରୁ ଅଧିକ ରହିଥିଲା। ସେହିବର୍ଷ ସ୍ବାଭାବିକ ତାପମାତ୍ରାଠାରୁ ବାର୍ଷିକ ତାପମାତ୍ରା ପ୍ରାୟ ୦.୭୧ ଡିଗ୍ରୀ ଅଧିକ ରହିଥିଲା।

୨୦୦୪ରେ ସ୍ବାଭାବିକ ତାପମାତ୍ରାଠାରୁ ୦.୫୫ ଡିଗ୍ରି, ୨୦୧୭ରେ ୦.୫୪୧ ଡିଗ୍ରି, ୨୦୧୦ରେ ୦.୫୩୯ ଡିଗ୍ରି ଲେଖାଏଁ ଅଧିକ ତାପମାତ୍ରା ରେକର୍ଡ ହୋଇଥିଲା। ଏହିସବୁ ବର୍ଷ ଯଥାକ୍ରମେ ଦ୍ବିତୀୟର ଚତୁର୍ଥ ସ୍ଥାନ ପର୍ଯ୍ୟନ୍ତ ରହିଛନ୍ତି। ପଞ୍ଚମ ଉଷ୍ମ ବର୍ଷ ଭାବେ ୨୦୨୨ରେ ୦.୫୧ ଡିଗ୍ରି ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରେକର୍ଡ ହୋଇଛି। ସେହିଭଳି ୨୦୨୧ର ବାର୍ଷିକ ତାପମାତ୍ରା ସ୍ବାଭାବିକଠାରୁ ମଧ୍ୟ ୦.୪୪ ଡିଗ୍ରି ଅଧିକ ରହିଥିଲା।

୨୦୨୨ ଜାନୁଆରି ଓ ଫେବୃଆରି ଶୀତ ଋତୁରେ ଦେଶର ତାପମାତ୍ରା ସ୍ବାଭାବିକଠାରୁ -୦.୦୪ଡିଗ୍ରି ରହିଥିଲା। ଯାହାକି ସ୍ବାଭାବିକ ପରିସରଭୁକ୍ତ। କିନ୍ତୁ ଅବଶିଷ୍ଟ ଋତୁରେ ଦେଶର ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିଥିଲା। ମାର୍ଚ୍ଚରୁ ମେ’ ମାସରେ ଦେଶର ତାପମାତ୍ରା ସ୍ବାଭାବିକଠାରୁ ୧.୦୬ ଡିଗ୍ରି ରହିଥିଲା। ଜୁନ୍‌ରୁ ସେପ୍ଟେମ୍ବରେ  ତାପମାତ୍ରା ସ୍ବାଭାବିକଠାରୁ ୦.୩୬ ଡିଗ୍ରୀ ଓ ଅକ୍ଟୋବରରୁ ଡିସେମ୍ବରେ ତାପମାତ୍ରା ସ୍ବାଭାବିକଠାରୁ ୦.୫୨ ଡିଗ୍ରୀ ଅଧିକ ରହିଥିଲା। ଏଥିପାଇଁ ୨୦୨୨ ଏକ ଉଷ୍ମ ବର୍ଷରେ ପରିଣତ ହୋଇଛି।

ଅନ୍ୟପଟେ ୨୦୨୨ରେ ଉତ୍ତର ଭାରତ ମହାସାଗରରେ ୧୫ଟି ସିଷ୍ଟମ ସୃଷ୍ଟି ହୋଇଥିବା ବେଳେ ସେଥିମଧ୍ୟରୁ ୩ଟି ବାତ୍ୟା ଓ ୧୨ଟି ଅବପାତ ରହିଥିଲା। ତଥ୍ୟ ଅନୁସାରେ ୧୯୬୫ରୁ ୨୦୨୧ ମସିହାର ଗୋଟିଏ ବର୍ଷ‌ରେ ସର୍ବାଧିକ ୧୧ରୁ ୧୨ଟି ସିଷ୍ଟମ ସୃଷ୍ଟି ହେବା କଥା। କିନ୍ତୁ ୨୦୨୨ରେ ସ୍ବାଭାବିକଠାରୁ ୩ରୁ ଅଧିକ ସିଷ୍ଟମ ସୃଷ୍ଟି ହୋଇଛି। ଖାଲି ସେତିକି ନୁହେଁ, ୨୦୨୨‌ରେ ଦେଶର ବିଭିନ୍ନ ଅଂଶରେ ମାତ୍ରାଧିକ ବର୍ଷା, ବନ୍ୟା, ଭୂସ୍ଖଳନ, ବଜ୍ରପାତ, ଝଡ଼ବର୍ଷା ଓ ମରୁଡ଼ି ଭଳି ପରିସ୍ଥିତି ଉପୁଜିଥିବା ଦେଖିବାକୁ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.