ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍, ୨୦୧୯ ମସିହାର ମାମଲା
26/11/2022 at 6:33 PM

କଟକ: ନାବାଳିକା ଦୁଷ୍କର୍ମ ମାମଲାରେ ଅସାମୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ନିର୍ଦ୍ଦେଶ ଦେଇଛନ୍ତି କଟକ ପକ୍ସୋ ଅଦାଲତ । ୧୨ ଜଣ ସାକ୍ଷୀଙ୍କ ଵୟାନ ୧୯ଟି ତଥ୍ୟପ୍ରମାଣ ଆଧାରରେ ୨୦ ବର୍ଷର କାରାଦଣ୍ଡାଦେଶ ସହିତ ୫୦ ହଜାର ଜରିମାନା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହି ଦୁଷ୍କର୍ମ ଘଟଣାରେ ବାଲିଚନ୍ଦ୍ରପୁରର ମଣ୍ଟୁ ମଲ୍ଲିକ ଦୋଷୀ ସାବ୍ୟସ୍ତ ହୋଇଛି।
୨୦୧୯ ମେ ମାସ ୧୯ରେ ଏ ନେଇ ସାଲେପୁର ଥାନାରେ ଅଭିଯୋଗ ହୋଇଥିଲା । ସାଲେପୁର ଅଞ୍ଚଳର ଜଣେ ନାବାଳିକାକୁ ଦୋଷୀ ମଣ୍ଟୁ ମଲ୍ଲିକ ମୋବାଇଲରେ ବାରମ୍ବାର ପ୍ରେମ ନିବେଦନ କରିବା ପରେ, ଅପହରଣ କରି ନେଇଥିଲା । ପୀଡ଼ିତାକୁ ସେ ବାଲିଚନ୍ଦ୍ରପୁର ଅଞ୍ଚଳରେ ରଖି ବାରମ୍ବାର ଦୁଷ୍କର୍ମ କରୁଥିଲା । ମଣ୍ଟୁ ବିବାହିତ ଏବଂ ତିନୋଟି କନ୍ୟା ସନ୍ତାନର ପିତା ମଧ୍ୟ । ବାରମ୍ବାର ଚେଷ୍ଟା ପରେ ପୀଡ଼ିତା ଦୋଷୀ କବଳରୁ ଖସି ଆସିବାରେ ସକ୍ଷମ ହେବା ପରେ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା । ଜିଲ୍ଲା ଆଇନସେବା ପ୍ରାଧିକରଣ ଜରିଆରେ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କଟକ ପକ୍ସୋ ଅଦାଲତ ।