ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବହରାଇଚ ଜିଲ୍ଲରେ ଘଟିଥିବା ହିଂସା ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ ଏନକାଉଣ୍ଟ ହୋଇଛି । ଅଭିଯୁକ୍ତମାନେ ନେପାଳ ଫେରାର ପାଇଁ ଉଦ୍ୟମ କରୁଥିଲେ । ଘଟଣା ପରଠୁ ପୋଲିସ ଏମାନଙ୍କ ସନ୍ଧାନ କରୁଥିଲା । ଆଜି ପୋଲିସ ଗୁଇନ୍ଦା ରିପୋର୍ଟ ଆଧାରରେ ଦୁହିଁଙ୍କ ଠିକଣା ପାଇ ଟ୍ରାକ୍ କରିଥିଲା । ଯେଉଁ ଦୁଇ ଅଭିଯୁକ୍ତଙ୍କୁ ଏନକାଉଣ୍ଟର ହୋଇଛି ସେମାନଙ୍କ ନାଁ ସରଫରାଜ ଓରଫ ରିଙ୍କୁ ଏବଂ ମହମ୍ମଦ ତାଲିମ୍ ଓରଫ ସବଲୁ ।
ଏନକାଉଣ୍ଟର ପରେ ପୋଲିସ ମୁଖ୍ୟାଳୟରେ ଏଡିଜି (ଆଇନ)ଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ସୂଚନା ଅନୁସାରେ ମାମଲାରେ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏନକାଉଣ୍ଟରେ ଦୁଇ ଜଣଙ୍କୁ ଗୁଳି ବାଜିଛି । ନେପାଳ ସୀମା ନିକଟ ହାଣ୍ଡା ବସେହରୀ ନିକଟରେ ଏନକାଉଣ୍ଟର ହୋଇଛି । ଆହତ ଅଭିଯୁକ୍ତଙ୍କ ଚିକିତ୍ସା କରିଥିବା ଡାକ୍ତରଙ୍କ କହିବା ଅନୁସାରେ ଦୁଇ ଅଭିଯୁକ୍ତଙ୍କ ଗୋଡ଼ରେ ଗୁଳି ବାଜିଛି । ଗୁଳି ଭିତରେ ଫସି ରହିଥିବାରୁ ଜିଲ୍ଲା ହସ୍ପିଟାଲକୁ ରେଫର କରାଯାଇଛି ।
ଏନକାଉଣ୍ଟରରେ ଗିରଫ ସରଫରାଜ ଏବଂ ତାଲିମର ଜାହଁପୁରୀ ହସ୍ପିଟାଲରେ ଚିକିତ୍ସା ଚାଲିଛି । ହସ୍ପିଟାଲର ପୂରା ପରିସରରେ ପୋଲିସ ଛାଉଣି ହୋଇଛି । ଏହାସହ ହରଦି ଥାନା ଅନ୍ତର୍ଗତ ମୃତକ ରାମଗୋପାଳ ମିଶ୍ରଙ୍କ ଗାଁରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ବହରାଇଚ ଜିଲ୍ଲାର ମହାରାଜଗଞ୍ଜ ଅଞ୍ଚଳରେ ଅକ୍ଟୋବର ୧୩ରେ ମୂର୍ତ୍ତି ବିସର୍ଜନ ବେଳ ଏକ ନିର୍ଦ୍ଦିଷ୍ଟ ସମୁଦାୟର ଲୋକଙ୍କ ଦ୍ୱାରା ରାମଗୋପାଳଙ୍କୁ ଗୁଳି ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡରେ ସରଫରାଜ ଓରଫ ରିଙ୍କୁ, ଫହୀମ, ଏବଂ ହମୀଦକୁ ଅଭିଯୁକ୍ତ ଦର୍ଶାଯାଇଥିଲା । ଘଟଣା ପରଠୁ ସମସ୍ତେ ଫେରାର ଥିଲେ ।