ସେନା ବସ୍‌ ଉପରେ ଭୟଙ୍କର ଆତଙ୍କବାଦୀ ଆକ୍ରମଣ: ବିସ୍ଫୋରଣରେ ୧୮ ଯବାନ ମୃତ ୨୭ରୁ ଅଧିକ ଆହତ

Published By : Prameya-News7 Bureau | October 13, 2022 IST

ଡାମାସକସ: ଗୃହ ଯୁଦ୍ଧରେ ଛାରଖାର ହୋଇଯାଇଥିବା ସିରିଆ ଏବେ ଆତଙ୍କବାଦର ଭୟଙ୍କର ପରିଣାମ ଦେଖିଛି। ସିରିଆନ ଆର୍ମି ଉପରେ ଭୟଙ୍କର ଆକ୍ରମଣ କରିଛନ୍ତି ଆତଙ୍କବାଦୀ। ଏଥିରେ ୧୮ ଜଣ ଯବାନଙ୍କର ମୃତ୍ୟୁ ହୋଇଥିବା ବେଳେ ୨୭ରୁ ଅଧିକ ଆହତ ହୋଇଛନ୍ତି।

ଗୁରୁବାର ସିରିଆ ରାଜଧାନୀ ଡାମାସକସ୍‌ରେ ଥିବା ସେନା କ୍ୟାମ୍ପ ନିକଟରେ ଏକ ବସ୍‌ରେ ଭୟଙ୍କର ବୋମା ବିସ୍ଫୋରଣ ହୋଇଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଏଥିରେ ସେନା ଯବାନଙ୍କର ଶରୀର ଖଣ୍ଡବିଖଣ୍ଡିତ ହୋଇଯାଇଛି। ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି।

ସିରିଆ ଗଣମାଧ୍ୟମ ସାନାରେ ଏନେଇ ଖବର ପ୍ରକାଶ ପାଇଛି। ପ୍ରକାଶିତ ରିପୋର୍ଟରେ କୁହାଯାଇଛି “ ଡାମାସକସ୍‌ର ଏକ ସ୍ଥାନରେ ମିଲିଟାରୀ ବସ୍‌ରେ ଭୟଙ୍କର ବିସ୍ଫୋରଣ କରାଯାଇଛି। ବସ୍‌ଟି ଉକ୍ତ ସ୍ଥାନ ଦେଇ ଯିବା ପୂର୍ବରୁ ସେଠାରେ ବୋମା ଖଞ୍ଜା ଯାଇଥିଲା। ଏଥିରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି।”

ତେବେ ଏହି ଆକ୍ରମଣରେ କେଉଁ ଆତଙ୍କବାଦୀ ସଂଗଠନ କରିଛି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହି ଦୁର୍ଘଟଣା ପାଇଁ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରି ନାହିଁ। ତେବେ ଜିହାଦି ସଂଗଠନ ଏହି ଆକ୍ରମଣ କରିଥିବେ ବୋଲି କୁହାଯାଉଛି।

ସିରିଆରେ ୨୦୧୧ରୁ ଗୃହ ଯୁଦ୍ଧ ଜାରି ରହିଛି। ଏଥିରେ ପାଖାପାଖି ୫ ଲକ୍ଷରୁ ଅଧିକ ଲୋକ ସେମାନଙ୍କ ଘର ଛାଡ଼ି ଚାଲିଗଲେଣି। ଏହି ସଂଖ୍ୟା ଯୁଦ୍ଧ ପୂର୍ବର ସିରିଆରେ ଥିବା ଜନସଂଖ୍ୟାର ପ୍ରାୟ ଅଧା ହେବ। ତେବେ ସିରିଆ ସେନା ଉପରେ ଏଭଳି ଆତଙ୍କବାଦ ଆକ୍ରମଣ ହେବା ପ୍ରଥମ ଥର ନୁହେଁ, ଚଳିତ ବର୍ଷ ଜୁନ ମାସରେ ସିରିଆର ଉତ୍ତରାଞ୍ଚଳ ସହରରେ ବି ଏମିତି ଏକ ବଡ଼ ଆକ୍ରମଣ ହୋଇଥିଲା। ସେନା ବସ୍ ଉପରେ ବୋମାମାଡ଼ କରିଥିଲା ଆଇଏସ୍ଆଇଏସ୍ ସଂଗଠନ। ଏଥିରେ ୧୩ ଯବାନଙ୍କର ମୃତ୍ୟୁ ହୋଇଥିଲା।

ସେହିପରି ଚଳିତ ବର୍ଷ ମାର୍ଚ୍ଚ ମାସରେ ବି ସେନା ବସ୍‌ ଉପରେ ଭୟଙ୍କର ଆକ୍ରମଣ କରିଥିଲା ଆଇଏସ୍ଆଇଏସ୍ ସଂଗଠନ। ଏଥିରେ ୧୫ ଯାବନଙ୍କର ମୃତ୍ୟୁ ହୋଇଥିଲା। ସେହିପରି ଗତ ବର୍ଷ ଅକ୍ଟୋବର ମାସରେ ବି ଡାମାସକସରେ ସେନା ବସ୍‌ ଉପରେ ଆକ୍ରମଣ କରିଥିଲେ ଆତଙ୍କବାଦୀ। ଏଥିରେ ମଧ୍ୟ ୧୩ ଯବାନଙ୍କର ମୃତ୍ୟୁ ହୋଇଥିଲା। ତେବେ ଏହି ଆକ୍ରମଣ ପାଇଁ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିଥିଲେ।    

  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.