ଦ୍ୱାଦଶ ଶତାବ୍ଦୀରେ ଭାରତରୁ ଚୋରି ହୋଇଥିଲା ପ୍ରତିମୂର୍ତ୍ତି, ୫୦ବର୍ଷରୁ ଅଧିକ ସମୟ ପରେ ମିଳିଲା ନ୍ୟୁୟର୍କରେ

Published By : Prameya-News7 Bureau | August 10, 2022 IST

ନୂଆଦିଲ୍ଲୀ 10/08 :  ଦ୍ୱାଦଶ ଶତାବ୍ଦୀରେ ତାମିଲନାଡୁରୁ ଏକ ଦୁର୍ଲଭ ଦେବୀମୂର୍ତ୍ତି ଚୋରି ହୋଇଥିଲା । ପ୍ରାୟ  ୫୧ ବର୍ଷ ପରେ ଏବେ ଏହା ଆମେରିକାର ନ୍ୟୁୟର୍କ  ସହରରେ ଠାବ ହୋଇଛି । ଦ୍ୱାଦଶ ଶତାବ୍ଦୀର ଏହି  ମୂର୍ତ୍ତି ମାଆ ପାର୍ବତୀଙ୍କର । ୧୯୭୧ରେ ଚୋରି ହୋଇଥିବା ଏହି ମୂର୍ତ୍ତି ବୋନହାମ୍‌ସ ଅକ୍ସନ୍‌  ହାଉସ୍‌ରେ ଚିହ୍ନଟ କରାଯାଇଛି । ବୋନହାମ୍‌ସ ହେଉଛି ଏକ ଅନ୍ତର୍ଜାତୀୟ ନିଲାମ ପରିଚାଳନାକାରୀ ଘରୋଇ  ସଂସ୍ଥା, ଯାହାର ମୁଖ୍ୟକାର୍ଯ୍ୟାଳୟ ଲଣ୍ଡନରେ ରହିଛି । ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ମୁତାବକ, ଏହି ମୂର୍ତ୍ତି ୧୯୭୧ରେ ନନ୍ଦନପୁରେଶ୍ୱରର ଶିବ ମନ୍ଦିରରୁ ଚୋରି ହୋଇଥିଲା ।  ସେତେବେଳେ ବହୁ ଖୋଜାଖୋଜି ପରେ ବି ସନ୍ଧାନ ମିଳି  ନଥିଲା । ବର୍ତ୍ତମାନ ଏହାକୁ ନ୍ୟୁୟର୍କରେ ଠାବ କରାଯିବା ପରେ ଏଥିସଂକ୍ରାନ୍ତ ଦସ୍ତାବିଜ ପ୍ରସ୍ତୁତ କରାଯାଉଛି । ମୂର୍ତ୍ତିକୁ ଖୁବଶୀଘ୍ର  ଭାରତ ଫେରାଇ ଅଣାଯିବ । ଉଲ୍ଲେଖଯୋଗ୍ୟ, କିଛି ବର୍ଷ ହେଲା  ଭାରତ ଏହାର ପୁରୁଣା ତଥା ଦୁର୍ଲଭ ମୂର୍ତ୍ତି ଓ କଳାକୃତି ଉଦ୍ଧାର  ପାଇଁ ଉଦ୍ୟମ ଆରମ୍ଭ କରିଛି । ମନ୍ଦିରଗୁଡ଼ିକରୁ ଚୋରିଯାଇଥିବା  କଳାକୃତିକୁ ଫେରି ପାଇବା ପାଇଁ ଚେଷ୍ଟା କରାଯାଉଛି ।

୨୦୧୪  ପରଠାରୁ ଭାରତକୁ ସଫଳତାପୂର୍ବକ ୨୦୦ରୁ ଅଧିକ ମୂଲ୍ୟବାନ  ମୂର୍ତ୍ତି ଫେରାଇ ଅଣାଯାଇଥିବା ଚଳିତବର୍ଷ ଫେବ୍ରୁଆରୀରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ । ୨୦୨୦ରେ ବ୍ରିଟେନ୍‌ ୩ଟି କାଂସ୍ୟ ମୂର୍ତ୍ତି ଭାରତ  ସରକାରଙ୍କୁ ଫେରାଇଥିଲା। ଯାହାକୁ ୪୦ ବର୍ଷ ପୂର୍ବେ  ତାମିଲନାଡୁର ଏକ ମନ୍ଦିରରୁ ଚୋରାଇ ନିଆଯାଇଥିଲା ।  ଗତ କିଛି ବର୍ଷ ମଧ୍ୟରେ ଭାରତ ଫେରିଥିବା ମୂର୍ତ୍ତି ମଧ୍ୟରେ  ଥିଲା ଏକ କାଂସ୍ୟ ନଟରାଜ ମୂର୍ତ୍ତି, ଯେଉଁଥିରେ ହିନ୍ଦୁ ଦେବତା  ଶିବ ନୃତ୍ୟଶୈଳୀରେ ଥିଲେ । ୯୦୦ ବର୍ଷ ପୁରୁଣା ଏହି ମୂର୍ତ୍ତିକୁ  ୨୦୦୮ରେ ନ୍ୟାସନାଲ ଗ୍ୟାଲେରି ଅଫ୍‌ ଅଷ୍ଟ୍ରେଲିଆ କିଣିଥିଲା । ତାମିଲନାଡୁରେ ୧୯୭୧ରେ ନଦନାପୁରେଶ୍ୱର  ଶିବନ୍‌ ମନ୍ଦିରରୁ ୫ଟି ମୂର୍ତ୍ତି ଚୋରି ହୋଇଥିଲା । ଏଥିରେ  ପାର୍ବତୀଙ୍କ ମୂର୍ତ୍ତି ଥିଲା । ୨୦୧୯ରେ ମନ୍ଦିରର ଜଣେ ଟ୍ରଷ୍ଟି  ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ ହୋଇଥିଲା। ଆଉ ସଫଳତା ବି ମିଳିଲା। ତେବେ ସେହି ମୂର୍ତ୍ତିର ଉଚ୍ଚତା ୫୨ ସେଣ୍ଟିମିଟର ଏବଂ ଏହାର ମୂଲ୍ୟ  ୨,୧୨,୫୭୫ ଡଲାର ବୋଲି ପୁଲିସ ଆଇଡଲ ୱିଙ୍ଗ୍ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଏହି ପ୍ରତିମୂର୍ତ୍ତିର ମାଲିକାନା ଦାବି କରିବାକୁ ଆମର ଅଧିକାର ରହିଛି। କାହିଁକିନା ୟୁନେସ୍କୋର ବିଶ୍ୱ ଐତିହ୍ୟ ସମ୍ମିଳନୀର 1972ରୁ ଭାରତ ବି ଏହାର ଏକ ଅଂଶ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.