ଆମେ ପ୍ରକୃତ ଶେଷ ଚାହୁଁଛୁ, ଅସ୍ତ୍ର ବିରତୀ ନୁହେଁ: ଇସ୍ରାଏଲ-ଇରାନ ସଂଘର୍ଷ ନେଇ ଏପରି କହିଲେ ଟ୍ରମ୍ପ

Published By : Prameya-News7 Bureau | June 17, 2025 IST

indiatoday

ନୂଆଦିଲ୍ଲୀ: ଇସ୍ରାଏଲ୍ ଓ ଇରାନ ଯୁଦ୍ଧ ୫ ଦିନରେ ପ୍ରବେଶ କରିଥିବା ବେଳେ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଆମେ ଅସ୍ତ୍ର ବିରତୀ ଚାହୁଁ ନାହୁଁ, ସବୁଦିନ ପାଇଁ ଶତ୍ରୁତା ଶେଷ କରିବାକୁ ଚାହୁଁଛୁ। ସାମ୍ବାଦିକଙ୍କୁ ପ୍ରତିକ୍ରିୟା ଦେଇ ଟ୍ରମ୍ପ କହିଛନ୍ତି ଆମେ ଅସ୍ତ୍ର ବିରତୀ ଠାରୁ ବି କିଛି ଭଲ ଚାହୁଁଛୁ। 

ଇରାନ-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ବଢ଼ି ଚାଲିଥିବା ବେଳେ ମଧ୍ୟପ୍ରାଚ୍ୟରେ ଟେନ୍‌ସନ ବଢ଼ିଯାଇଛି। ଅନ୍ତର୍ଜାତୀୟ ବଜାରରେ ତୈଳ ଦର ସହିତ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ମହଙ୍ଗା ହେଉଛି। ତେଣୁ କୂଟନୈତିକ ଆଧାରରେ ସମସ୍ୟାର ସମାଧାନ କରିବା ପାଇଁ ବିଶ୍ୱସାରା ଚାପ ସୃଷ୍ଟି ହୋଇଥିବା ବେଳେ ଟ୍ରମ୍ପଙ୍କ ବୟାନ ସାମ୍ନାକୁ ଆସିଛି।  

ସେହିପରି ଇସ୍ରାଏଲ୍‌କୁ ଆମେରିକାର ସହାୟତା ନେଇ ଟ୍ରମ୍ପ କହିଛନ୍ତି ଯେ ବର୍ତ୍ତମାନ ଆମେ ଭଲ କାମ କରୁଛୁ। ମନେ ରଖିବାକୁ ହେବ ଯେ ଇରାନ ପାଖରେ କୌଣସିମତେ ନ୍ୟୁକ୍ଲିୟର ଅସ୍ତ୍ର ରହିବା ଉଚିତ୍ ନୁହେଁ ବୋଲି ଟ୍ରମ୍ପ କହିଛନ୍ଚତି। ଗୋଟିଏ ପଟେ ଇରାନକୁ ଧମକ ଓ ଚେତାବନୀ ଅନ୍ୟପଟେ ଶାନ୍ତିର ବାର୍ତ୍ତା ଟ୍ରମ୍ପଙ୍କ ଆଭିମୁଖ୍ୟକୁ ଦ୍ୱନ୍ଦ୍ୱାତ୍ମକ କରିଦେଉଛି।

ସେପଟେ ନ୍ୟୁଜ୍ ଏଜେନ୍ସି ରଏଟର୍ସର ରିପୋର୍ଟ ଅନୁସାରେ, ଇରାନ ସହିତ କୂଟନୈତିକ ସ୍ତରରେ ଆଲୋଚନା ପାଇଁ ରାଷ୍ଟ୍ରପତି ଟ୍ରମ୍ପ ଉପରାଷ୍ଟ୍ରପତି ଜେଡି ଭାନ୍ସ ଓ ମଧ୍ୟପ୍ରାଚ୍ୟ ରାଷ୍ଟ୍ରଦୂତ ଷ୍ଟିଭ୍ ୱିଟକଫଙ୍କୁ ପଠାଇପାରନ୍ତି। ଇସ୍ରାଏଲ୍‌ର ଆକ୍ରମଣ ନେଇ ଟ୍ରମ୍ପ ସାମ୍ବାଦିକଙ୍କୁ କହିଥିଲେ ଯେ ଏର୍ଯ୍ୟନ୍ତ କେହି ଅଟକିବାକୁ ନାରାଜ। ତେବେ ଦୁଇ ଦିନ ମଧ୍ୟରେ ଆପଣ ସବୁକିଛି ଜାଣିପାରିବେ। 

ଏହା ପୂର୍ବରୁ ସୋମବାର ଜି-୭ ଶିଖର ସମ୍ମିଳନୀରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସିଧା ସିଧା ଇସ୍ରାଏଲ୍‌କୁ ସମର୍ଥନ ଘୋଷଣା କରିଥିଲେ। ଇସ୍ରାଏଲ ସହିତ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଇରାନ ଜିତି ପାରିବ ନାହିଁ। ତେଣୁ ବିଳମ୍ବ ହେବା ପୂର୍ବରୁ ଇରାନ ଆଲୋଚନାର ବାଟକୁ ଫେରିଯିବା ଉଚିତ ବୋଲି ଟ୍ରମ୍ପ କହିଥିଲେ। 

ଏଥିସହିତ ଜି-୭ ଶିଖର ସମ୍ମିଳନୀରେ, ଯେତେବେଳେ ବ୍ରିଟେନ, କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ ଏବଂ ୟୁରୋପୀୟ ସଂଘର ଅନ୍ୟ ନେତାମାନେ ବିଶ୍ୱ ସଙ୍କଟ ଉପରେ ଏକତା କଥା କହୁଥିଲେ ଓ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ହ୍ରାସ ପାଇଁ ଆହ୍ୱାନ ଦେଇ ମିଳିତ ବିବୃତ୍ତି ଜାରି କରିଥିଲେ। ହେଲେ ଟ୍ରମ୍ପ ଏହାକୁ ସମର୍ଥନ କରିବାକୁ ମନା କରିଦେଇଥିଲେ। ସୂଚନା ଥାଉକି ଡୋନାଲ୍ଡ ଟ୍ରମ୍ପ ଜି-୭ ବୈଠକ ଛାଡି ଆମେରିକା ଫେରିଯାଇଛନ୍ତି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.