ନୂଆଦିଲ୍ଲୀ: ମୋଟର ସାଇକେଲ ଚାଳକଙ୍କୁ ସଡ଼କ ଦୁର୍ଘଟଣାରୁ ସୁରକ୍ଷା ଦେବା, କେନ୍ଦ୍ର ସରକାରଙ୍କ ପାଇଁ ସବୁବେଳେ ଏକ ବଡ଼ ଚ୍ୟାଲେଞ୍ଜ୍ ହୋଇ ଆସିଛି। ତେଣୁ ଏହାକୁ ରୋକିବାକୁ ସରକାର ବ୍ୟବସ୍ଥାରେ ପରିବର୍ତ୍ତନ କରିବାକୁ ଯୋଜନା କରିଛନ୍ତି। ମୋଟର ସାଇକେଲ ଚାଳକଙ୍କ ସୁରକ୍ଷା ପାଇଁ ସମସ୍ତ ମୋଟରସାଇକେଲ, ବାଇକ ଓ ସ୍କୁଟିରେ ଆଣ୍ଟି ଲକ୍ ବ୍ରେକିଂ ସିଷ୍ଟମ(ଏବିଏସ୍) ବାଧ୍ୟତାମୂଳକ କରାଯିବ।
ଆସନ୍ତା ବର୍ଷ ଜାନୁଆରୀ ପରେ ନିର୍ମାଣ ହେବାକୁ ଥିବା ସମସ୍ତ ମୋଟରସାଇକେଲ୍ରେ ଏହି ସିଷ୍ଟମ ଲଗାଇବାକୁ ବାଧ୍ୟତାମୂଳକ କରିବାକୁ ସଡ଼କ ପରିବହନ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। କେବଳ ସେତିକି ନୁହେଁ, ମନ୍ତ୍ରଣାଳୟ ଖୁବ୍ ଶୀଘ୍ର ନିର୍ମାତା ଏବଂ ଡିଲରମାନଙ୍କୁ ବିକ୍ରି ସମୟରେ ଦୁଇଚକିଆ ଯାନ ସହିତ ଦୁଇଟି ବିଆଇଏସ୍-ପ୍ରମାଣିତ ହେଲମେଟ ଦେବାକୁ ମଧ୍ୟ ବାଧ୍ୟତାମୂଳକ କରିବ।
ଦେଶରେ ଘଟୁଥିବା ମୋଟ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁର ପ୍ରାୟ ୪୪% ଦୁଇଚକିଆ ଯାନ ଚାଳନରେ ଘଟୁଛି। ଏଥିମଧ୍ୟରୁ ଅଧିକାଂଶ ମୁଣ୍ଡରେ ଆଘାତ ଯୋଗୁ ହେଉଛି। କାରଣ ଚାଳକମାନେ ସୁରକ୍ଷା ସାମଗ୍ରୀ ପିନ୍ଧୁ ନାହାନ୍ତି। ତେଣୁ ଏହି ନିଷ୍ପତ୍ତି ସେମାନଙ୍କ ଜୀବନର ସୁରକ୍ଷା ଦିଗରେ ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି ମନ୍ତ୍ରଣାଳୟ କହିଛି।
ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରେ, ଏଇ କିଛିଦିନ ମଧ୍ୟରେ ମନ୍ତ୍ରମାଳୟ ପକ୍ଷରୁ ଏହି ନୂଆ ନିୟମ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ। ବର୍ତ୍ତମାନ, କେବଳ ୧୨୫ସିସିରୁ ଅଧିକ ଇଞ୍ଜିନ କ୍ଷମତା ବିଶିଷ୍ଟ ଦୁଇଚକିଆ ଯାନ ପାଇଁ ଏବିଏସ୍ ବାଧ୍ୟତାମୂଳକ କରାଯାଇଛି। ତେଣୁ ୪୫% ବାଇକ୍ ଏବଂ ମୋଟରସାଇକେଲରେ ଏହି ସେଫ୍ଟି ଫିଚର୍ସ ନାହିଁ। ହେଲେ ନୂଆ ବିଜ୍ଞପ୍ତି ପ୍ରକାଶ ପାଇଲେ ଏବିଏସ୍ ସିଷ୍ଟମକୁ ସମସ୍ତ ନୂଆ ବାଇକ୍ ଓ ମୋଟରସାଇକେଲଲେ ଲାଗୁ କରାଯିବ। କାରଣ ପ୍ରାୟତଃ ବର୍ତ୍ତମାନର ସବୁ ବାଇକ ଘଣ୍ଟା ପ୍ରତି ୭୦ କିଲୋମିଟର ସ୍ପିଡ୍ରେ ହାସଲ କରିପାରୁଛନ୍ତି। ତେଣୁ ଦୁର୍ଘଟଣାର ସମ୍ଭାବନା ହ୍ରାସ କରିବା ପାଇଁ ଏହି ସିଷ୍ଟମ ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି ମନ୍ତ୍ରଣାଳୟ କହିଛି।
ଏବିଏସ୍ ସିଷ୍ଟମ କ’ଣ
ABS ଏକ ସୁରକ୍ଷା ଫିଚର୍ସ। ଯାହା ହଠାତ୍ ବ୍ରେକିଂ ସମୟରେ ବାଇକ ଚକର ହଠାତ୍ ଲକ୍-ଅପ୍କୁ ରୋକିବା ସହ ଧୀରେ ଧୀରେ ବାଇକ୍ ଅଟକାଇଥାଏ। ବିଶେଷ କରି ଖସରା ରାସ୍ତାରେ ଏହି ସିଷ୍ଟମ ବହୁତ ଦରକାରୀ ହୋଇଥାଏ। ଯେତେବେଳେ ଚାଳକ ଜରୁରୀକାଳୀନ ପରିସ୍ଥିତିରେ ହଠାତ୍ କଡ଼ା ବ୍ରେକ୍ ଲଗାନ୍ତି, ଟାୟାର ଖସିଯାଏ ନାହିଁ ଏବଂ ବାଇକ୍ ତା'ର ସନ୍ତୁଳନ ବଜାୟ ରଖେ। ଆଜିକାଲି ଦୈନନ୍ଦିନ ଜୀବନରେ ଏବିଏସ୍ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଉପଯୋଗୀ ଫିଚର୍ସ। ବିଭିନ୍ନ ଅଧ୍ୟୟନ ଏବଂ ଆକଳନ ଅନୁସାରେ, ଏବିଏସ୍ ସିଷ୍ଟମ ସଡ଼କ ଦୁର୍ଘଟଣାକୁ ୩୫-୪୫% ହ୍ରାସ କରିପାରିବ।
କେମିତି କାମ କରେ ଏବିଏସ୍ ?
• ABS ରେ କିଛି ସ୍ୱତନ୍ତ୍ର ସେନ୍ସର ଏବଂ ଇଲେକ୍ଟ୍ରୋନିକ୍ କଣ୍ଟ୍ରୋଲ୍ ୟୁନିଟ୍ (ECU) ଅଛି, ଯାହା ଟାୟାରର ଗତିକୁ ନିରନ୍ତର ନିରୀକ୍ଷଣ କରେ।
• ଆପଣ ବ୍ରେକ୍ ଲଗାଇବା ମାତ୍ରେ, ସେନ୍ସରଗୁଡ଼ିକ ଟାୟାରର ସ୍ପିଡ୍ ମନିଟର କରେ।
• ହଠାତ୍ ବ୍ରେକ୍ ଯୋଗୁ ଯଦି ଟାୟାର ହଠାତ୍ ଲକ୍ ହୋଯାଏ ତେବେ ABS କିଛି ସମୟ ପାଇଁ ସେହି ଟାୟାରରେ ବ୍ରେକ୍ ପ୍ରେସରକୁ କମାଇ ଦିଏ।
• ବାଇକ୍ ସନ୍ତୁଳିତ ହେବା ମାତ୍ରେ, ଏହି ସିଷ୍ଟମ୍ ପୁଣି ତୁରନ୍ତ ବ୍ରେକ୍ ଲଗାଏ।
• ଏହି ପ୍ରକ୍ରିୟା ପ୍ରତି ସେକେଣ୍ଡରେ ଅନେକ ଥର ହୁଏ, ଯେମିତି ୟାଟର ନ ଖସଡିବ।
• ଫଳରେ ଚାଳକ ଯେତେ କଡ଼ା ବ୍ରେକ୍ ମାରିଲେ ବି ଟାୟାର ଖସଡେ ନାହିଁ, ଡ୍ରାଇଭର ନିୟନ୍ତ୍ରଣରେ ରହିଥାଏ।
ଏବିଏସ୍ କେତେ ପ୍ରକାରର ହୋଇଥାଏ ?
ସିଙ୍ଗଲ୍ ଚ୍ୟାନେଲ୍ ABS: କେବଳ ଆଗ ଚକରେ କାମ କରେ।
ଡୁଆଲ୍ ଚ୍ୟାନେଲ୍ ABS: ଆଗ ଏବଂ ପଛ ଉଭୟ ଚକରେ କାମ କରେ। ଏହାକୁ ଅଧିକ ସୁରକ୍ଷିତ।