ମୈଦାନରେ ଚଳଚ୍ଚିତ୍ର ତାରକା; କାହାକୁ ମିଳୁଛି ଟିକେଟ୍ କାହାର କଟୁଛି…ଅନୁଭବ ଓ ଅରିନ୍ଦମଙ୍କୁ ମିଳିବ ତ ?

Published By : Prameya-News7 Bureau | April 22, 2024 IST

ଭୁବନେଶ୍ୱର 22/24 : ନିର୍ବାଚନ ମୈଦାନରେ କମର ଭିଡିଲେଣି ଚଳଚ୍ଚିତ୍ର ତାରକା । ଜୋରଦାର ଲଢ଼େଇ ହେବ । ଖୁବ୍‌ ଜମିବ ପ୍ରଚାର । ଚଳିତ ସାଧାରଣ ନିର୍ବାଚନରେ ଓଲିଉଡ୍‌ ଷ୍ଟାର୍‌ଙ୍କ ଦମ୍‌ଦାର୍‌ ପ୍ରଦର୍ଶନ ଦେଖିବ ଓଡ଼ିଶା । ଆଉ ମାତ୍ର ଦିନ କେଇଟା । ତାପୂର୍ବରୁ କାହାକୁ ମିଳୁଛି ଟିକଟ କାହାର କଟୁଛି, ଦେଖିବା ବାକି ରହିଲା । ସେ ଭିତରେ ଦଳଡିଆଁ କିଛି ତାରକା ଟିକଟ ପାଇଥିବାବେଳେ ଆଉ କିଛି ଆଶାୟୀ ଅଛନ୍ତି । ମୈଦାନରେ ଲଢ଼େଇ ପାଇଁ ସିଦ୍ଧାନ୍ତ, ଆକାଶ ଓ ବର୍ଷା ପ୍ରସ୍ତୁତ ଥିଲାବେଳେ ଏବେ ବି ଭାଗ୍ୟ ପରୀକ୍ଷାରେ ଅରିନ୍ଦମ ଓ ଅନୁଭବ । ସେପଟେ ସଂସଦୀୟ କ୍ଷେତ୍ର ଲାଗି ମାଇଣ୍ଡଗେମ୍‌ କରୁଛନ୍ତି ମାଇଣ୍ଡଗେମ୍‌ଫେମ୍‌ ମନୋଜ ମିଶ୍ର ।


ରାଜ୍ୟରେ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ବିଧାନସଭା, ଲୋକସଭା ଆସନ ଟିକଟ ଘୋଷଣା କରିଚାଲିଛନ୍ତି । ଏସବୁ ଭିତରେ ବିଜେଡି ଛାଡ଼ି ବିଜେପିକୁ ଯାଇଥିବା ଦୁଇଥରର ବ୍ରହ୍ମପୁର ଲୋକସଭା ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କୁ ମିଳିଛି ଟିକେଟ। ଏହାସହ  କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀ ପୂର୍ବତନ ବିଧାୟକ ତଥା ମୋ କଲେଜଅଧ୍ୟକ୍ଷ ଅଭିନେତା ଆକାଶ ଦାସ ନାୟକଙ୍କୁ ବି ଟିକଟ ମିଳିଛି । ସିଦ୍ଧାନ୍ତ ଗତ ମାର୍ଚ୍ଚ ୨୮ରେ ନୂଆଦିଲ୍ଲୀ ଯାଇ ହଠାତ୍‌ ବିଜେପିରେ ମିଶିବା ସମସ୍ତଙ୍କୁ କରିଥିଲା ଆଶ୍ଚର୍ଯ୍ୟ । ସେହିପରି ଆକାଶ ମାର୍ଚ୍ଚ ୩୦ରେ ବିଜେଡିରୁ ଇସ୍ତଫା ଦେଇ ପରଦିନ ବିଜେପିରେ ମିଶିଥିଲେ । ଏପ୍ରିଲ୍‌ ୨ରେ ବିଜେପିର ୧୧୨ ଜଣିଆ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିଲା । ସେଥିରେ ଦିଗପହଣ୍ଡିରୁ ସିଦ୍ଧାନ୍ତ ଏବଂ କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଭାବେ ଆକାଶଙ୍କ ନାଁ ହୋଇଥିଲା ଘୋଷଣା । ଯଦିଓ ଏହି ଆସନ ପାଇଁ ଅନ୍ୟମାନେ ଆଶାୟୀ ଥିଲେ ଏବଂ ବିଦ୍ରୋହ ହୋଇଥିଲା କିନ୍ତୁ ଦଳ ଦୁଇ ତାରକାଙ୍କ ଉପରେ କରିଥିଲା ଭରସା । ପୂର୍ବଥର ଦିଗପହଣ୍ଡିରୁ ବିଜେପିର ତାରକା ଅଭିନେତ୍ରୀ ପିଙ୍କି ପ୍ରଧାନ ନିର୍ବାଚନ ଲଢ଼ି ହାରିଥିଲେ । ଏଥର ଲଢ଼ିବେ ଓଲିଉଡ୍‌ ଏଭରଗ୍ରୀନ୍‌ ଷ୍ଟାର୍‌ ସିଦ୍ଧାନ୍ତ ଓରଫ୍‌ ମୁନ୍ନା ଭାଇ ଏବଂ କୋରେଇରୁ ହ୍ୟାଣ୍ଡସମ୍‌ ଓ ଆକ୍ସନ୍‌ ଷ୍ଟାର୍‌ ଆକାଶ । 


ଓଲିଉଡ୍‌ର ଏହି ଦୁଇ ଅଭିନେତାଙ୍କ ପୂର୍ବରୁ ପ୍ରଥମେ ଆକ୍ସନ୍‌ ଷ୍ଟାର୍‌ ଅରିନ୍ଦମ ରୟ ଶଙ୍ଖ ଫୁଙ୍କିବା ଛାଡ଼ି ପଦ୍ମ ଧରିଥିଲେ । ତାଙ୍କ ପରେ ଯେତେଜଣ ବିଜେଡି ଛାଡ଼ି ବିଜେପିକୁ ଆସିଲେ ସେ ସମସ୍ତଙ୍କୁ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କଲେ । ହେଲେ ତାଙ୍କୁ ଏଯାଏ ଟିକଟ ମିଳିନି। ମାର୍ଚ୍ଚ ୧୫ରେ ବିଜେଡିର ପ୍ରାଥମିକ ସଦସ୍ୟ ପଦକୁ ଇସ୍ତଫା ଦେବାର ସ୍ୱଳ୍ପ ସମୟ ମଧ୍ୟରେ ବିଜେପିରେ ମିଶିଥିଲେ । ଏବେ ସେ ବିଜେପିରୁ ଟିକଟ ଆଶାୟୀ ଅଛନ୍ତି । ପୂର୍ବରୁ ବିଜେଡିରେ ଥିବା ସମୟରୁ ବାରବାଟୀ-କଟକ ବିଧାନସଭା ନିର୍ବାଚନମଣ୍ଡଳୀରୁ ସେ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଲାଗିଥିଲା ତାହା ଏବେ ବି ଜାରି ରହିଛି । ମାତ୍ର କିଛିଦିନ ହେବ ସେ ସାଲେପୁର ଅଞ୍ଚଳରେ ବୁଲି ବିଜେପିର ପ୍ରଚାର କରୁଛନ୍ତି । ହେଲେ ଦଳ ତାଙ୍କୁ ଟିକଟ ଦେବ କି ନାହିଁ ତାହା ଆଉ କିଛିଦିନ ପରେ ସ୍ପଷ୍ଟ ହୋଇଯିବ । 

Also Read-

ଗୋଡ଼ କାଢି ବସିଛନ୍ତି ସୁର, ହେଲେ ବାପାକୁ ନେଇ ପ୍ରଚାର କରିବାକୁ ଅମଙ୍ଗ ଦୁଇ ପୁଅ


ସେହିପରି ଦୀର୍ଘ ବର୍ଷ ବିଜେଡିରେ ଥିବା ମେଗାଷ୍ଟାର୍‌ ତଥା ସାଂସଦ ଅନୁଭବ ମହାନ୍ତି  ଆକାଶଙ୍କ ସହ ମାର୍ଚ୍ଚ ୩୦ରେ ବିଜେଡି ଛାଡ଼ିଥିଲେ । ଆକାଶ ଟିକଟ ହାତେଇ ସାରିଛନ୍ତି, ଅନୁଭବଙ୍କ ହାତ ଖାଲି । ସେ ବି ସିଦ୍ଧାନ୍ତଙ୍କ ପରି ନୂଆଦିଲ୍ଲୀରେ ଯାଇ ଏପ୍ରିଲ୍‌ ୧ରେ ବିଜେପିରେ ମିଶିଥିଲେ । ତାପରଦିନ ଦଳର ଯେଉଁ ତାଲିକା ଆସିଥିଲା, ସେଥିରେ ଅନୁଭବଙ୍କ ନାଁ ନଥିଲା । ସେ ଟିକଟ ଆଶାୟୀ ଥିବାବେଳେ ତାଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି । ଅନୁଭବ ବାରବାଟୀ-କଟକ ଓ ସାଲେପୁର ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ କୌଣସି ଆସନ ମିଳିବା ନେଇ ଆଶାବାଦୀ । ମାତ୍ର ବିଜେପିରେ ମିଶିବା ପରଠୁ ସେ କୌଣସି ଦଳୀୟ କାର୍ଯ୍ୟକ୍ରମରେ ନାହାନ୍ତି ସକ୍ରିୟ । ସମସ୍ତଙ୍କୁ ଦଳ ସ୍ୱାଗତ କରୁଥିବାବେଳେ ତାଙ୍କୁ ଏଯାଏ କରିନାହିଁ । ତେଣୁ ତାଙ୍କୁ ନେଇ ଦ୍ୱନ୍ଦ୍ୱ ରହିଥିଲାବେଳେ ସେ ବି ଆଶା ଆଶଙ୍କାରେ ରହିଛନ୍ତି । 


ଅନ୍ୟପକ୍ଷରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଗତ ୧୮ ତାରିଖରେ ବିଧିବଦ୍ଧ ଭାବେ ବିଜେଡିରେ ମିଶିଥିଲେ । ଦଳ ତାଙ୍କୁ ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରିଛି । ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍‌ପ୍ରାଇଜ୍‌ କାର୍ଡ ଖେଳି ଜଣେ ମହିଳାଙ୍କୁ ପ୍ରାର୍ଥୀ କରିଛନ୍ତି । ଏଠି ବରିଷ୍ଠ ରାଜନେତା ଅମର ଶତପଥୀଙ୍କ ଟିକଟ୍‌ କଟିଛି । ପୂର୍ବରୁ ବର୍ଷା ବିଭିନ୍ନ ନିର୍ବାଚନରେ ବିଜେଡି ପାଇଁ ପ୍ରଚାର କରିଛନ୍ତି । ଗତ ଫେବୃୟାରୀ ୧୦ରେ କଂଗ୍ରେସରେ ମିଶିଥିଲେ ଚର୍ଚ୍ଚିତ ଅଭିନେତା ମନୋଜ ମିଶ୍ର । ତାଙ୍କ ଲୋକପ୍ରିୟତାକୁ ଆଧାର କରି ଦଳ ତାଙ୍କୁ ବଲାଙ୍ଗୀରରୁ ଲୋକସଭା ଆସନ ପାଇଁ ସାଂସଦ ପ୍ରାର୍ଥୀ କରିଛି । ଏପ୍ରିଲ୍‌ ୨ରେ ଦଳ ପକ୍ଷରୁ ତାଙ୍କ ନାଁ ଘୋଷଣା ହୋଇଥିଲା । ସେ କଂଗ୍ରେସର ଏକମାତ୍ର ଷ୍ଟାର୍‌ । 


ଏହାବାଦ୍‌ ଯେଉଁ ଅଭିନେତା ଓ ଅଭିନେତ୍ରୀମାନେ ରାଜ୍ୟର ବିଭିନ୍ନ ଦଳରେ ଅଛନ୍ତି ସେମାନଙ୍କୁ ପୂର୍ବ ନିର୍ବାଚନରେ ଅଂଶଗ୍ରହଣର ସୁଯୋଗ ମିଳିଥିଲା । ଏଥର ସେମିତି କିଛି ଘଟଣା ଘଟିନି। ସମସ୍ତଙ୍କୁ ଷ୍ଟାର୍‌ ପ୍ରଚାରକ ଭାବେ ସୁଯୋଗ ଦେବାକୁ ଦଳମାନେ ଚିନ୍ତା କରିଛନ୍ତି । ଫଳରେ ବହୁ ଷ୍ଟାର୍‌ ଆଶାୟୀଙ୍କ ଆଶା ମଉଳିଛି । ବଡ଼ କଥା ହେଲା, ବିଜେପିରେ ମିଶିଥିବା ଏହି ଦୁଇ ଅଭିନେତା ଅମନୁଭବ ଓ ଅରିନ୍ଦମଙ୍କ ଉପରେ ସମସ୍ତଙ୍କ ନଜର । ସେମାନଙ୍କ ରାଜନୈତିକ କ୍ୟାରିଅର କେଉଁ ଦିଗକୁ ଯିବ ତାକୁ ଅପେକ୍ଷା ।


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.