ଗୋଡ଼ କାଢି ବସିଛନ୍ତି ସୁର, ହେଲେ ବାପାକୁ ନେଇ ପ୍ରଚାର କରିବାକୁ ଅମଙ୍ଗ ଦୁଇ ପୁଅ

Published By : Prameya-News7 Bureau | April 21, 2024 IST

ଭୁବନେଶ୍ଵର:  କଂଗ୍ରେସ ଗତକାଲି ପ୍ରକାଶ କରିଥିବା ପ୍ରାର୍ଥୀ ତାଲିକାରେ ହେମାନନ୍ଦ ବିଶ୍ବାଳଙ୍କ ଝିଅ ଅମିତା ବିଶ୍ବାଳ ଏବଂ ସୁର ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ସୁଯୋଗ ମିଳିଛି। କିନ୍ତୁ ଏଥର ନିର୍ବାଚନ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ଦୁଇ ହାତରେ ଗୁଡ଼। ବଡ଼ ପୁଅ ନିମାପଡ଼ାରୁ କଂଗ୍ରେସ ବିଧାୟକ ପ୍ରାର୍ଥୀ ଓ   ସାନପୁଅ ଭୁବନେଶ୍ବରରୁ ଲୋକସଭା ପ୍ରାର୍ଥୀ । ତେବେ ଦୁଇ ପୁଅ ବାପା ସୁରଙ୍କୁ ନେଇ ପ୍ରଚାର କରିବାକୁ ଅମଙ୍ଗ।

ବଡ଼ପୁଅ ପାଇଁ ଦିନେ ସାନପୁଅ ପାଇଁ ଦିନେ। ଏ ନିର୍ବାଚନର ସବୁଠାରୁ ବିଜିଏଷ୍ଟ ପ୍ରଚାରକ ଜଟଣୀ ବିଧାୟକ ସୁର ରାଉତରାୟ। ସୁରଙ୍କର ଗୋଟିଏ ଗୋଡ଼ ନିମାପଡ଼ାରେ ଆଉଗୋଟିଏ ଗୋଡ଼ ଭୁବନେଶ୍ବରରେ। ବଡ଼ପାଇଁ ଦିନେ ସାନ ପାଇଁ ଦିନେ।  ବଡ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ କଂଗ୍ରେସ ନିମାପଡାରୁ ପ୍ରାର୍ଥୀ କରିଛି। ସିଦ୍ଧାର୍ଥ ଏବେ ମାମୁ ଘର ପୁଅ ହୋଇଛନ୍ତି ଆଉ ସୁର ଶ୍ବସୁର ଘର ଭରସାରେ। ସେପଟେ ସାନ ପୁଅ ମନ୍ମଥ ରାଉତରାୟ ବିଜେଡିର ଭୁବନେଶ୍ବର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି । ସାନ ପୁଅ ପାଇଁ ତଥା ବିଜେଡି ପାଇଁ  ପ୍ରଚାର କରି ସୁର କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି । ଏବେ ସୁରଙ୍କ ବେକରୁ ପଘା ଖୋଲିଥିବାରୁ ସେ ଦିନେ କଂଗ୍ରେସ ପାଇଁ ଦିନେ ବିଜେଡି ପାଇଁ ପ୍ରଚାର କରିବେ।  

ସୁର ଦିନେ ବଡ଼ ପୁଅ ପାଇଁ ଦିନେ ସାନପୁଅ ପାଇଁ ପ୍ରଚାର କରିବେ ବୋଲି ଗୋଡ଼କାଡ଼ି ବସିଛନ୍ତି। ତେଣେ ଦୁଇ ପୁଅ କିନ୍ତୁ ସୁରଙ୍କୁ ସାଙ୍ଗରେ ନେବାକୁ ଅମଙ୍ଗ। ଯାହା ଉଭୟ କହୁଛନ୍ତି। ସାନପୁଅ ମନ୍ମଥ କହିଛନ୍ତି ବାପାଙ୍କ ବିଚାରଧାରା ଅଲଗା । ମୋ ପାଇଁ ପ୍ରଚାର ନକଲେ ମଧ୍ୟ ବାପାଙ୍କ ଆଶୀର୍ବାଦ ରହିଛି । ସେପଟେ ସିଦ୍ଧାର୍ଥ କହିଛନ୍ତି ବାପା ସାନ ଭାଇ ପାଇଁ ପ୍ରଚାର କରୁଥିବାରୁ ବାପାଙ୍କୁ ଡାକିବି ନାହିଁ । 

ସୁରଙ୍କ ଦୁଇ ହାତରେ ଗୁଡ଼। ଯେଉଁ ଦଳରୁ ଯେଉଁ ପୁଅ ଜିତିବ ସେ ପୁଅ ତାଙ୍କର ହେବ ଗେହ୍ଲାପୁଅ। ଯଦି ଦୁଇ ପୁଅ ନିର୍ବାଚନରେ ଜିତନ୍ତି ତେବେ ନିମାପଡ଼ାରୁ ଜଟଣୀ ଦେଇ ଭୁବନେଶ୍ବର ଯାଏଁ ସୁରଙ୍କ ଦବଦବା । ଯଦି ଗୋଟିଏ ପୁଅ ଜିତନ୍ତି ତେବେ ସୁର ଦେଖିଚାହିଁ ସେହି ଅନୁଯାୟୀ ଢଳିବେ। ଆଉ  ଦୁଇ ପୁଅ ଯଦି ପରାଜିତ ହୁଅନ୍ତି ତାହେଲେ ସୁରଙ୍କ  ପଲଟିକାଲ କ୍ୟାରିଅରରେ ଏକ ପ୍ରକାରର ପୂର୍ଣ୍ଣ ଛେଦ ପଡିଯାଇପାରେ।

 

  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.