ମହାନଦୀ ଡଙ୍ଗା ବୁଡି : ମିଳିଲା ନିଖୋଜ ସମସ୍ତ ୮ ଜଣଙ୍କ ମୃତଦେହ

Published By : Prameya-News7 Bureau | April 20, 2024 IST

ଝାରସୁଗୁଡା ୨୦।୪: ମହାନଦୀ ଡଙ୍ଗା ବୁଡି ଘଟଣାରେ ୮ ଜଣଙ୍କ ମ୍ରୁତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ଶୁକ୍ରବାର ଛତିଶଗଡ ଖରସିଆ ଅଞ୍ଜିରପାଲି ଗାଁ ପାଇଁ ରହିଥିଲା ଅଶୁଭ । ସେହି ଗାଁର ୪୫ ଜଣ ବ୍ୟକ୍ତି ନିଜ ପିଲା ଛୁଆଙ୍କ ସହ ଓଡିଶାର ବରଗଡ ଜିଲ୍ଲା ପଥରେସେନି ଦେବୀଙ୍କ ଦର୍ଶନ ସାରି ଫେରୁଥିବା ବେଳେ ମହାନଦୀ ଭିତରେ ଓଲଟିଥିଲା ଡଙ୍ଗା । ଡଙ୍ଗାରେ ୫୦ରୁ ଅଧିକ ଲୋକ ଓ ୫ଟି ବାଇକ୍ ଥିବାବେଳେ ୪୦ରୁ ଅଧିକ ବ୍ୟକ୍ତି ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଥିଲେ ।କିନ୍ତୁ ୮ ଜଣ ବୁଡିଯାଇଥିଲେ ।

ଶୁକ୍ରବାର ଲଖନପୁର ବ୍ଲକ ଅନ୍ତର୍ଗତ ଶରଧା ନିକଟରେ ମହାନଦୀରେ ଡଙ୍ଗା ଓଲଟିବାରୁ ୮ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ସେମାନଙ୍କ ମଧ୍ୟରୁ ସମସ୍ତ ୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ମୃତକଙ୍କ ମଧ୍ୟରେ ୫ ଜଣ ମହିଳା ଓ ୩ ଜଣ ଶିଶୁ ଅଛନ୍ତି । ଶିଶୁ ମାନଙ୍କ ମଧ୍ୟରୁ ୨ ଜଣ ୭ ବର୍ଷର ହୋଇଥିବା ବେଳେ ଜଣେ ୮ ବର୍ଷର । ଶୁକ୍ରବାର ଅପରାହ୍ନରୁ ଆରମ୍ଭ ହୋଇଥିବା ରେସ୍କ୍ୟୁ ଅପରେସନ ଶନିବାର ଅପରାହ୍ନ ପର୍ଯ୍ୟନ୍ତ ଚାଲିଥିଲା । ଅପରାହ୍ନ ୨ଟା ୧୫ ରେ ବାହାରିଥିଲା ଶେଷ ମ୍ରୁତଦେହ । ଅପରେସନ ଟିମ୍ ରେ ସାମିଲ ହୋଇଥିଲେ ଓଡ୍ରାଫ୍ ଟିମ୍ ସହ ୪ଟି ଦମକଳ ବାହିନୀର ଟିମ୍ ସହ ୫ ସ୍କୁବା ଡ୍ରାଇଭର ଓ ସ୍ୱତନ୍ତ୍ର କ୍ୟାମେରା ଟିମ୍। । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଭୁବନେଶ୍ୱରରୁ ସ୍ୱତନ୍ତ୍ର ବିମାନରେ ପହଞ୍ଚି ସର୍ଚ୍ଚ ଅପରେସନରେ ସାମିଲ ହୋଇଥିଲେ ସ୍କୁବା ଡ୍ରାଇଭର । ଶୁକ୍ରବାର ବିଳମ୍ବିତ ରାତି ଦେଢଟା ପର୍ଯ୍ୟନ୍ତ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ପୁଣି ଥରେ ଶନିବାର ଭୋର ୫ଟାରୁ ଆରମ୍ଭ ହୋଇଥିଲା ରେସ୍କ୍ୟୁ ଅପରେସନ । ଝାରସୁଗୁଡା ଜିଲ୍ଲାରେ ପ୍ରବଳ ଖରା ତାତି ଥିବା ବେଳେ ମହାନଦୀ କୁଳ ବାଲି ଶଯ୍ୟାର ଗରମରେ ଛଟପଟ ହୋଇ ମଧ୍ୟ ଉଦ୍ଧାରକାରୀ ଟିମ୍ ନିଜ ଲକ୍ଷ୍ୟ ପଥରେ ଅଗ୍ରସର ହୋଇ ସମସ୍ତ ମ୍ରୁତଦେହକୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି । ଏହି ଉଦ୍ଧାର କାର୍ଯ୍ୟକୁ ତଦାରଖ କରିବାକୁ ଜିଲ୍ଲାପାଳ, ଏସପିଙ୍କ ସହ ଜିଲ୍ଲାର ବହୁ ଅଧିକାରୀ ଶୁକ୍ରବାର ଠାରୁ ଲଗାତର ସ୍ପଟରେ ରହିଥିଲେ । 

ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ବାଂଝିପାଲିରୁ ମହାନଦୀ ଘାଟରୁ ଡଙ୍ଗାରେ ଆସୁଥିଲେ ପ୍ରାୟ ୫୪ ଜଣ ଯାତ୍ରୀ । ସେମାନେ ଝାରସୁଗୁଡା ଜିଲ୍ଲା ଶରଧା ନିକଟସ୍ଥ ଘାଟକୁ ଆସୁଥିବା ବେଳେ ଅଧିକ ଯାତ୍ରୀ ଥିବାରୁ ମହାନଦୀ ମଝିରେ ଡଙ୍ଗା ଓଲଟି ପଡିଥିଲା । ଡଙ୍ଗା ଚଲାଉଥିବା ଦୁଇ ଡଙ୍ଗା ଚାଳକକୁ ପୋଲିସ ନିଜ ହେପାଜତକୁ ନେଇଛି । 

ଝାରସୁଗୁଡା ଜିଲ୍ଲାରେ ଗତ ଦଶ ବର୍ଷ ମଧ୍ୟରେ ଏହା ଦ୍ୱିତୀୟ ଡଙ୍ଗାବୁଡି ହୋଇଥିବା ବେଳେ ସମ୍ବଲପୁର ଜିଲ୍ଲାରେ ମଧ୍ୟ ଡଙ୍ଗାବୁଡି ଅନେକ ଲୋକଙ୍କ ଜୀବନ ଯାଇଥିଲା । ଡଙ୍ଗାବୁଡି ଘଟଣା ଘଟିବା ପରେ ପ୍ରଶାସନର ଚେତା ପଶିଥାଏ । ସବୁ ଆଇନ କାନୁନ ପାଳନ ପାଇଁ ତତ୍ପରତା ଦେଖାଇଥାଏ । କିନ୍ତୁ ଲଖନପୁର ବ୍ଲକ ଶରଧାରେ ବେଆଇନ ଭାବେ ଡଙ୍ଗା ଚଲାଉଥିଲେ ଡଙ୍ଗା ଚାଳକ । ଯେଉଁ ଡଙ୍ଗାରେ ଦୁର୍ଘଟଣା ଘଟିଲା ଏହି ଡଙ୍ଗାରେ କୌଣସି ସୁରକ୍ଷା ସଂପର୍କିତ ଲାଇଫ ଜାକେଟ ନଥିଲା କିମ୍ବା ଡଙ୍ଗା ଚଳାଇବା ଅନୁମତି ମଧ୍ୟ ନଥିଲା । ଡଙ୍ଗାର ସ୍ଥିତି ମଧ୍ୟ ଭଲ ନଥିଲା । ସେଥିପାଇଁ ପରିବହନ ବିଭାଗ ପକ୍ଷରୁ ଏହି ଡଙ୍ଗାରେ ସମସ୍ତ ସୁରକ୍ଷା କବଚ ରଖି ୨୦ରୁ ଅଧିକ ଯାତ୍ରୀ ନ ନେବାକୁ ପରାମର୍ଶ ଦିଆଯାଇଥିଲା । କିନ୍ତୁ ୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିବାରୁ ଡଙ୍ଗାଟି ଓଲଟିପଡିଥିଲା । ମହାନଦୀର ଭରପୁର୍ ପାଣି ସୁଅରେ ସମ୍ଭାଳି ପାରି ନଥିଲେ ଡଙ୍ଗା ଚାଳକ । ସ୍ଥାନୀୟ ଲୋକେ ବେଆଇନ ଡଙ୍ଗା ଘାଟକୁ ନେଇ ପ୍ରତିକ୍ରିୟାଶୀଳ ହୋଇଥିଲେ |ପ୍ରଶାସନ ପକ୍ଷରୁ ଏହି ଦୁର୍ଘଟଣାର ସମସ୍ତ ଦିଗକୁ ଦେଖି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ଅନ୍ୟପକ୍ଷରେ ଶୁକ୍ରବାର ଠାରୁ ଚାଲିଥିବା ରେସ୍କ୍ୟୁ ଅପରେସନରେ ଛତିଶଗଡ ପ୍ରଶାସନର ଅଧିକରୀ ସାମିଲ ହୋଇ ଓଡିଶା ସରକାରଙ୍କ ପକ୍ଷରୁ କରାଯାଇଥିବା ଉଦ୍ଧାର କାର୍ଯ୍ୟକୁ ପ୍ରଶଂସା କରାଯାଇଛି ।

You Can Read : 

ସାଢେ ଦୁଇଟା ସୁଦ୍ଧା ୪୩ ଟପିଲା ତାତି, କେନ୍ଦୁଝର ସବୁଠୁ ଉତ୍ତପ୍ତ ସହର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.