ଖସିବ ତାତି, ଅଗ୍ନିବର୍ଷାରୁ ମିଳିବ ମୁକ୍ତି: ମେ ୬ ରୁ ବଦଳିବ ପାଗ

Published By : Prameya-News7 Bureau | May 03, 2024 IST

ଭୁବନେଶ୍ୱର,୦୩/୦୫: ଦୀର୍ଘ ଦିନର ତତଲା ଯନ୍ତ୍ରଣା ପରେ ଅଗ୍ନିବର୍ଷାରୁ ରକ୍ଷା ମିଳିବାକୁ ଯାଉଛି । ଆସନ୍ତା ୬ ତାରିଖରୁ ପୂରା ରାଜ୍ୟରେ ତାତି ଓ ଗ୍ରୀଷ୍ମପ୍ରବାହରୁ ଆଶ୍ୱସ୍ତି ମିଳିବ । କିନ୍ତୁ ଉପକୂଳରେ ୪ରୁ ତାତି ଖସିଯିବ । ପାଣିପାଗ ବିଶେଷଜ୍ଞମାନେ ଏଭଳି ଆଶ୍ୱସ୍ତିଭରା ପୂର୍ବାନୁମାନ ଦେଇଛନ୍ତି ।

ଗତ ଦୁଇ ସପ୍ତାହରୁ ଅଧିକ ସମୟ ଧରି ରାଜ୍ୟବାସୀ ପ୍ରଚଣ୍ଡ ତାତିରେ କଲବଲ ହେଉଥିଲେ । ଖାଲି ତାତି ନୁହେଁ, ଭୀଷଣ ଗ୍ରୀଷ୍ମପ୍ରବାହରେ ଉପକୂଳରୁ ପଶ୍ଚିମ ଓ ଦକ୍ଷିଣ, ସବୁଠି ଲୋକେ ତ୍ରାହି ତ୍ରାହି ଡାକୁଥିଲେ । ସକାଳ ୮ଟାରୁ ତାତି ମାଡ଼ି ଆସୁଥିଲା । ସନ୍ଧ୍ୟା ଯାଏ ତାତିର ଜ୍ୱାଳା ସମସ୍ତଙ୍କୁ କଲବଲ କରୁଥିଲା । ବର୍ଷା ପୂରା ଉଭାନ୍‌ ହୋଇଯାଇଥିଲା । କେବେ ଏହି ତାତିରୁ ରକ୍ଷା ପାଇବେ, ତାକୁ ସମସ୍ତେ ଚାହିଁ ରହିଥିଲେ । ଶେଷରେ ତାତି କମିବା ନେଇ ବଡ଼ ସୂଚନା ଆସିଛି । 

ଆସନ୍ତା ଦୁଇ ଦିନ ପରେ ବା ୪ରୁ ଉପକୂଳ ଓଡ଼ିଶାରେ ଆଉ ହିଟ୍‌ୱେଭ ରହିବନି । ତାତି ବି କମିଯିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ୬ ତାରିଖରୁ ପୂରା ରାଜ୍ୟରେ ଗ୍ରୀଷ୍ମପ୍ରବାହରେ ବ୍ରେକ୍‌ ଲାଗିବ । ଆସନ୍ତା ତିନି ଦିନ ଯାଏ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି । ପରେ  ତାତି ୩ରୁ ୪ ଡିଗ୍ରୀ ଖସିଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି । 

ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ କହୁଛି, ମେ ୬ରୁ ୧୦ ତାରିଖ ଯାଏ ରାଜ୍ୟର ବିସ୍ତୃତ ଅଞ୍ଚଳରେ ଭାରୀ ବର୍ଷା ହେବ ।  ଅନେକ ସ୍ଥାନରେ ତାତି ୬ଡିଗ୍ରୀ କମିବା ଯୋଗୁ ତାପମାତ୍ରା ସ୍ୱାଭାବିକ ରହିବ । କିଛି ସ୍ଥାନରେ ସ୍ୱାଭାବିକଠାରୁ କମ୍‌ ତାପମାତ୍ରା ରହିପାରେ । ୪ ତାରିଖ ପରେ ବଙ୍ଗୋପସାଗରରୁ ବହୁଥିବା ଆଣ୍ଟି ସାଇକ୍ଲୋନିକ୍‌ ସାର୍କୁଲେସନ୍‌ର ପ୍ରଭାବ କମିଯିବ । ୬ରୁ ପବନର ଦିଗ ବଦଳିବ । ଦକ୍ଷିଣରୁ ଆରବସାଗରୀୟ ପବନ ଓ ପରେ ରାଜ୍ୟକୁ ବଙ୍ଗୋପସାଗରୀୟ ପବନ ବହିବ । ଓଡ଼ିଶା ସଂଲଗ୍ନ ଅଞ୍ଚଳରେ ଥିବା ଉତ୍ତପ୍ତ ଅଞ୍ଚଳ ବା ହଟ୍‌ ସ୍ପଟ୍‌ ରହିବନି । ୬ ପରେ ଉତ୍ତର ଭାରତରେ ହଟ୍‌ ସ୍ପଟ୍‌ ରହିବ । 

୪ରେ ଆଭ୍ୟନ୍ତରୀଣ ଓଡ଼ିଶାର ଅଳ୍ପ କିଛି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବ । ରାଜଧାନୀରେ ତାପମାତ୍ରା ୪୦ଡିଗ୍ରୀ ବା ଏହାଠାରୁ ସାମାନ୍ୟ ଅଧିକ ରହିପାରେ ।  ୬ରେ ବାଲେଶ୍ୱର ଓ ମୟୂରଭଭଞ୍ଜରେ ଘନ ମେଘ ଖଣ୍ଡ ସୃଷ୍ଟି ହେବ ।  ଉପରବେଳା କାଳବୈଶାଖୀ ବର୍ଷା ହେବ ।  ପରେ ଖୋର୍ଦ୍ଧା, ପୁରୀ, କଟକ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା ଓ ନବରଙ୍ଗପୁରରେ କିଛି ବର୍ଷା ହୋଇପାରେ । 

୧୦ ତାରିଖ ଯାଏ ଫୁଲବାଣୀ, ଢେଙ୍କାନାଳ, ଅନୁଗୁଳ, ଯାଜପୁର, କେନ୍ଦୁଝର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ବର୍ଷା ସମ୍ଭାବନା ଥିବା ଡ. ପଶୁପାଳକ କହିଛନ୍ତି । କାଳବୈଶାଖୀ ପ୍ରଭାବରେ ବାଲେଶ୍ୱର, ମୟୂରଭଞ୍ଜ ଓ ଭଦ୍ରକ ଭଳି ଉତ୍ତର ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ସବୁଠାରୁ ଅଧିକ ବର୍ଷା ହୋଇପାରେ । ଗଞ୍ଜାମ ଓ ଗଜପତିରେ ପ୍ରବଳ ବର୍ଷା ହେବ । 

ଏହି ୫ଦିନରେ ମୋଟ ବର୍ଷା ପରିମାଣ ହାରାହାରି ୮୦ମିମିରୁ ଅଧିକ ହେବ ବୋଲି ସେ ଆକଳନ କରିଛନ୍ତି । ଅନେକ ସ୍ଥାନରେ ୫୦ମିମିରୁ ଅଧିକ ବର୍ଷା ହୋଇପାରେ । ନୂଆପଡ଼ା, ବଲାଙ୍ଗୀର ଓ ଝାରସୁଗୁଡ଼ାରେ ସବୁଠାରୁ କମ୍‌ ବା ୧୦ମିମିରୁ କମ୍‌ ବର୍ଷା ହୋଇପାରେ । ଏବେ ଜମିରେ ଥିବା ପାଚିଲା ଫସଲକୁ ଅମଳ କରିଦେବାକୁ ସେ ପରାମର୍ଶ ଦେଇଛନ୍ତି ।

ଉପକୂଳରେ ତାତି କମିଥିଲେ ବି ଆଭ୍ୟନ୍ତରୀଣ ଓଡ଼ିଶା ଉତ୍ତପ୍ତ ପିଣ୍ଡ ପାଲଟିଥିଲା । ୨୯ ସହରରେ ତାତି ୪୦ ଡିଗ୍ରୀରୁ ଅଧିକ ଥିଲା । ବଲାଙ୍ଗୀରରେ ତାତି ୪୫ ଡିଗ୍ରୀ ରହିଥିଲା । ଏହା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଅନୁଗୁଳରେ ୪୪.୭, ନୂଆପଡ଼ାରେ ୪୪.୬, ତାଳଚେର ଓ ଟିଟିଲାଗଡ଼ରେ ୪୪.୫, ବୌଦ୍ଧରେ ୪୪.୩, ବାରିପଦାରେ ୪୩.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ସେପଟେ ଦୀର୍ଘ ୧୭ ଦିନ ପରେ ରାଜଧାନୀର ତାତି ୪୦ ଡିଗ୍ରୀ ତଳକୁ ଖସିଛି । ଦୀର୍ଘ ୧୭ ଦିନ ଯାଏ ଲଗାତର ତାତି ୪୦ ଡିଗ୍ରୀ ଉପରେ ରହିବା ଏକ ରେକର୍ଡ । ୧୯୬୯ରୁ ୨୦୨୪ ଭିତରେ ଏଭଳି  ଲମ୍ବା ଅବଧିର ତାତି ରେକର୍ଡ ହୋଇନଥିଲା । କଟକରେ ବି ତାତି ୩୮.୬ ଡିଗ୍ରୀ ରହିଛି । 

ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାତି କମ୍‌ ରହିଛି । ରାଜଧାନୀରେ କମ୍‌ ତାତି ସତ୍ତେ୍ୱ ଆର୍ଦ୍ରତା ଅଧିକ ଯୋଗୁ ଅନୁଭୂତ ତାପମାତ୍ରା(ରିଅଲ ଫିଲ୍‌) ଅଧିକ ରହିଥିଲା । ଦିନ ସାଢ଼େ ୧୧ଟାରେ ତାପମାତ୍ରା ୩୮ ଡିଗ୍ରୀ ଥିଲା । କିନ୍ତୁ ଆର୍ଦ୍ରତା ୬୦% ରହିବା ଯୋଗୁ ତାତି ୫୫ଡିଗ୍ରୀ ଭଳି ଲାଗୁଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.