୧୭ରୁ ବଢିବ ତାତି, ମେ' ୧୯ ସୁଦ୍ଧା ଆଣ୍ଡାମାନ୍‌ ଛୁଇଁବ ମୌସୁମୀ

Published By : Prameya-News7 Bureau | May 14, 2024 IST

ଭୁବନେଶ୍ୱର ୧୪।୦୫ : ୧୯ ତାରିଖ ସୁଦ୍ଧା ଦକ୍ଷିଣ ଆଣ୍ଡାମାନ ସାଗର, ନିକୋବର ଦ୍ୱୀପ ଏବଂ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଗତବର୍ଷ ମଧ୍ୟ ଏହି ସମୟରେ ଉପରାକ୍ତ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ସ୍ୱାଭାବିକ ସମୟରେ ଅଗ୍ରସର ହୋଇଥିଲା ।  

ଗତବର୍ଷ ଜୁନ୍‌ ୮ରେ କେରଳ ଉପକୂଳରେ ୭ଦିନ ବିଳମ୍ବରେ ମୌସୁମୀ ପହଞ୍ଚିଥିଲା । ପାଖାପାଖି ୧୦ଦିନ ବିଳମ୍ବରେ ଜୁନ୍‌ ୨୨ ତାରିଖ ବେଳକୁ ଓଡ଼ିଶାକୁ ମୌସୁମୀ ଅଗ୍ରସର ହୋଇଥିଲା । ଗତବର୍ଷ ଗୁଜରାଟ ଉପକୂଳ ଛୁଇଁଥିବା ବିପର୍ଯ୍ୟୟ ବାତ୍ୟା ପ୍ରଭାବରେ ଉତ୍ତରପଶ୍ଚିମ ଦିଗରୁ ରାଜ୍ୟକୁ ଶୁଷ୍କ ଗରମ ବାୟୁ ପ୍ରବେଶ କରିଥିଲା । ଏହାର ପ୍ରଭାବରୁ ଜୁନ ମାସ ପ୍ରାରମ୍ଭରେ ମୌସୁମୀ ପ୍ରବେଶ ବିଳମ୍ବିତ ହୋଇଥିଲା । ଫଳରେ ପ୍ରାୟ ୩୭% କମ୍‌ ବର୍ଷା ରେକର୍ଡ ହୋଇଥିଲା । ୧୨ଦିନ ଗ୍ରୀଷ୍ମପ୍ରବାହ ମଧ୍ୟ ଅନୁଭୂତ ହୋଇଥିଲା । ସାଧାରଣତଃ ମୌସୁମୀ ଆଣ୍ଡାମାନ ସାଗରକୁ ପ୍ରବେଶ ପରେ ବାତ୍ୟା ବା ଅବପାତ ସୃଷ୍ଟି ନ ହେଲେ କେରଳ ଏବଂ ଓଡ଼ିଶାରେ ସମୟ ପୂର୍ବରୁ ମୌସୁମୀ ପହଞ୍ଚିଥାଏ ।

ଆସନ୍ତା ୧୬ ତାରିଖ ଯାଏ ରାଜ୍ୟରେ ପାଗ ଅପରିବର୍ତ୍ତିତ ରହିବ । ୧୭ ତାରିଖ ଠାରୁ ରାଜ୍ୟର କିଛି ସ୍ଥାନରେ ତାତି ୨ରୁ ୪ ଡିଗ୍ରୀ ବଢ଼ିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ୧୪ରେ କନ୍ଧମାଳ, ରାୟଗଡ଼ା, କୋରାପୁଟ, ଗଞ୍ଜାମ, ଗଜପତି ଓ ନୟାଗଡ଼ର କିଛି ସ୍ଥାନରେ ଝଡ଼ବର୍ଷା ସମ୍ଭାବନା ଅଛି । ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୧୫ରେ ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଅନୁଗୁଳ, ଢ଼େଙ୍କାନାଳ, କନ୍ଧମାଳ, ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁରର କିଛି ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ସମ୍ଭାବନା ଅଛି । ୧୬ ଓ ୧୭ ତାରିଖରେ ବି ବର୍ଷା ହୋଇପାରେ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.