ଅଭିନେତ୍ରୀରୁ ନିର୍ମାତା ହେଲେ ସାମନ୍ଥା, ନୂଆ ପ୍ରୋଜେକ୍ଟର ସେୟାର କଲେ ପୋଷ୍ଟର

Published By : Prameya-News7 Bureau | April 29, 2024 IST

ମୁମ୍ଵାଇ ୨୯।୦୪: ଦକ୍ଷିଣ ଭାରତୀୟ ଫିଲ୍ମ ଜଗତର ଲୋକପ୍ରିୟ ଅଭିନେତ୍ରୀ ସମନ୍ଥା ରୁଥ୍‌ ପ୍ରଭୁଙ୍କୁ ୨୦୨୧ରେ ରିଲିଜ୍‌ ହୋଇଥିବା ‘ଦ ଫ୍ୟାମିଲ୍‌ ମ୍ୟାନ୍‌-୨’ ୱେବ୍‌ସିରିଜ୍‌ରେ ଦେଖିବାକୁ ମିଳିଥିଲା । ସେଥିରେ ରାଜି ନାମକ ଜଣେ ଆତଙ୍କବାଦୀଙ୍କ ଚରିତ୍ରରେ ତାଙ୍କର ଦମ୍‌ଦାର୍‌ ଅଭିନୟକୁ ବେଶ୍‌ ପ୍ରଶଂସା କରାଯାଇଥିଲା । ହିନ୍ଦୀ ବେଲ୍ଟର ଦର୍ଶକଙ୍କ ମଧ୍ୟରେ ଏହି ୱେବ୍‌ସିରିଜ୍‌ ସମନ୍ଥାଙ୍କୁ ପରିଚିତି ଆଣି ଦେଇଥିଲା । ଏହାପରେ ଫିଲ୍ମ ‘ପୁଷ୍ପା’ର ଏକ ଆଇଟମ୍‌ ନମ୍ବର ଯୋଗୁ ସେ ଜବରଦସ୍ତ ଲୋକପ୍ରିୟତା ହାସଲ କରିଥିଲେ । 

ସାମନ୍ଥା ଗତକାଲି ନିଜର ୩୭ତମ ଜନ୍ମଦିନ ପାଳନ କରୁଥିବାବେଳେ ପ୍ରଶଂସକମାନଙ୍କୁ ଏକ ସ୍ୱତନ୍ତ୍ର ସରପ୍ରାଇଜ୍‌ ଭେଟି ଦେଇଛନ୍ତି । ସୋସିଆଲ ମିଡିଆ ହ୍ୟାଣ୍ଡଲରେ ନିଜର ପରବର୍ତ୍ତୀ ଫିଲ୍ମ ‘ବଙ୍ଗାରାମ୍‌’ର ପ୍ରଥମ ପୋଷ୍ଟର ସେୟାର କରିଛନ୍ତି ସେ । ଏହି ଫିଲ୍ମରୁ ମଧ୍ୟ ଜଣେ ପ୍ରଯୋଜିକା ଭାବେ ସମନ୍ଥାଙ୍କର ଯାତ୍ରା ଆରମ୍ଭ ହେବ । ତ୍ରଲଲା ମୁଭିଂ ପିକ୍ସଚରର୍ସ ବ୍ୟାନରରେ ସେହି ଫିଲ୍ମଟି ପ୍ରସ୍ତୁତ ହେବ ବୋଲି ସେ ସୂଚନା ଦେଇଛନ୍ତି । ସେହି ଆନିମେଟେଡ୍‌ ପୋଷ୍ଟରରେ ଲିଡ୍‌ ରୋଲ୍‌ରେ ଅଛନ୍ତି ସେ । ଶାଢ଼ି ପରିହିତା ସମନ୍ଥାଙ୍କୁ ହାତରେ ଏକ ବନ୍ଧୁକ ଧରିଥିବା ଦେଖିବାକୁ ମିଳୁଛି । ତାଙ୍କ ମୁହଁସାରା ରକ୍ତର ଛିଟା ପଡିଛି । ‘ବଙ୍ଗାରାମ’ ଏକ ତେଲଗୁ ଫିଲ୍ମ ହୋଇଥିବାବେଳେ ତାହା ବିଭିନ୍ନ ଭାଷାରେ ମୁକ୍ତିଲାଭ କରିବ । ଖୁବ୍‌ ଶୀଘ୍ର ଏହାର ସୁଟିଂ ଆରମ୍ଭ ହେବ। 

ଆସନ୍ତାବର୍ଷ ତାହା ପ୍ରେକ୍ଷାଳୟକୁ ଆସିପାରେ ବୋଲି କୁହାଯାଉଛି । ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ ସମନ୍ଥାଙ୍କୁ ଆଗକୁ କରନ୍‌ ଜୋହରଙ୍କ ପ୍ରଡକ୍ସନ୍‌ ପକ୍ଷରୁ ପ୍ରସ୍ତୁତ କରାଯାଉଥିବା ୱେବ୍‌ ସିରିଜ୍‌ ‘ଦ ସିଟାଡେଲ୍‌: ହନି ବନି’ରେ ଦେଖିବାକୁ ମିଳିବ । ତାହା ଚଳିତବର୍ଷ ଆମାଜନ୍‌ ପ୍ରାଇମ୍‌ ଭିଡିଓରେ ରିଲିଜ୍‌ ହେବ । ସେଥିରେ ସମନ୍ଥାଙ୍କ ସହିତ ବରୁନ ଧୱନ, ସିକନ୍ଦର ଖେର୍‌, କେ କେ ମେନନ୍‌ ପ୍ରମୁଖ ନଜର ଆସିବେ । ଏହି ସ୍ପାଏ ଥ୍ରିଲରକୁ ରାଜ୍‌ ଆଣ୍ଡ ଡିକେ ନିର୍ଦ୍ଦେଶନା ଦେଉଛନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.