'ଜେଲର୍’ପରେ 'କୁଲି' ହେଲେ ରଜନୀକାନ୍ତ, ଦମ୍‌ଦାର ଆକ୍ସନ ଏବଂ ସ୍ଵାଗରେ ଭରପୂର ଟିଜର ରିଲିଜ୍

Published By : Prameya-News7 Bureau | April 24, 2024 IST

ମୁମ୍ଵାଇ ୨୪।୦୪: ଜେଲର୍‌’ ଫିଲ୍ମରେ ପ୍ରଶଂସକଙ୍କ ହୃଦୟ ଜିତିବା ପରେ ରଜନୀକାନ୍ତ ପୁଣିଥରେ ବଡ଼ ପରଦାରେ ଧମାଲ୍‌ ମଚାଇବା ପାଇଁ ପ୍ରସ୍ତୁତ ହୋଇଛନ୍ତି । ଏଥର ତାଙ୍କୁ ନିର୍ଦ୍ଦେଶକ ଲୋକେଶ କନଗରାଜଙ୍କର ‘କୁଲି’ରେ ଦେଖିବାକୁ ମିଳିବ । ଏହା ରଜନୀକାନ୍ତଙ୍କର ୧୭୧ତମ ପ୍ରୋଜେକ୍ଟ । ଫିଲ୍ମର ପ୍ରଡକ୍ସନ୍‌ ହାଉସ୍‌ ସନ୍‌ ପିକ୍‌ଚର୍ସ ପକ୍ଷରୁ ଏହାର ଏକ ଟିଜର୍‌ ସୋମବାର ଜାରି କରାଯାଇଛି । 


ସେଥିରେ ରଜନୀକାନ୍ତଙ୍କର ଜବରଦସ୍ତ ଆକ୍ସନ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ୩ ମିନିଟ୍‌ ୧୬ ସେକେଣ୍ଡ୍‌ର ଭିଡିଓରେ ଦେଖିବାକୁ ମିଳୁଛି, କିଛି ଲୋକ ଏକ ଗୋଦାମରେ ସୁନାର କଳାବଜାରୀ କରୁଛନ୍ତି । ସେହି ସମୟରେ ରଜନୀକାନ୍ତଙ୍କର ଏଣ୍ଟ୍ରି ହେଉଛି । ଦମ୍‌ଦାର ଆକ୍ସନ୍‌ ସହିତ ସେ ଗୁଣ୍ଡାମାନଙ୍କୁ ସେଠାରୁ ବିଦା କରିଦେଉଛନ୍ତି । ଫିଲ୍ମରେ ରଜନୀକାନ୍ତଙ୍କ ସହିତ ଅଭିନେତ୍ରୀ ଶ୍ରୁତି ହାସନ୍‌ଙ୍କୁ ଦେଖିବାକୁ ମିଳିବ । ଏହା ତେଲୁଗୁ, ତାମିଲ, କନ୍ନଡ଼ ଓ ହିନ୍ଦୀ ଭାଷାରେ ମୁକ୍ତିଲାଭ କରିବ । 

ଗତ ମାସରେ ଲୋକେଶ ‘କୁଲି’ର ଫାର୍ଷ୍ଟ ଲୁକ୍‌ ପୋଷ୍ଟର ରିଲିଜ୍‌ କରିଥିଲେ । ସେଥିରେ ଡେନିମ୍‌ ସାର୍ଟ ପିନ୍ଧିଥିବା ରଜନୀକାନ୍ତଙ୍କର ଏକ ମନୋକ୍ରୋମ୍‌ ଫଟୋ ରହିଥିଲା । ରଜନୀକାନ୍ତଙ୍କୁ ଆଗକୁ ‘ଭେଟ୍ଟେୟନ୍‌’ରେ ଦେଖିବାକୁ ମିଳିବ । ତାହା ଚଳିତବର୍ଷ ରିଲିଜ୍‌ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.