ଆମ ପାଇଁ ରାସ୍ତା ନାହିଁ କି ପାଣି ନାହିଁ, ଭୋଟ ଦେବୁନି: ଭୋଟ ବର୍ଜନ କଲେ ୬୦୦ ଆଦିବାସୀ

Published By : Prameya-News7 Bureau | April 26, 2024 IST

indiatoday

ନୂଆଦିଲ୍ଲୀ: ଖରାପ ରାସ୍ତା ଯୋଗୁ ଭୋଟ ବର୍ଜନ କଲେ ୬୦୦ ଆଦିବାସୀ ଭୋଟର। ତ୍ରିପୁରାର ପୂର୍ବ ଲୋକସଭା ନିର୍ବାଚନ ମଣ୍ଡଳୀ ଅଧିନରେ ଆସୁଥିବା ଧଲାଇ ଜିଲ୍ଲାର ପ୍ରାୟ ଓ ୬୦୦ ଆଦିବାସୀ ଶୁକ୍ରବାର ଭୋଟ୍ ଦେଇ ନାହାନ୍ତି। ରାସ୍ତା ମରାମତି ହୋଇ ନଥିବାରୁ ଆଦିବାସୀମାନେ ଭୋଟ ଦେଇ ନଥିବା ଜଣାପଡ଼ିଛି। 

ଗାଁରେ ୯୦୦ ଲୋକ ରହୁଥିବା ବେଳେ ରାସ୍ତା ତିଆରି ପାଇଁ ଏମାନେ ମାସ ମାସ ଧରି ଦାବି କରି ଆସୁଛନ୍ତି। ହେଲେ ସେଠାରେ ଥିବା ବିଜେପିର ମାଣିକ ସାହାଙ୍କ ସରକାର ରାସ୍ତା ତିଆରି ତ ଦୂରର କଥା ସେମାନଙ୍କ କଥା ଶୁଣିବାକୁ ବି ନାରାଜ। ଏଥିପାଇଁ ସେମାନେ ଆଜି ଭୋଟ ବର୍ଜନ କରିଛନ୍ତି। 

ପଢ଼ନ୍ତୁ-ବେଙ୍ଗାଲୁରୁ ଦକ୍ଷିଣରୁ ବିଜେପି ପ୍ରାର୍ଥୀ ତେଜସ୍ୱୀ ସୂର୍ଯ୍ୟାଙ୍କ ବିରୋଧରେ ମାମଲା ରୁଜୁ, ଧର୍ମ ନାଁରେ ଭୋଟ ମାଗିଥିବା ଅଭିଯୋଗ

ନିର୍ଦ୍ଧାତି ସମୟ ଅନୁସାରେ ପୋଲିଂ ଅଫିସରମାନେ ବୁଥ୍‌ରେ ପହଞ୍ଚି ଭୋଟ ବ୍ୟବସ୍ଥା କରିଥିଲେ। ହେଲେ ଗ୍ରାମୀବାସୀମାନେ ବୁଥି ଚାରିପାଖେ ଘେରି ରହିଥିଲେ ବି କେହି ଜଣେ ହେଲେ ବି ଭୋଟ୍ ଦେଇ ନଥିଲେ। ରାସ୍ତା ତିଆରି ଦାବି କରି ସେମାନେ ବିକ୍ଷୋଭ କରିଥିଲେ ବୋଲି ଏସ୍‌ଡିଏମ୍‌ ଗନ୍ଦାଚେରିର ଅରିନ୍ଦମ ଦାସ କହିଛନ୍ତି। କେବଳ ରାସ୍ତା ନୁହେଁ ପିଇବା ପାଣିର ଅସୁବିଧା ଥିବା ମଧ୍ୟ ସେମାନେ ଦାବି କରିଛନ୍ତି।  

ଘଟଣାକୁ ନେଇ ରାଜ୍ୟ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ରତନ ଲାଲ ନାଥ କହିଛନ୍ତି “ ପିଇବା ପାଣି ଓ ରାସ୍ତା ତିଆରି ଦାବି ପୂରଣ ହୋଇନଥିବାରୁ ଦୁଇଟି ପୋଲିଂ ବୁଥ ଗୁମାତି ଜିଲ୍ଲାର ଅମ୍ପି ଓ ଧଲାଇ ଜିଲ୍ଲାର ମାଦଲପରାରେ ଲୋକମାନେ ଭୋଟ୍ ଦେଇ ନଥିବା ମୁଁ ଶୁଣିବାକୁ ପାଇଛି। ଅଫିସରମାନେ ଲୋକଙ୍କୁ ବୁଝାଇ ଭୋଟ୍ ଦେବା ପାଇଁ ଉତ୍ସାହିତ ସେଠାକୁ ଯାଇଛନ୍ତି।”


ସୂଚନା ଥାଉକି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୧୩ ରାଜ୍ୟର ୮୮ ଲୋକସଭା ଆସନରେ ନିର୍ବାଚନ ହେଉଛି। ଏଥିରେ କେରଳର ସମସ୍ତ ୨୦ ଲୋକସଭ ଆସନ ଓ କର୍ଣ୍ଣାଟକର ୨୮ ଆସନରୁ ୧୪ ଆସନରେ ନିର୍ବାଚନ ହୋଇଛି। ଏଥିସହିତ ରାଜସ୍ଥାନ, ମହରାଷ୍ଟ୍ର, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ଆସାମ,  ବିହାର, ଛତିଶଗଡ଼, ବେଙ୍ଗଲ, ମଣିପୁର, ତ୍ରିପୁରା ଏବଂ ଜାମ୍ମୁ ଓ କାଶ୍ମୀରରେ ନିର୍ବାଚନ ହୋଇଛି। 


  • Lok Sabha Election 2024
  • Elections 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.