ବିପୁଳ ପରିମାଣରେ ଗଞ୍ଜେଇ ଜବତ, କଣ୍ଟେନରରୁ ମିଳିଲା ୭ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ

Published By : Prameya-News7 Bureau | April 04, 2024 IST

ସୁବର୍ଣ୍ଣପୁର ୪।୪: ସୁବର୍ଣ୍ଣପୁର ଜିଲ୍ଲା ପୋଲିସକୁ ପୁଣି ଏକ ବଡ ଧରଣର ସଫଳତା ମିଳିଛି । ବିପୁଳ ପରିମାଣରେ ଗଞ୍ଜେଇ ଆନ୍ତଃ ରାଜ୍ୟ ଚୋରା ଚାଲାଣ ହେଉଥିବା ବେଳେ ପୋଲିସ ଏହି ଚାଲାଣକୁ ରୋକିବାରେ ସଫଳ ହୋଇଛି ।   ଗଞ୍ଜେଇ ଚୋରା ଚାଲାଣ ହେବା ଖବର ପୋଲିସ ପାଇବା ପରେ ପୋଲିସର ସ୍ବତନ୍ତ୍ର ସ୍କ୍ବାଡ୍ ବେଶ ତତ୍ପର ହୋଇ ପଡିଥିଲେ  । ସଦର ଏସଡିପିଓଙ୍କ ନେତୃତ୍ୱରେ ଆଇଆଇସି ଓ ସ୍ବତନ୍ତ୍ର ସ୍କାଡ୍‌ର ପୋଲିସ କର୍ମଚାରୀ ମାନେ ଜିଲ୍ଲାର ଅର୍ଜୁନପୁର-ବୁର୍ଡା ରାସ୍ତାରେ ଏକ କଣ୍ଟେନର ଉପରେ ଚଢାଉ କରିଥିଲେ । କଣ୍ଟେନରରୁ ଜରି ବସ୍ତାରେ ପ୍ୟାକିଂ କରାଯାଇଥିବା ୭ କ୍ବିଣ୍ଟାଲ ୫୦ କେଜି ଗଞ୍ଜେଇ ଜବତ କରିଥିଲେ । ତେବେ ପୋଲିସ ଗଞ୍ଜେଇ ବୋଝେଇ କଣ୍ଟେନର ଜବତ କରିବା ସହିତ ଆନ୍ତଃ ରାଜ୍ୟ ଚୋରା ଚାଲାଣକାରୀ ଦୁଇ ଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି । 

ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ଛତିଶଗଡ଼ ପ୍ରଦେଶର ଶୈଳେଶ କୁମାର ମିଶ୍ର ଓ ଉତ୍ତର ପ୍ରଦେଶର ଉମାଶଙ୍କର ପାଣ୍ଡେ । ବୌଦ୍ଧ ଜିଲ୍ଲା ଶଗଡା ଅଂଚଳରୁ ଏହି ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଉଭୟ ଗଞ୍ଜେଇ ମାଫିଆ ଗଞ୍ଜେଇ ବରଗଡ ଜିଲ୍ଲା ଦେଇ ଉତ୍ତର ପ୍ରଦେଶକୁ ଚାଲାଣ କରୁଥିବା ପୋଲିସ ଜାଣି ପାରିଛି । ତେବେ ଏହି କଣ୍ଟେନରରେ ଏକ ସ୍ୱତନ୍ତ୍ର କ୍ୟାବିନ ତିଆରି କରି ପୋଲିସ ଆଖିରେ ଧୂଳି ଦେଇ ଏହି ଚୋରା ଚାଲାଣ କରାଯାଉଥିଲା । ଗଞ୍ଜେଇ ଚୋରା ଚାଲାଣରେ ସଂପୃକ୍ତ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିବାରେ ପୋଲିସ ସକ୍ଷମ ହୋଇଥିବା ବେଳେ ଏହି ଘଟଣାରେ ଆଉ କିଏ କିଏ ସଂପୃକ୍ତ ତାର ପୋଲିସ ଅନୁସନ୍ଧାନ କରୁଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ତେବେ ଜବତ ହୋଇଥିବା ଗଞ୍ଜେଇର ବ୍ୟବସାୟିକ ମୂଲ୍ୟ ପ୍ରାୟ ୭୫ ଲକ୍ଷ ଟଞ୍ଚା ହେବ ବୋଲି ପୋଲିସ ଅନୁମାନ କରାଯାଇଥିବା ବେଳେ ଗାଡିର ମୂଲ୍ୟ ପ୍ରାୟ ୬୦ ଲକ୍ଷ ଟଞ୍ଚା ହେବ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ କହିଛନ୍ତି । 

You Can Read :

କଲଭର୍ଟରେ ପିଟିହେଲା ସ୍କର୍ପିଓ, ଦୁର୍ଘଟଣାରେ ୪ ଜଣ ଆହତ


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.