ଇଣ୍ଡୋନେସିୟାରେ ଯାତ୍ରୀବିମାନ ରାଡାରରୁ ଉଭାନ, ୮ ଚାଳକଦଳ ସଦସ୍ୟଙ୍କ ସମେତ ଥିଲେ ୧୧ ଯାତ୍ରୀ

NEWS7
crop-damdage-in-bhadrak

ସୁଲାୱେସୀ ୧୭।୧: ଇଣ୍ଡୋନେସିୟା ଦକ୍ଷିଣ ସୁଲାୱେସୀ ପ୍ରାନ୍ତରେ ଏକ ଯାତ୍ରୀବିମାନ ସମ୍ପର୍କ ବିଛିନ୍ନ ହେବା ପରେ ନିଖୋଜ ହୋଇଯାଇଛି। ସ୍ଥାନୀୟ ଗଣମାଧ୍ୟମ ଅନୁସାରେ ଏହି ବିମାନଟି ଶନିବାର ୟୋଗ୍ୟାକର୍ତ୍ତାରୁ ମାକ୍କାସର ଯାଉଥିଲା। ଏଟିଆର-୪୦୦ ବିମାନଟି ଉଡୁଥିବା ବେଳେ ମାରୋସ ରିଜେଂସୀ ଉପରେ ଯୋଗାଯୋଗ ହରାଇଥିଲା। ବିମାନରେ ୮ ଜଣ ଚାଳକ ଦଳ ସଦସ୍ୟ ଓ ୩ ଜଣ ଯାତ୍ରୀ ଏହିପରି ମୋଟ ୧୧ ଜଣ ଥିଲେ। ମଧ୍ୟାହ୍ନ ପ୍ରାୟ ଗୋଟେ ୧୭ ମିନିଟରୁ ବିମାନ ସହ କୌଣସି ଯୋଗାଯୋଗ ହୋଇ ପାରିନଥିବା ବେଳେ ଏହାର ଏବେ ସନ୍ଧାନ ମିଳୁ ନାହିଁ।

ଇଣ୍ଡୋନେସିଆ ସନ୍ଧାନ ଓ ଉଦ୍ଧାର ଏଜେନ୍ସୀ ବାସାର୍ଣ୍ଣାସ କହିଛି ଯେ ଏୟାରନେଭ ଇଣ୍ଡୋନେସିଆରୁ ପ୍ରାପ୍ତ ନିର୍ଦ୍ଦେଶ ଆଧାରରେ ସନ୍ଦିଗ୍ଧ ସ୍ଥାନକୁ ଟିମ୍ ପଠାଯାଇଛି। ବାସାର୍ଣ୍ଣାସ ମାକ୍କାସର କାର୍ଯ୍ୟାଳୟର ଅପରେସନ ମୁଖ୍ୟ ଆନ୍ଦି ସୁଲତାନ କହିଛନ୍ତି ଯେ ଏୟାରନେଭରୁ ମିଳିଥିବା ସୂଚନା ଅନୁସାରେ ଆମେ ମାରୋସ ରିଜେନ୍ସୀର ଲିୟାଙ୍ଗ ଲିୟାଙ୍ଗ କ୍ଷେତ୍ରକୁ ଲୋକ ପଠାଇଛୁ। ପ୍ରାରମ୍ଭିକ ସୂଚନା ଅନୁସାରେ ବିମାନଟି ୟୋଗ୍ୟକର୍ତ୍ତାରୁ ମକାସାର ଯାଉଥିଲା।

ବିମାନର ସନ୍ଧାନ ନେବାକୁ ୨୫ ଜଣିଆ ଟିମ୍ କୁ ୩ଟି ଭାଗରେ ମିଳିତ ସନ୍ଧାନ ଅଭିଯାନ ନିମନ୍ତେ ନିୟୋଜିତ କରାଯାଇଛି। ସେହିପରି ମାରୋସ ପୋଲିସ ମୁଖ୍ୟ ଡଗଲସ ମହେନ୍ଦ୍ର ଜୟ ମଧ୍ୟ ବିମାନ ନିଖୋଜ ସମ୍ପର୍କରେ ପୁଷ୍ଟି କରିଛନ୍ତି। ସେ କହିଛନ୍ତି ଯେ ପ୍ରଶାସନ ଏବେ ଏବେ ଏହା ପୁଷ୍ଟି କରିଛି। ଏହି ବିମାନ ଏଟିଆର ୪୨-୫୦୦ ଇଣ୍ଡୋନେସିୟା ସରକାରଙ୍କ ମତ୍ସ୍ୟ ସମ୍ପଦ ଓ ସାମୁ୍ଦ୍ରିକ ସେବା ବିଭାଗର ହୋଇଥିବା ବେଳେ ଇଣ୍ଡୋନେସିୟା ଏୟାର ଦ୍ୱାରା ସଞ୍ଚାଳିତ ହେଉଥିଲା। ବିମାନରେ ମୋଟ ୧୧ ଜଣ ଯାତ୍ରୀ ଅଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ସେପ୍ଟେମ୍ବର ୨୦୨୫ରେ ଇଣ୍ଡୋନେସିୟା କେନ୍ଦ୍ରୀୟ ପାପୁଆ ପ୍ରାନ୍ତରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ବିମାନ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାରେ ବିମାନର ଧ୍ୱଂସାବଶେଷ ଏକ ଗଭୀର ଖାଇରୁ ମିଳିଥିଲା।