ଆମେଠି ସସ୍‌ପେନ୍ସ ଅନ୍ତ; ସ୍ମୃତି ଇରାନୀଙ୍କୁ ଚେକ୍ ଦେବେ ଗାନ୍ଧି ପରିବାର ଘନିଷ୍ଠ କିଶୋରୀ ଲାଲ୍ ଶର୍ମା

Published By : Prameya-News7 Bureau | May 03, 2024 IST

ନୂଆଦିଲ୍ଲୀ: ଆମେଠି ସସ୍‌ପେନ୍ସ ଅନ୍ତ । ଶେଷ ସମୟରେ ପ୍ରାର୍ଥୀ ଘୋଷଣା । କଂଗ୍ରେସରୁ ଲଢ଼ିବେ କିଶୋରୀ ଲାଲ୍ । ଗାନ୍ଧି ପରିବାର ବାହାରୁ ଟିକେଟ୍ । ବିଗିଡ଼ିବ ସ୍ମୃତିଙ୍କ ଭୋଟ୍ ସମୀକରଣ । ୨୦୨୪ ମହାସଂଗ୍ରାମର ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ଶୁକ୍ରବାର ନାମାଙ୍କନର ଶେଷ ଦିନ । ଅନ୍ତିମ ସମୟରେ କଂଗ୍ରେସ ଉତ୍ତର ପ୍ରଦେଶର ଆମେଠି ଆସନରେ ଲାଗିରହିଥିବା ସସ୍‌ପେନ୍ସକୁ ଦୂର କରିଛି । ନାମାଙ୍କନର କିଛି ଘଣ୍ଟା ପୂର୍ବରୁ ଚୂଡ଼ାନ୍ତ ପ୍ରାର୍ଥୀଙ୍କ ନାଁରେ ମୋହର ମାରିଛି AICC । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଆମେଠିରୁ ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀଙ୍କୁ ଚେକ୍ ଦେବାକୁ କିଶୋରୀ ଲାଲ୍ ଶର୍ମାଙ୍କୁ ସାମ୍ନାକୁ ଆଣିଛନ୍ତି । ଆଉ ଏହି ଟିକେଟ୍ ଘୋଷଣା ସହ କଂଗ୍ରେସର ରାଜନୈତିକ ସମୀକରଣରେ ପରିବର୍ତ୍ତନ ଆସିଛି। ୧୯୯୮ ଅର୍ଥାତ୍ ୨୫ ବର୍ଷ ପରେ ଆମେଠି ଆସନରୁ ଗାନ୍ଧି ପରିବାର ନିର୍ବାଚନ ଲଢୁନାହାନ୍ତି ।

ଆମେଠିରୁ କଂଗ୍ରେସର ସରପ୍ରାଇଜ୍ ଏଣ୍ଟ୍ରି ।  କିଏ ଏହି କିଶୋରୀ ଲାଲ୍ ଶର୍ମା ? କେମିତି ହେଲେ ଗାନ୍ଧି ପରିବାରର ଘନିଷ୍ଠ ? ଦୁର୍ଗ ଛାଡ଼ିଦେଲେ ରାହୁଲ ଗାନ୍ଧି । ଗାନ୍ଧି ପରିବାରରୁ ନହେଲେ ବି କେଏଲ୍ ଶର୍ମାଙ୍କ ସହିତ କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ରହିଛି ନିବିଡ଼ ସମ୍ପର୍କ । ସୋନିଆଙ୍କ ପାଇଁ ରାଏବରେଲି ସମ୍ଭାଳୁଥିବା କିଶୋରୀ ଲାଲ୍ ଏବେ ଆମେଠି ସମ୍ଭାଳିବାକୁ ଅଣ୍ଟା ଭିଡ଼ିଛନ୍ତି । ଆଉ ୨୦୧୯ ସାଧାରଣ ନିର୍ବାଚନରେ ଆମେଠିରୁ ଚିତ୍ ପଟ୍ଟାଙ୍ଗ ହୋଇଥିବା କଂଗ୍ରେସକୁ ସଞ୍ଜୀବନୀ ଦେବାକୁ ସଜ ହୋଇଛନ୍ତି । କିଶୋରୀ ଲାଲ୍ ଶର୍ମାଙ୍କ ପାଇଁ ଏହା ପ୍ରଥମ ଲୋକସଭା ନିର୍ବାଚନ ହୋଇଥିବା ବେଳେ ସେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ କରିବେ ସାମ୍ନା ।

ଗାନ୍ଧି ପରିବାରର ଅତି ନିକଟତର କୁହାଯାଉଥିବା କିଶୋରୀ ଲାଲ୍ ପଞ୍ଜାବ ଲୁଧିଆନାର ବାସିନ୍ଦା । ୧୯୮୩ ମସିହାରେ ସେ ରାଜୀବ ଗାନ୍ଧିଙ୍କ ସହିତ ୟୁପିର ରାଏବରେଲି ଓ ଆମେଠି ଲୋକସଭା କ୍ଷେତ୍ରରେ ପାଦ ଥାପି ଥିଲେ । ରାଜୀବ ଗାନ୍ଧିଙ୍କ ନିଧନ ପରେ ଗାନ୍ଧି ପରିବାର ସହିତ କିଶୋରୀ ଲାଲ୍‌ଙ୍କ ପରିବାରିକ ସମ୍ପର୍କ ବଢ଼ିଥିଲା ଏବଂ ସେ ଅନୁଗତ ହୋଇଯାଇଥିଲେ । ୧୯୯୯ ନିର୍ବାଚନରେ ଆମେଠି ଆସନରୁ ସୋନିଆ ଗାନ୍ଧିଙ୍କ ବିଜୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ କିଶୋରୀ ଲାଲ୍ । ୨୦୦୪ରେ ସୋନିଆ ନିଜ ପୁତ୍ର ରାହୁଲଙ୍କ ପାଇଁ ଏହି ଆସନ ଛାଡ଼ିବା ପରେ କିଶୋରୀ ଲାଲ ଶର୍ମା ଆମେଠି ଓ ରାଏବରେଲି ଦାୟିତ୍ବ ନିଜ କାନ୍ଧକୁ ନେଇଥିଲେ । 

ଆମେଠିରୁ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ସହିତ କିଶୋରୀ ଲାଲ୍ ଶର୍ମାଙ୍କ ହେବ ଜୋରଦାର ଟକ୍କର । ୨୦୧୯ ଲୋକସଭା ନିର୍ବାଚନରେ ଏହି ଆସନରୁ ରାହୁଲ ଗାନ୍ଧି ପରାସ୍ତ ହୋଇଥିଲେ । ରାହୁଲଙ୍କୁ ଲଗାତାର ୩ଥର ଜିତାଇଥିବା ଆମେଠିବାସୀ ପରିବର୍ତ୍ତନ କରିଥିଲେ । ସ୍ମୃତି ଇରାନୀଙ୍କୁ ଏଠାରୁ ୪, ୬୮,୫୧୪ ଖଣ୍ଡ ଭୋଟ୍ ମିଳିଥିବା ବେଳେ ରାହୁଲଙ୍କୁ ୪, ଲକ୍ଷ ୧୩ ହଜାର ଭୋଟ୍ ମିଳିଥିଲା । ଏଥର ବିଜେପି ପୁଣି ଥରେ ସ୍ମୃତିଙ୍କ ଉପରେ ଭରସା କରିଥିବା ବେଳେ ତାଙ୍କୁ ଚେକ୍ ଦେବାକୁ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି କିଶୋରୀ ଲାଲ୍ ଶର୍ମା । 

  • Lok Sabha Election 2024
  • Elections 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.