ନିର୍ବାଚନରେ ବାହୁବଳୀ ଓ ଧନଶାଳୀ ପ୍ରାର୍ଥୀଙ୍କ ବିଜୟ ସମ୍ଭାବନା ଅଧିକ ? ଜାଣନ୍ତୁ କ’ଣ କହୁଛି ADR ରିପୋର୍ଟ

Published By : Prameya-News7 Bureau | April 29, 2024 IST

THE ECONOMIC TIMES

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନରେ ଅପରାଧିକ ପୃଷ୍ଠଭୂମିରୁ ମାଳମାଳ ପ୍ରାର୍ଥୀ । ଅଧିକାଂଶ ପ୍ରାର୍ଥୀଙ୍କ ନାଁରେ ହତ୍ୟା, ଦୁଷ୍କର୍ମ ଭଳି ସଙ୍ଗୀନ ମାମଲା ରହିଛି । ଧନବଳ ଓ ବାହୁବଳ ମାଧ୍ୟମରେ ନିର୍ବାଚନ ଜିତୁଛନ୍ତି ନେତା । ଯିଏ ଯେତେ ଧନବାନ ସେମାନଙ୍କର ବିଜୟ ସମ୍ଭାବନା ଅଧିକ । ଅପରାଧିକ ପୃଷ୍ଠଭୂମିରୁ ଆସିଥିବା ପ୍ରାର୍ଥୀଙ୍କ ଲୋକସଭା ନିର୍ବଚନରେ ବିଜୟ ପ୍ରତିଶତ ଅଧିକ ରହିଛି । ଏକଥା ଆମେ କହୁନାହୁଁ, ବରଂ ରାଜନୀତି ଏବଂ ନିର୍ବାଚନ ପ୍ରକ୍ରିୟା ଉପରେ ନଜର ରଖୁଥିବା ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ ବା ଏଡିଆର୍ ନିଜ ରିପୋର୍ଟରେ ପ୍ରକାଶ କରିଛି ।

ଏହି ରିପୋର୍ଟକୁ ବିଶ୍ଳେଷଣ ପରେ ଜଣାପଡ଼ିଛି ଯେ, ଲୋକସଭାର ପ୍ରତି ନିର୍ବାଚନରେ କୋଟିପତି ଏବଂ ଅପରାଧିକ ପୃଷ୍ଠଭୂମିରୁ ଆସିଥିବା ପ୍ରାର୍ଥୀଙ୍କ ବିଜୟ ପ୍ରତିଶତ ଧୀରେ ଧୀରେ ବଢ଼ିବାରେ ଲାଗିଛି । ୨୦୧୯ ସାଧାରଣ ନିର୍ବାଚନରେ ଲୋକସଭାର ମୋଟ୍ ୫୪୩ ଆସନରୁ ୪୫୪ ବା ୮୮ ପ୍ରତିଶତ ସିଟରେ କୋଟିପତି ପ୍ରାର୍ଥୀ ବିଜୟୀ ହୋଇଥିଲେ । ଏଥିରୁ ୨୬୬ଜଣ ବା ୪୬ ପ୍ରତିଶତ ଅପରାଧିକ ପୃଷ୍ଠଭୂମିରୁ ଆସିଥିବା ପ୍ରାର୍ଥୀ ଜିତି ଥିଲେ । 

ଏଡିଆର୍ ରିପୋର୍ଟରେ ସ୍ପଷ୍ଟ ଭାବେ ଲେଖାଯାଉଛି, ୨୦୨୪ ଲୋକସଭା ନିର୍ବାଚନରେ ବାହୁବଳୀ ଏବଂ ଧନଶାଳୀ ପ୍ରାର୍ଥୀଙ୍କ ସଂଖ୍ୟା କିଛି କମ୍ ନୁହେଁ । ଚଳିତ ନିର୍ବାଚନରେ ରାଜନୈତିକ ଦଳମାନେ ଅପରାଧିକ ପୃଷ୍ଠଭୂମିରୁ ଆସିଥିବା ନେତାଙ୍କୁ ଭରସା କରି ଟିକେଟ୍ ଦେଇଛି । ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ୧୮୯ଟି ଲୋକସଭା ଆସନରେ ୨,୮୧୦ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହୋଇଛି । ଏଥିରୁ ୧୮ ପ୍ରତିଶତ ବା ୫୦୧ଜଣଙ୍କ ନାଁରେ ଅପରାଧିକ ମାମଲା ରହିଛି । ସେହିପରି ୮୪୦ଜଣ ପ୍ରାର୍ଥୀ କୋଟିପତି ବୋଲି ନିର୍ବାଚନ ଆୟୋଗଙ୍କୁ ଦାଖଲ କରିଥିବା ସତ୍ୟପାଠରୁ ଜଣାପଡ଼ିଛି ।  

  • Lok Sabha Election 2024
  • Elections 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.