କମୁଛି ପାରଦ, ଆଗକୁ ବଢିବ ଶୀତ

Published By : Prameya-News7 Bureau | October 23, 2021 IST

ଭୁବନେଶ୍ୱର, ୨୩/୧୦: ଆଭ୍ୟନ୍ତରୀଣ ଓଡ଼ିଶାରେ ଦୁଇ ଦିନ ମଧ୍ୟରେ ୨ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା କମିଛି । ଧୀରେ ଧୀରେ ଆହୁରି କମିବ । ସେହିପରି ଆସନ୍ତା ୨୮ ତାରିଖରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ୨୮ ତାରିଖ ପରେ ଉପକୂଳ ଓଡ଼ିଶାରେ ବି ତାପମାତ୍ରା କମିବ ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି ।

ରାଜ୍ୟରେ ଆସନ୍ତା ୪-୫ ଦିନ ପାଗ ଶୁଖିଲା ରହିବ । ହେଲେ ଧୀରେ ଧୀରେ ତାପମାତ୍ରା କମିବ । ଓଡ଼ିଶାରେ ଡିସେମ୍ବର ୧୫ରୁ ଜାନୁଆରୀ ୧୫ ମଧ୍ୟରେ ସର୍ବାଧିକ ଶୀତର ପ୍ରକୋପ ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି । ସେହିପରି ଆସନ୍ତା ୨୬ ତାରିଖରେ ସାରା ଦେଶରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବ । ମାତ୍ର ଶନିବାର ଓଡ଼ିଶାରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିଯିବ ବୋଲି ଶ୍ରୀ ବିଶ୍ୱାସ ଆକଳନ କରିଛନ୍ତି ।

ସେହିପରି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି, ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ । ରାତି ବେଳେ ତାପମାତ୍ରା କମିବ । ସକାଳ ସମୟରେ ବି ଥଣ୍ଡା ରହିବ । ଏବେ ଆଭ୍ୟନ୍ତରୀଣ ଓଡ଼ିଶାର ୨ ଡିଗ୍ରୀ ତାପମାତ୍ରା କମିଥିବା ବେଳେ ୨୮ରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ପରେ ଉପକୂଳରେ ବି ତାପମାତ୍ରା କମିବ ବୋଲି ଡ. ସାହୁ ଆକଳନ କରିଛନ୍ତି ।

ଅପରପକ୍ଷେ, ଶୁକ୍ରବାର ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୬ ଡିଗ୍ରୀ ସେଲସିୟସ୍‌କୁ ଖସିଛି । ସେହିପରି କେନ୍ଦୁଝର ଓ ଝାରସୁଗୁଡ଼ାରେ ୧୮ ଡିଗ୍ରୀ ଏବଂ ହୀରାକୁଦ ଓ ସମ୍ବଲପୁରରେ ସର୍ବନିମ୍ନ ତାପମାତ୍ରା ୧୯ ଡିଗ୍ରୀ ସେଲସିୟସ୍‌କୁ ଖସିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.