ଉଦ୍ଧବ ସରକାରଙ୍କ ବଡ଼ ନିଷ୍ପତ୍ତି: ସୁପର ମାର୍କେଟ୍, ସାଧାରଣ ଦୋକାନରେ ବିକ୍ରି ହେବ ମଦ

Published By : Prameya-News7 Bureau | January 27, 2022 IST

ମୁମ୍ୱାଇ, ୨୭ /୦୧: ଏଣିକି ସୁପର ମାର୍କେଟ ଏବଂ ସାଧାରଣ ଦୋକାନରେ ବିକ୍ରି ହେବ ମଦ । ମହାରାଷ୍ଟ୍ର ସରକାର ନେଇଛନ୍ତି ଏହି ନିଷ୍ପତ୍ତି । ଗୁରୁବାର ମହାରାଷ୍ଟ୍ରର ଉଦ୍ଧବ ସରକାର ରାଜ୍ୟରେ ମଦ ବିକ୍ରିର ନୂଆ ନୀତିକୁ ମଞ୍ଜୁରୀ ଦେଇଛନ୍ତି । ରାଜ୍ୟର ମନ୍ତ୍ରୀ ନୱାବ ମଲ୍ଲିକ ସୂଚନା ଦେଇ କହିଛନ୍ତି, ସୁପର ମାର୍କେଟ ଏବଂ ଯେଉଁ ୧୦୦୦ ବର୍ଗ ଫୁଟ ଏବଂ ଏହାଠୁ ଅଧିକ କ୍ଷେତ୍ରଫଳ ଥିବା ଦୋକାନର ପରିସରରେ ଏକ ଅଲଗା ଷ୍ଟଲ ମାଧ୍ୟମରେ ମଦ ବିକ୍ରି କରିବାକୁ ଅନୁମତି ଦିଆଯିବ ।

ନୱାବ ମଲ୍ଲିକଙ୍କ ଅନୁସାରେ, ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ମହାରାଷ୍ଟ୍ରରେ ମଦ ଉତ୍ପାଦନକାରୀଙ୍କ ସହିତ କୃଷକମାନେ ମଧ୍ୟ ଉପକୃତ ହେବେ । ଏହାସହ ରାଜ୍ୟସ୍ୱ ବୃଦ୍ଧି ପାଇବ। ଏହି ପଦକ୍ଷେପ ଦ୍ୱାରା ରାଜ୍ୟ ରାଜକୋଷକୁ କୋଟି କୋଟି ଟଙ୍କାର ରାଜସ୍ୱ ଆସିବ ବୋଲି ସରକାର ଆଶା ରଖିଛନ୍ତି।

ଉଦ୍ଧବ ସରକାରଙ୍କ ଏହି ନିଷ୍ପତ୍ତି ପରେ ସୁପର ମାର୍କେଟ, ଜେନେରାଲ ଷ୍ଟୋରରେ ମଦ ଉପଲବ୍ଧ ହେବ। ଏହାପୂର୍ବରୁ କେବଳ ଅନୁମତିପ୍ରାପ୍ତ ନିର୍ଦ୍ଧାରିତ ଦୋକାନରେ ମଦ ବିକ୍ରି ହେଉଥିଲା । ଏକ ରିପୋର୍ଟ ଅନୁଯାୟୀ, ଦେଶର ୬୫% ମଦ ଶିଳ୍ପ ୟୁନିଟ୍ ମହାରାଷ୍ଟ୍ରରେ ଅଛି । ଏଥିରୁ ଅଧିକାଂଶ ନାସିକ୍, ସାଙ୍ଗଲି, ପୁନେ, ସୋଲାପୁର, ବୁଲଢାନା ଏବଂ ଅହମ୍ମଦନଗରରେ ଅଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.