ଓଡ଼ିଶାରେ ହେବ କାହାର ସରକାର ? ଶପଥ ଗ୍ରହଣ ସମାରୋହକୁ ନେଇ ତାରିଖ ଦେଲେ ବିଜେପି-ବିଜେଡି

Published By : Prameya-News7 Bureau | May 06, 2024 IST

ଭୁବନେଶ୍ଵର: ଆସନ୍ତା ଜୁନ୍ ୧୦ରେ  ଓଡ଼ିଶାରେ ବିଜେପି ସରକାରର ଶପଥ ସମାରୋହ ହେବ ।  ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏଭଳି ଦମ୍ଭୋକ୍ତି ପରେ ବିଜେଡି ଦେଇଛି ଏହାର କଡ଼ା ଜବାବ। ଖଡ଼ିଆଳ ସଭା ମଞ୍ଚରୁ ବିଜେଡିର ବରିଷ୍ଠ ନେତା ଭି.କେ.ପାଣ୍ଡିଆନ୍ କହିଛନ୍ତି, ଆଗାମୀ ଜୁନ୍ ୯ରେ ଷଷ୍ଠ ଥର ପାଇଁ ନବୀନ ସରକାରଙ୍କ ଶପଥ ଗ୍ରହଣ ଉତ୍ସବ ହେବ । ଆଉ ଦିନ ୧୧ଟା ୩୦ରୁ ସାଢ଼େ ଗୋଟେ ଭିତରେ ଶପଥ ନେବ ବିଜେଡି ସରକାର । ଦୁଇ ପ୍ରତିଦ୍ବନ୍ଦ୍ବୀ ଦଳର ନେତାଙ୍କ ଏଭଳି ଦମ୍ଭୋକ୍ତିକୁ ନେଇ ସାଧାରଣରେ ଜୋର୍ ଧରିଛି ଚର୍ଚ୍ଚା ।

ପ୍ରଚାର ସମୟରେ ଶପଥ ଗ୍ରହଣ ସମାରୋହକୁ ନେଇ ତାରିଖ ଦେଇଛି ବିଜେପି। ସେପଟେ ଏହାର ଜବାବରେ ଶପଥ ସମାରୋହ ପାଇଁ ତାରିଖ ସହ ଟାଇମ୍ ଦେଇଛି ବିଜେଡି । ଏମିତିରେ ଏଥର ଓଡ଼ିଶା ଦେଖିବ କାହା ସରକାରର ଶପଥ ? ତାକୁ ନେଇ ଜୋର୍ ଧରିଛି ଚର୍ଚ୍ଚା । ଆଜି ବ୍ରହ୍ମପୁର ଓ ନବରଙ୍ଗପୁରରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଆସନ୍ତା ଜୁନ୍ ୧୦ରେ ଭୁବନେଶ୍ବରରେ ବିଜେପି ସରକାରର ଶପଥ ଗ୍ରହଣ ସମାରୋହ ହେବ । ଏଥି ପାଇଁ ମୁଁ ଆପଣମାନଙ୍କୁ ନିମନ୍ତ୍ରଣ କରିବାକୁ ଆସିଛି । 

ଲୋକସଭା ନିର୍ବାଚନରେ କମ ମତଦାନ କଥା ସତ ନୁହେଁ, ବାସ୍ତବରେ ପ୍ରଥମ ଦୁଇଟି ପର୍ଯ୍ୟାୟରେ ବଢିଛି ଭୋଟ ସଂଖ୍ୟା: SBI ରିପୋର୍ଟ

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏଭଳି ଦମ୍ଭୋକ୍ତିକୁ କିଛି ସମୟ ନପୂରୁଣୁ ସାମ୍ନାକୁ ଆସିଥିଲା ବିଜେଡିର ନମ୍ବର ଟୁ ଷ୍ଟାର କ୍ୟାମ୍ପେନର ଭି.କେ.ପାଣ୍ଡିଆନ୍ଙ୍କ ଦମ୍ଭୋକ୍ତି । ଖଡ଼ିଆଳ ସଭା ମଞ୍ଚରୁ ପାଣ୍ଡିଆନ୍ କହିଥିଲେ ଯେ, ଆସନ୍ତା ଜୁନ୍ ୯ ତାରିଖରେ ଓଡ଼ିଶାରେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ । ଆଉ ପାଦେ ଆଗକୁ ଯାଇ ପାଣ୍ଡିଆନ୍ ଶପଥ ଗ୍ରହଣ ସମାରୋହ ପାଇଁ ନିର୍ଦ୍ଧିଷ୍ଟ ଟାଇମ୍ ମଧ୍ୟ ଘୋଷଣା କରିଥିଲେ । କହିଥିଲେ ଜୁନ୍ ୯ରେ ଦିନ ୧୧ଟା ୩୦ରୁ ସାଢ଼େ ଗୋଟେ ଭିତରେ ବିଜେଡି ସରକାର ଶପଥ ନେବେ । 

ମେ’ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି । ଆହୁରି ୩ଟି ପର୍ଯ୍ୟାୟ ନିର୍ବାଚନ ହେବାକୁ ବାକି ଅଛି । କିନ୍ତୁ ପ୍ରଚାର ଯୁଦ୍ଧ ଭିତରେ ସରକାର ଗଠନକୁ ନେଇ ଦୁଇ ଦଳର ଶୀର୍ଷ ନେତୃତ୍ବଙ୍କ ଏଭଳି ଦମ୍ଭୋକ୍ତି ସାଧାରଣରେ ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି । ତେବେ ଏ ବାବଦରେ ରାଜନୈତିକ ସମୀକ୍ଷକଙ୍କ କହିବା କଥା ନିର୍ବାଚନୀ ପ୍ରଚାର ସମୟରେ ନେତା ଏମିତି ଅନେକ କଥା କୁହନ୍ତି। ଯେହେତୁ ଏପର୍ଯ୍ୟନ୍ତ ଭୋଟ୍ ହୋଇନି, ଲୋକେ ସେମାନଙ୍କ ମତାମତ ପରିପ୍ରକାଶ କରିନାହାନ୍ତି ତେଣୁ, ଏବେଠୁ ଓଡ଼ିଶାରେ କିଏ ସରକାର ଗଢ଼ିବ ତାହା କହିବା ମୁସ୍କିଲ୍ । 

ତେବେ ଏଥର ଓଡ଼ିଶାରେ ଶାସକ ଦଳ ବିଜେଡି ସହ ମୁଖ୍ୟ ବିରୋଧୀ ଦଳ ବିଜେପିର କାଣ୍ଟେ କି ଟକ୍କର ହେବା ଜଳ ଜଳ ଦେଖାଯାଉଛି । କିନ୍ତୁ ଏସବୁ ପରେ ବି ସଂଗଠନ ଦୃଷ୍ଟିରୁ ସାରା ଓଡ଼ିଶାରେ ବିଜେଡିର ପଲ୍ଲା ଭାରି ରହିଛି । ଯାହାକୁ ନେଇ ପୁଣି ଥରେ ସରକାରକୁ ଫେରିବାକୁ ପୂରା କନ୍ଫିଡେଣ୍ଟ ଅଛି ବିଜେଡି । ସେପଟେ ବିଜେପି ମଧ୍ୟ ୨୫ବର୍ଷର ବିଜେଡି ସରକାର ବିରୋଧରେ ଥିବା ଆଣ୍ଟି ଇନ୍କୁମ୍ବାନ୍ସି ଫ୍ୟାକ୍ଟରକୁ ଅସ୍ତ୍ର କରି ଜନସମର୍ଥନ ହାତେଇବ ବୋଲି ଆକଳନ କରିଛି । ଆଉ ଲୋକେ ସରକାର ବଦଳାଇବାକୁ ଚାହୁଁଛନ୍ତି ବୋଲି ଭାବୁଛି ଦଳ ।

 ଏମିତିରେ ଦୁଇ ଦଳ ଓଡ଼ିଶାରେ ସରକାର ଗଠନ ପାଇଁ ନିଜ ନିଜ ଦାବି ଉପସ୍ଥାପନ କରୁଛନ୍ତି । ପ୍ରଚାର ସମୟରେ ବିଭିନ୍ନ ପ୍ରସଙ୍ଗ ଉଠାଇ ପରସ୍ପରକୁ ଆଟାକ୍-କାଉଣ୍ଟର ଆଟାକ୍ ମାଧ୍ୟମରେ ଜନତାଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା ବି ଚାଲିଛି । ତେବେ ଏସବୁ ପରେ ବି ଅପେକ୍ଷା ରହିବ ଜନତା ଜନାର୍ଦ୍ଦନଙ୍କ ରାୟକୁ । ଜୁନ୍ ୪ ତାରିଖ ଫଳାଫଳ ହିଁ ସ୍ପଷ୍ଟ କରିବ ଓଡ଼ିଶାରେ ହେବ କାହାର ସରକାର । 

  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.