Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କେବେ ଜଗା,କାଳିଆ ଓଡ଼ିଶା ଫେରିବେ? : ଏହାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ

30/07/2019 at 6:11 PM

ନୂଆଦିଲ୍ଲୀ ୩୦/୭: ଦିଲ୍ଲୀ ଏମସରେ ୨ ବର୍ଷ ହୋଇଗଲା । କିନ୍ତୁ ଓଡ଼ିଶା ଫେରିବାର ରାସ୍ତା ବାହାରୁନି। ରାଜ୍ୟ ସରକାରଙ୍କ ପ୍ରତିନିଧି ଦଳ ଆସି ଏମସ୍‌ ଡାକ୍ତରଙ୍କ ସହ ଜଗା କାଳିଆଙ୍କ ଡିସଚାର୍ଜ ସଂପର୍ରେ ଆଲୋଚନା କରିଥିଲେ ବି କୌଣସି ନିଷ୍ପତ୍ତି ହୋଇପାରିନାହିଁ । ଡିସ୍‌ଚାର୍ଜ ବିଳମ୍ବ ହେଉଥିବାରୁ ଚିନ୍ତାରେ ଭାଙ୍ଗିପଡ଼ିଛନ୍ତି ଜଗା କାଳିଆଙ୍କ ପିତା ଭୂୟାଁ କହଁର ।

ଆମେ କେବେ ଘରକୁ ଯିବୁ ?  କେବେ ଓଡିଶା ଫେରିବୁ ?  ଏଭଳି ପ୍ରଶ୍ନ କରିଛନ୍ତି ଦିଲ୍ଲୀ ଏମ୍‌ସରେ ଚିକିତ୍ସିତ ଜଗା କାଳିଆଙ୍କ ବାପା ଭୂୟାଁ କହଁର । ୨୦୧୯ ଜୁନ ୨୯ରେ ଜଗା କାଳିଆଙ୍କ ଡିସଚାର୍ଜ ସମ୍ପର୍କରେ ଦିଲ୍ଲୀ ଏମ୍ସ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ ଓଡ଼ିଶାର ୫ ଜଣିଆ ଡାକ୍ତରୀ ଦଳ । ଏହା ମଧ୍ୟରେ ମାସେ ବିତିଗଲାଣି । କିନ୍ତୁ ଏଯାଏ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ଉତ୍ତର ଆସିନି । କିନ୍ତୁ ଓଡ଼ିଶା ଫେରିବାକୁ ବାରମ୍ବାର ଅନୁରୋଧ କରୁଛନ୍ତି ଜଗା କାଳିଆଙ୍କ ବାପା ଭୂୟାଁ କହଁର । କାରଣ ଗାଁରେ ଥିବା ୨ ଛୁଆ ଠିକରେ ପାଠପଢି ପାରୁନାହାନ୍ତି । ଘରର ଅବସ୍ଥା ବି ଭଲ ନାହିଁ  ବୋଲି ସେ କହିଛନ୍ତି । ଜଗା କାଳିଆଙ୍କ ଚିକିତ୍ସା ପାଇଁ ସରକାରଙ୍କ ଉଦ୍ୟମକୁ ସାଧୁବାଦ ଜଣାଇଛନ୍ତି । ଏଥି ସହ ପୁରା  ପରିବାର କେମିତି ଓଡ଼ିଶା ଫେରିବୁ ତାର ବ୍ୟବସ୍ଥା କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ଭୂୟାଁ କହଁର ।

ଯୋଡ଼ା ମୁଣ୍ଡ ଶିଶୁ ଜଗା କାଳିଆଙ୍କୁ ଭୁବନେଶ୍ବର ସ୍ଥାନାନ୍ତର ନେଇ ଜଗା କାଳିଆଙ୍କୁ ଫେରାଇ ଆଣିବାରେ କୌଣସି ଅସୁବିଧା ନାହିଁ କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ଦିଲ୍ଲୀ  ଓ ଭୁବନେଶ୍ବର ଏମ୍ସ ଭିତରେ ସମନ୍ବୟ ହୋଇପାରୁନି ବୋଲି ସେମାନଙ୍କୁ ଅଣାଯାଇପାରୁନି । ଦିଲ୍ଲୀ ଏମ୍ସ କର୍ତ୍ତୃପକ୍ଷ ଭୁବନେଶ୍ବର ଏମ୍ସ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଏହାର ସମାଧାନ ବାଟ ଖୋଜିବେ । ରାଜ୍ୟ ସରକାରଙ୍କ ଠାରୁ କୌଣସି ସାହାଯ୍ୟ ଚାହିଁଲେ ଆମେ ଯୋଗାଇଦେବୁ ବୋଲି ମନ୍ତ୍ରୀ କହିଛନ୍ତି ।

ରାଜ୍ୟ ସରକାରଙ୍କ ଉଦ୍ୟମରେ କନ୍ଧମାଳର ମୁଣ୍ଡ ଯୋଡ଼ି ହୋଇଥିବା ଶିଶୁ ଜଗା କାଳିଆଙ୍କୁ ଦିଲ୍ଲୀ ସ୍ଥିତ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅସ୍ତ୍ରୋପଚାର ପରେ ସେ ଦୁହିଁଙ୍କୁ ଅଲଗା କରାଯାଇଥିଲା। ଗତ ୨ ବର୍ଷ ହେଲା ଦୁହେଁ ଦିଲ୍ଲୀ ଏମ୍‌ସରେ ଚିକିତ୍ସାଧୀନ ଅଛନ୍ତି। ଜଗା ସୁସ୍ଥ ହୋଇଗଲାଣି । କାଳିଆକୁ ସୁସ୍ଥ ହେବାକୁ ସମୟ ଲାଗିବ ବୋଲି ଡାକ୍ତର କହୁଛନ୍ତି ।ତେବେ ଭୂୟାଁ ପରିବାର ଭୁବନେଶ୍ବର ଏମ୍ସ ଆସି ଜଗା କାଳିଆଙ୍କ ଚିକିତ୍ସା କରାଯାଉ ବୋଲି ଚାହୁଁଛନ୍ତି ।

   Related Posts