କ'ଣ କରିବ କୋଚ୍ ! ଦ୍ରାବିଡ ଆସିବା ପରେ ଦଳର ନେତୃତ୍ଵ ନେଇଛନ୍ତି ୪ କ୍ୟାପଟେନ୍, କେମିତି ଆସିବ ସ୍ଥିରତା ?

Published By : Prameya-News7 Bureau | January 24, 2022 IST

ନୂଆଦିଲ୍ଲୀ ୨୪।୦୧: ଭାରତୀୟ କ୍ରିକେଟ୍ ଇତିହାସର ସର୍ବଶ୍ରେଷ୍ଠ ବ୍ୟାଟସମ୍ୟାନଙ୍କ ମଧ୍ୟରେ ପରିଗଣିତ ରାହୁଲ ଦ୍ରାବିଡ ବର୍ତ୍ତମାନ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ। କୋଚ୍ ଭାବେ ରାହୁଲ ଦ୍ରାବିଡଙ୍କ ଦକ୍ଷିଣ ଆଫ୍ରିକା ଥିଲା ପ୍ରଥମ ବିଦେଶ ଗସ୍ତ। ଆଶା ଥିଲା ଏହି ଗସ୍ତ ଐତିହାସିକ ରହିବ। ମାତ୍ର ଫଳାଫଳ ବିପରୀତ ରହିଛି। ଭାରତୀୟ ଦଳ ଉଭୟ ଟେଷ୍ଟ ଏବଂ ଦିନିକିଆ ସିରିଜ୍‌ ହାରି ସ୍ଵଦେଶ ଫେରୁଛି।

ରାହୁଲ ଦ୍ରାବିଡ ଭାରତୀୟ ଦଳର କୋଚ୍ ପଦ ସମ୍ଭାଳିବା ପରେ ତାଙ୍କର ଯାତ୍ରା ବିଜୟ-ପରାଜୟ ମିଶ୍ରିତ ରହିଛି। ସବୁଠୁ ବଡ କଥା ଏହି ଅଳ୍ପ ସମୟ ମଧ୍ୟରେ ଦ୍ରାବିଡଙ୍କୁ ଅଲଗା ଅଲଗା ଅଧିନାୟକଙ୍କକ ସହିତ କାମ କରିବାକୁ ପଡିଛି।

ବିସିସିଆଇ ୨୦୨୧ ନଭେମ୍ବର ୩ରେ ରାହୁଲ ଦ୍ରାବିଡ ଭାରତୀୟ ଦଳର ମୁଖ୍ୟ କୋଚ୍ ଘୋଷଣା କରିଥିଲା। ଏହାପରେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ସିରିଜ୍ ଦ୍ରାବିଡଙ୍କ ପ୍ରଥମ ଟାସ୍କ ଥିଲା। ଟି-୨୦ ସିରିଜ୍‌ରେ ରୋହିତ ଶର୍ମା ଦଳର ନେତୃତ୍ଵ ନେଇଥିଲେ ଏବଂ ଦଳ ସିରିଜ୍ ଜିତିଥିଲା। ପ୍ରଥମ ଟେଷ୍ଟରେ ଆଜିଙ୍କ୍ୟ ରାହାଣେ ଦଳର ନେତୃତ୍ଵ ନେଇଥିଲେ। ଉକ୍ତ ମ୍ୟାଚ୍ ଡ୍ର ରହିଥିଲା। ଦ୍ଵିତୀୟ ମ୍ୟାଚ୍‌ରେ ଅଧିନାୟକ ଥିଲେ ବିରାଟ କୋହଲି। ଭାରତ ଦ୍ଵିତୀୟ ଟେଷ୍ଟ ଜିତି ସିରିଜ୍ ୧-୦ରେ ହାତେଇଥିଲା।

ଏହା ପରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଟେଷ୍ଟ ଦଳର ଅଧିନାୟକ ଥିଲେ ବିରାଟ କୋହଲି ଏବଂ ଦିନିକିଆ ଦଳର ନେତୃତ୍ଵ ନେଇଥିଲେ କେଏଲ ରାହୁଲ। ରାହୁଲ ଟେଷ୍ଟ ସିରିଜ୍‌ରେ ଗୋଟିଏ ମ୍ୟାଚ୍‌ରେ ଅଧିନାୟକ ଥିଲେ। ଦଳ ଦକ୍ଷିଣ ଆଫ୍ରିକା ମାଟିରେ ଟେଷ୍ଟ ସିରିଜ୍‌ରେ ୨-୧ରେ ପରାଜିତ ହୋଇଥିବା ବେଳେ ଦିନିକିଆ ସିରିଜ୍‌ରେ ୩-୦ରେ ପରାସ୍ତ ହୋଇଛି।

କୋଚ୍ ଭାବେ ରାହୁଲ ଦ୍ରାବିଡଙ୍କ ଏ ପର୍ଯ୍ୟନ୍ତ ଯାତ୍ରା

ଟି-୨୦ ସିରିଜ୍ ବନାମ ନ୍ୟୁଜିଲାଣ୍ଡ- ବିଜୟ(ଅଧିନାୟକ- ରୋହିତ ଶର୍ମା)

ଟେଷ୍ଟ ସିରିଜ୍ ବନାମ ନ୍ୟୁଜିଲାଣ୍ଡ- ବିଜୟ(ଅଧିନାୟକ- ଆଜିଙ୍କ୍ୟ ରାହାଣେ ଓ ବିରାଟ କୋହଲି)

ଟେଷ୍ଟ ସିରିଜ୍ ବନାମ ଦକ୍ଷିଣ ଆଫ୍ରିକ- ପରାଜୟ(ଅଧିନାୟକ- ବିରାଟ କୋହଲି ଓ କେଏଲ ରାହୁଲ)

ଦିନିକିଆ ସିରିଜ୍ ବନାମ ଦକ୍ଷିଣ ଆଫ୍ରିକା- ପରାଜୟ(ଅଧିନାୟକ-କେଏଲ ରାହୁଲ)

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.