ଏବେ ବଢିବ ତାପମାତ୍ରା, ବିଭିନ୍ନ ଜିଲ୍ଲାରେ କୁହୁଡି ଓ କୋହଲା ପାଗ : ଜାନୁଆରୀ ଶେଷରେ ଥରାଇବ ଶୀତ

Published By : Prameya-News7 Bureau | January 25, 2022 IST

ଭୁବନେଶ୍ୱର ୨୫/୦୧: କୋହଲା ଓ ମେଘୁଆ ପାଗ ମଙ୍ଗଳବାର ବି ରହିବ ଅନେକ ସ୍ଥାନରେ । ବିଶେଷ କରି ଦକ୍ଷିଣ ଉପକୂଳ ଓ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକରେ ମେଘୁଆ ପାଗ ସହ ହାଲୁକା ବର୍ଷା ହୋଇପାରେ । ଅନ୍ୟପକ୍ଷେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଆସନ୍ତା ଦୁଇଦିନ ଘନ କୁହୁଡ଼ି ଘେରିବ ସକାଳେ ଓ ରାତିରେ । ଆଗକୁ ପାଗ ବଦଳିବା ସହ ୨୭ ତାରିଖ ରାତିରୁ ବଢ଼ିବ ଥଣ୍ଡା । କ୍ରମାଗତ ଭାବେ ହ୍ରାସ ପାଇବ ରାତି ତାପମାତ୍ରା । ବର୍ତ୍ତମାନ ତୁଳନାରେ ୩ରୁ ୫ ଡିଗ୍ରୀ ଖସିଯିବ ଅଚାନକ । ଏମିତି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏଭଳି ପାଗ ହେଲେ ଜାନୁଆରୀ ଶେଷ ସପ୍ତାହରେ ରାଜ୍ୟରେ ଶୀତ ଲହରୀ ଥରାଇବ । ବର୍ତ୍ତମାନ ଦୁଇଦିନ ହେବ ରାଜ୍ୟରେ ପାଗ ମେଘୁଆ ରହିବା ସହ କେତେକ ଜାଗାରେ ବର୍ଷା ହୋଇଛି ।

ରବିବାର ବିଳମ୍ବିତ ରାତିରେ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ବର୍ଷା ଛେଚିଥିଲା । ରବିବାର ସକାଳରୁ ସୋମବାର ସକାଳ ଭିତରେ ପାରାଦୀପରେ ୩୬ ମିଲିମିଟର, ଭୁବନେଶ୍ୱରରେ ୧୫.୨, ବାଲେଶ୍ୱରରେ ୧୨.୧, ବାରିପଦାରେ ୧୪.୪, କଟକରେ ୧୬ ମିମି ବର୍ଷା ଢାଳିଥିବାବେଳେ ଅନେକ ଜାଗାରେ ଅସରାଏ ଲେଖାଏଁ ବର୍ଷା ହୋଇଛି । ସୋମବାର ବି ପାଗ ଏଭଳି ରହିଥିଲା ।

ପାଣିପାଗ ବିଭାଗ କହିଛି, ମଙ୍ଗଳବାର (୨୫ ତାରିଖ) ଦକ୍ଷିଣ ଉପକୂଳ ଓଡ଼ିଶା ସମେତ ଜଗତସିଂହପୁର, ରାୟଗଡ଼ା, କୋରାପୁଟ, କନ୍ଧମାଳରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । ଉପକୂଳ ଓ ପାଶ୍ୱର୍ବର୍ତ୍ତୀ ଜିଲ୍ଲାରେ ମଧ୍ୟମ ଧରଣର କୁହୁଡ଼ି ଘେରିପାରେ । ତେବେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ଘନ କୁହୁଡ଼ି ଢାଙ୍କିପାରେ ।

୨୬ରେ ପାଗ ପ୍ରାୟତଃ ଶୁଖିଲା ରହିବ । ଦକ୍ଷିଣ ଓଡ଼ିଶାରେ ଘନ କୁହୁଡ଼ି ଓ ଉପକୂଳରେ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା ଅଛି । ୨୭ରୁ ରାତି ପାରଦ ଖସିବା ସହ ଥଣ୍ଡା ପ୍ରକୋପ ବଢ଼ିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.