ଦରମା ଟଙ୍କା ମାଗିବାରୁ କୋଚିଂ ସେଣ୍ଟର ମାଲିକଙ୍କ ଦାଦାଗିରି
30/06/2018 at 5:31 AM

ଦରମା ଟଙ୍କା ମାଗିବାରୁ କୋଚିଂ ସେଣ୍ଟର ମାଲିକଙ୍କ ଦାଦାଗିରି । ଶିକ୍ଷକଙ୍କୁ ଗଛରେ ବାନ୍ଧି ମାଡ଼ମାରି ସୋସିଆଲ ମିଡିଆରେ ଭାଇରାଲ ବି କଲେ । ନୟାଗଡ ଜିଲ୍ଲି ଖଣ୍ଡପଡା ଥାନା କଣ୍ଟିଲୋରେ ଘଟିଛି ଏପରି ଅଭାବନୀୟ ଘଟଣା । ଫତେଗଡ଼ ଥାନା କରବର ଗାଁର ଏହି ଇଂରାଜୀ ଶିକ୍ଷକ ବିଭିନ୍ନ କୋଚିଂ ସେଣ୍ଟରରେ ପଢ଼ାଇବାକୁ ଯାଆନ୍ତି । ସେଥିରେ ଚଳେ ପୂରା ପରିବାର। ଚଳିତବର୍ଷ ସେ କଣ୍ଟିଲୋରେ ଏକ କୋଚିଂ ସେଣ୍ଟରରେ ପଢ଼ାଇବା ପାଇଁ ଅନୁବନ୍ଧିତ ହୋଇଥିଲେ। ଏଥିପାଇଁ ଦରମା ଛିଡ଼ି ଥିଲା। ପ୍ରଥମ ତିନି ମାସ ଠିକ୍ ସମୟରେ ଦରମା ମିଳିଥିଲା। ପରେ ଠିକ୍ ରେ ନିର୍ଦ୍ଧାରିତ ଦରମା ମିଳି ନଥିଲା। ଏହାକୁ ନେଇ ଶିକ୍ଷକଙ୍କ ମନ ଭିତରେ କ୍ଷୋଭ ପ୍ରକାଶ ପାଇଥିଲା । ବକେୟା ଦରମା ଦେବା ପାଇଁ ବାରମ୍ୱାର ଅନୁରୋଧ କରୁଥିଲେ ଶିକ୍ଷକ । ମାତ୍ର ଏଥିପ୍ରତି କୋଚିଂ ସେଣ୍ଟର ମାଲିକ ଧ୍ୟାନ ଦେଉ ନଥିଲେ। ଫଳରେ ସେ ବାଧ୍ୟହୋଇ ପୀଡିତ ଶିକ୍ଷକ ଜଣକ କୋଚିଂ ସେଣ୍ଟରକୁ ଯିବା ବନ୍ଦ କରିଦେଇଥିଲେ। ଏଥିରେ କୋଚିଂ ସେଣ୍ଟର ମାଲିକ ଉତ୍ କ୍ଷିପ୍ତ ହୋଇ ଗତ ୫ ତାରିଖରେ ତାଙ୍କୁ ଉଠାଇ ନେଇଥିଲେ । କଣ୍ଟିଲୋ ବନ୍ଧ ଶେଷରେ ଥିବା ବରଗଛରେ ତାଙ୍କୁ ବାନ୍ଧି ଦେଇ ନିର୍ଦ୍ଧୁମ ପିଟିଥିଲେ। ଏପରିକି ତାଙ୍କ ବେକରେ ଚପଲ ମାଳ ପକାଇ ଚୁଟି କାଟି ଦେଇଥିଲେ। ଏହାର ଭିଡିଓ ସୁଟିଂ କରି ସୋସିଆଲ୍ ମିଡ଼ିଆରେ ଭାଇରାଲ କରିଥିଲେ । ଏହା ଜାଣିବା ପରେ ଖଣ୍ଡପଡା ଥାନାରେ ପୀଡିତ ଶିକ୍ଷକ ଏକ ଲିଖିତ ଏତଲା ଦେଇଛନ୍ତି । ପୋଲିସ ଏକ କେସ୍ ରୁଜୁ କରି ତଦନ୍ତ ଆରମ୍ଭ କରିଛି ।