ରାୟବରେଲିରୁ ପ୍ରିୟଙ୍କା ଓହ୍ଲାଇଲେ ତାଙ୍କ ବିରୋଧରେ ଲଢିବେ ବରୁଣ ?

Published By : Prameya-News7 Bureau | April 25, 2024 IST

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ଚର୍ଚ୍ଚିତ ରାୟବରେଲି ଆସନ ପାଇଁ କଂଗ୍ରେସ ଏବଂ ବିଜେପି କେହି ମଧ୍ୟ ନିଜ ପ୍ରାର୍ଥୀ ଘୋଷଣା କରି ନାହାନ୍ତି । ରାୟବରେଲି ଏବଂ ଆମେଠି ଗାନ୍ଧୀ ପରିବାରର ଗଡ଼ ବୋଲି କୁହାଯାଏ, କିନ୍ତୁ ଗତ ଥର ଆମେଠିରୁ ରାହୁଲ ଗାନ୍ଧୀଙ୍କ ପରାଜୟ ହୋଇଥିଲେ । ଅନ୍ୟପଟେ ରାୟବରେଲିରୁ ଲଗାତାର ନିର୍ବାଚନ ଜିତି ଆସୁଥିବା ସୋନିଆ ଗାନ୍ଧୀ ଏଥର ଫେବ୍ରୁଆରୀରେ ରାଜସ୍ଥାନରୁ ରାଜ୍ୟସଭା ସାଂସଦ ନିର୍ବାଚିତ ହୋଇଛନ୍ତି । ଏହାପରେ ଚର୍ଚ୍ଚା ହେଉଛି ଯେ କଂଗ୍ରେସ ପ୍ରିୟଙ୍କା ଗାନ୍ଧୀ ଭାଡ୍ରାଙ୍କୁ ରାୟବରେଲିରୁ ନିଜର ପ୍ରାର୍ଥୀ କରିପାରେ । ଏହାରି ଭିତରେ ବିଜେପି ମଧ୍ୟ ବରୁଣ ଗାନ୍ଧୀଙ୍କୁ ରାୟବରେଲିଙ୍କୁ ମୈଦାନରେ ଓହ୍ଲାଇବା ପାଇଁ ନିଷ୍ପତ୍ତି ନେଇଛି, କିନ୍ତୁ ସୂତ୍ର ଅନୁସାରେ ଏହି ଅଫରକୁ ବରୁଣ ଗାନ୍ଧୀ ଅସ୍ୱୀକାର କରିଛନ୍ତି । ଇଣ୍ଡିଆ ଟୁଡେ ସୂତ୍ରକୁ ନେଇ କହିଛି ଯେ ରାୟବରେଲିରୁ ସମ୍ଭାବିତ ପ୍ରାର୍ଥୀ ପ୍ରିୟଙ୍କା ଗାନ୍ଧୀଙ୍କ ବିରୋଧରେ ବରୁଣ ଗାନ୍ଧୀ ନିର୍ବାଚନ ଲଢିବାକୁ ମନା କରିଛନ୍ତି । 

କଂଗ୍ରେସ ସୂତ୍ର ଅନୁସାରେ ରାୟବରେଲିରୁ ପ୍ରିୟଙ୍କା ଗାନ୍ଧୀଙ୍କ ନିର୍ବାଚନ ଲଢିବା ଏକ ପ୍ରକାର ସ୍ପଷ୍ଟ ହୋଇଛି । ଆମେଠି ଆସନରେ ମଧ୍ୟ ରାହୁଲ ଗାନ୍ଧୀ ନିର୍ବାଚନ ଲଢିବା ସ୍ଥିର ହୋଇଥିବା ଜଣାପଡ଼ିଛି । ୨୦୦୪ରୁ ସେ ଲଗାତାର ଆମେଠିରୁ ସାଂସଦ ଥିଲେ, କିନ୍ତୁ ୨୦୦୯ରେ ସେ ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀଙ୍କଠାରୁ ପରାଜିତ ହୋଇଥିଲେ ।

ବରୁଣ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ସମ୍ପର୍କିୟ ଭାଇ-ଭଉଣୀ । ବରୁଣ ପିଲିଭିତରୁ ବିଜେପି ସାଂସଦ, ଅନ୍ୟପଟେ ପ୍ରିୟଙ୍କା ଏବେ ସୁଦ୍ଧା କୌଣସି ନିର୍ବାଚନ ଲଢି ନାହାନ୍ତି । ଏଥର ତାଙ୍କର ରାୟବରେଲିରୁ ନିର୍ବାଚନ ଲଢିବା ସମ୍ଭାବନା ଅଧିକ । ସୂତ୍ର ଅନୁସାରେ ଏହି ଚର୍ଚ୍ଚା ଭିତରେ ବିଜେପି ପ୍ରିୟଙ୍କାଙ୍କ ବିରୋଧରେ ଲଢିବା ପାଇଁ ବରୁଣ ଗାନ୍ଧୀଙ୍କ ସହ ଯୋଗାଯୋଗ କରିଥିଲା, କିନ୍ତୁ ସେ ରାୟବରେଲିରୁ ନିର୍ବାଚନ ଲଢିବାକୁ ମନା କରିଦେଇଥିଲେ । ବରୁଣ ଗାନ୍ଧୀଙ୍କ ଜଣେ ସହଯୋଗୀଙ୍କ କହିବା ଅନୁସାରେ ବରୁଣ ଗାନ୍ଧୀ ନିର୍ବାଚନ ଲଢିଲେ ଗାନ୍ଧୀ ବନାମ ଗାନ୍ଧୀ ହୋଇଥାନ୍ତା ଏବଂ ବରୁଣ ଏପରି ଚର୍ଚ୍ଚାଠାରୁ ଦୂରେଇ ରହିବାକୁ ଚାହୁଁଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଚଳିତ ଥର ପିଲିଭିତ ଆସନରୁ ବିଜେପି ଏଥର ବରୁଣ ଗାନ୍ଧୀଙ୍କ ବଦଳରେ ଯୋଗୀ ସରକାରରେ ମନ୍ତ୍ରୀ ଜିତିନ ପ୍ରସଦାଙ୍କୁ ଟିକଟ ଦେଇଛି ।

  • Lok Sabha Election 2024
  • Elections 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.