ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବଡ ଘୋଷଣା : ବନ୍ଦ ହେବ WHO ପାଣ୍ଠି

Published By : Prameya-News7 Bureau | April 15, 2020 IST

ଓ୍ବାଶିଂଟନ୍ ୧୫।୪: ଚୀନ୍ ଉହାନ ସହରରୁ ଉତ୍ପନ ହୋଇଥିବା କରୋନା ଭାଇରସ୍ ଆମେରିକାରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି । ଏହି ମାରାତ୍ମକ ଭାଇରସ୍ ଯୋଗୁଁ ଆମେରିକାରେ ୨୫,୦୦୦ରୁ ଅଧିକ ଲୋକ ପ୍ରାଣ ହରାଇସାରିଲେଣି । କରୋନା ଭାଇରସ୍ ବିସ୍ତାରକୁ ରୋକିବାରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ର ଭୂମିକାକୁ ନେଇ ଆମେରିକା କ୍ରୋଧିତ ହୋଇଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ WHO ଚୀନ୍‌କୁ ସମର୍ଥନ କରୁଥିବା ଅଭିଯୋଗ କରି ଅର୍ଥ ବନ୍ଦ କରିବାକୁ ଧମକ ଦେଇଛନ୍ତି ।

ବର୍ତ୍ତମାନ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ WHOକୁ ଅର୍ଥ ପ୍ରଦାନ ବନ୍ଦ କରିବାକୁ ଘୋଷଣା କରିଛନ୍ତି । ମଙ୍ଗଳବାର ଏହି ଘୋଷଣା କରି ସେ କହିଛନ୍ତି WHO ଏହି ରୋଗ ସାରା ବିଶ୍ବରେ ବ୍ୟାପିବା ପର୍ଯ୍ୟନ୍ତ କରୋନାର ଗମ୍ଭୀରତାକୁ ଲୁଚାଇ ରଖିଥିଲା । ଆମେରିକାର ରାଷ୍ଟ୍ରପତି କହିଛନ୍ତି ଯେ କରୋନା ଭାଇରସ୍ ବିସ୍ତାରକୁ ଲୁଚାଇବା ତଥା ପରିଚାଳନା କରିବାରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଭୂମିକା ସମୀକ୍ଷା କରାଯାଉଛି ।

ଟ୍ରମ୍ପ କହିଛନ୍ତି ଯେ ଏହି ସଂଗଠନ କରୋନା ମହାମାରୀକୁ ନେଇ ପାରଦର୍ଶିତା ଅବଲମ୍ବନ କରିନାହିଁ । ଗତ ବର୍ଷ ଆମେରିକା ୪୦୦ ମିଲିୟନ ଆମେରିକୀୟ ଡଲାର ଦେଇଥିଲା । ସେ କହିଛନ୍ତି ଯେ ବର୍ତ୍ତମାନ ମିଳିତ ଜାତିସଂଘର ଏହି ଅନୁଷ୍ଠାନକୁ ଦିଆଯାଇଥିବା ଟଙ୍କାକୁ କ’ଣ କରିବା ଉଚିତ୍ ତାହା ଆମେ ବିଚାର କରିବୁ। ଆମେରିକାର ରାଷ୍ଟ୍ରପତି ମଧ୍ୟ କରୋନା ଭାଇରସକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି।

ସୂଚନାଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ଟ୍ରମ୍ପ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଚୀନ୍ ଦ୍ବାରା ପରିଚାଳିତ ବୋଲି କହିଥିଲେ । ଆମେରିକା ଏହି ପାଣ୍ଠି ବନ୍ଦ କରିବାକୁ ଚିନ୍ତା କରୁଛି । ଆମେରିକାରେ କରୋନା ଭାଇରସ୍ ଯୋଗୁଁ ୨୫,୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । କେବଳ ନ୍ୟୁୟର୍କରେ ମୃତ୍ୟୁସଂଖ୍ୟା ୭୦୦୦ ଅତିକ୍ରମ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.