ଦାବିଦାର ଥିଲେ, ନିରାଶ ହେଲେ; ଦୁଇ ଅନୁଭବଙ୍କୁ ମିଳିଲାନି ଟିକେଟ୍, ଜଣେ ଲଢି ପାରନ୍ତି ସ୍ଵାଧୀନ

Published By : Prameya-News7 Bureau | May 02, 2024 IST

ଭୁବନେଶ୍ଵର: ଦୁଇ ଅନୁଭବ ନିରାଶ। ଜଣେ ହେଲେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି। ଅନ୍ୟ ଜଣେ ହେଲେ ବିଜେଡି ନେତା ଅନୁଭବ ପଟ୍ଟନାୟକ। ଉଭୟ ଥିଲେ ଟିକେଟ୍ ଆଶାୟୀ। ଆଜି ବିଜେଡି ନିଜର ଅବଶିଷ୍ଟ ୩ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ଅନୁଭବ ପଟ୍ଟନାୟକଙ୍କୁ ଟିକେଟ୍ ମିଳିନି। ସେହିପରି ଅନୁଭବ ମହାନ୍ତିଙ୍କୁ ବିଜେପି ବିଧାନସଭା ନିର୍ବାଚନରେ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ଲାଗି ରହିଥିଲା। ସେଥିପାଇଁ ତାଙ୍କ ପ୍ରଶଂସକ ଆଶା ରଖିଥିଲେ ଅନୁଭବଙ୍କୁ ଟିକେଟ୍ ମିଳିବ। କିନ୍ତୁ ତାଙ୍କୁ ବି ଟିକେଟ୍ ମିଳିନି।

Also read: ବିଜେଡିରୁ ଇସ୍ତଫା ଦେଲେ ସନ୍ତୋଷ ଖଟୁଆ : ନୀଳଗିରି ଆସନ ପାଇଁ ଥିଲେ ଆଶାୟୀ

ଆଜି ବିଜେପି ୭ଟି ସିଟ୍‌ରେ ପ୍ରାର୍ଥୀ ତାଲିକା ଘୋଷଣା କରିଛି। କଟକ-ବାରବାଟୀରୁ ବିଜେପି କାହାକୁ ପ୍ରାର୍ଥୀ କରିବ ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଥିଲା। ସିଦ୍ଧାନ୍ତ, ଆକାଶ ଓ ଅରିନ୍ଦମଙ୍କୁ ଟିକେଟ୍ ମିଳିବା ପରେ ଅନୁଭବଙ୍କୁ ବିଜେପି କଟକ-ବାରବାଟୀରୁ ପ୍ରାର୍ଥୀ କରିବା ନେଇ ଆକଳନ କରାଯାଉଥିଲା। କିନ୍ତୁ ଆଜି ଘୋଷିତ ପ୍ରାର୍ଥୀ ତାଲିକାରେ ଅନୁଭବଙ୍କ ନାଁ ନାହିଁ। କଟକ-ବାରବାଟୀରୁ ବିଜେପି ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି। ପୂର୍ଣ୍ଣଚନ୍ଦ୍ର କଟକ ଲୋକସଭାରୁ ଆଶାୟୀ ପ୍ରାର୍ଥୀ ଥିଲେ। କିନ୍ତୁ ସାଂସଦ ଭର୍ତ୍ତୃହରି ମହତାବଙ୍କ ବିଜେପିକୁ ଆଗମନ ସମୀକରଣ ବଦଳାଇଥିଲା। ଭର୍ତ୍ତୃହରି ବିଜେପିରୁ କଟକ ଲୋକସଭାରୁ ପ୍ରାର୍ଥୀ ହେବା ପର ଏବେ ପୂର୍ଣ୍ଣଚନ୍ଦ୍ରଙ୍କୁ ଦଳ କଟକ-ବାରବାଟୀରୁ ପ୍ରାର୍ଥୀ କରିଛି। ଆଉ ଶେଷରେ ଅନୁଭବଙ୍କୁ ଟିକେଟ୍‌ରୁ ବଞ୍ଚିତ ହେବାକୁ ପଡ଼ିଛି। ଅନୁଭବ ଟିକେଟ୍ ପାଇଁ କେତେ ଆଶାୟୀ ଥିଲେ ସେ  ହିଁ ଜାଣିଥିବେ କିନ୍ତୁ ତାଙ୍କ ପ୍ରଶଂସକ ନିରାଶ ହୋଇଛନ୍ତି। ଉଲ୍ଲେଖନୀୟ ବିଜେଡିରେ କଣଠେସା ପରେ ନିକଟ ଅତୀତରେ ବିଜେପିରେ ମିଶିଥିଲେ କେନ୍ଦ୍ରାପଡ଼ାର ସାଂସଦ। ଟିକେଟ୍ ମିଳି ନ ଥିଲେ ହେଁ ବିଜେପି ତାଙ୍କୁ ଷ୍ଟାର ପ୍ରଚାରକ କରିଛି। 

ସେହିପରି ଅନୁଭବ ପଟ୍ଟନାୟକ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରୁ ଏଥର ପ୍ରାର୍ଥୀ ହେବା ନେଇ ପ୍ରବଳ ଦାବିଦାର ଥିଲେ।  ଏପରିକି ସେ ନିଶ୍ଚିତ ଥିଲେ ଯେ ବିଜେଡି ତାଙ୍କୁ ଏଥର ନିରାଶ କରିବନି। କାରଣ ଗତ ତ୍ରିସ୍ତରୀୟ ନିର୍ବାଚନରେ ନୟାଗଡ଼ ଜିଲ୍ଲା ସହ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରେ ବିଜେଡିର ସଫଳତାରେ ଅନୁଭବଙ୍କ ପ୍ରଚ୍ଛନ୍ନ ହାତ ରହିଛି। ସେ ନିଜର ସଂଗଠନ ମଜବୁତ କରିବା ସହ ନିର୍ବାଚନ ଲଢିବା ପାଇଁ ସବୁ ପ୍ରସ୍ତୁତି କରି ରଖିଥିଲେ। ସ୍ଵାଭାବିକ ଭାବେ ଅନୁଭବଙ୍କୁ ଟିକେଟ୍ ମିଳିବ ବୋଲି ତାଙ୍କ ସମର୍ଥକ ନିଶ୍ଚିତ ଥିଲେ।  କିନ୍ତୁ ୨୦୧୯ ପରି ୨୦୨୪ ନିର୍ବାଚନରେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡ଼ିଛି। ଆଉ ଟିକେଟ୍ ନ ମିଳିବାରୁ ଶେଷରେ ନିରୁତ୍ସାହିତ ହୋଇ ଅନୁଭବ ପଟ୍ଟନାୟକ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ଖଣ୍ଡପଡ଼ାରୁ ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ୨୦୧୪ ନିର୍ବାଚନରେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେଡିରୁ ପ୍ରାର୍ଥୀ ହୋଇ ଜିତିଥିଲେ ଅନୁଭବ ପଟ୍ଟନାୟକ। ହେଲେ ୨୦୧୯ରେ ତାଙ୍କୁ ବିଜେଡି ପ୍ରାର୍ଥୀ କରିନଥିଲା। ତାଙ୍କ ସ୍ଥାନରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା। ଏହା ସତ୍ତ୍ଵେ  ଅନୁଭବ ଦଳରେ ଥିଲେ ଓ ସଙ୍ଗଠନକୁ ସମ୍ଭାଳି ଥିଲେ। 

  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.